ଦେଶ ବିଦେଶ

ମଧ୍ୟସ୍ଥତା ପ୍ରସ୍ତାବକୁ ତୀବ୍ର ବିରୋଧ: ମୋଦୀଙ୍କୁ ଚିଠି ଲେଖିଲେ ରାହୁଲ, ଖଡ଼ଗେ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ହୋଇଛି। ତେବେ ‌ସରକାର ପ୍ରଥମେ ଏହି ଅସ୍ତ୍ରବିରତି ଘୋଷଣା କରିବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପୋଷ୍ଟ୍‌ କରି ଭାରତ-ପାକିସ୍ତାନ ଅସ୍ତ୍ରବିରତି ଘୋଷଣା କରିଥିଲେ। ଯୁଦ୍ଧବିରତି ପାଇଁ ଆମେରିକା ରାଷ୍ଟ୍ରପତି  ଟ୍ରମ୍ପଙ୍କ ଶ୍ରେୟ ଦାବି ଏବଂ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପ୍ରସ୍ତାବକୁ ଦେଶର ବିରୋଧୀ ଦଳ ନେତା ଏବଂ ପ୍ରତିରକ୍ଷା ବିଶେଷଜ୍ଞମାନେ ବିରୋଧ କରିଛନ୍ତି। ସେମାନେ ଏହାକୁ ଏକ ‘କୂଟନୈତିକ ଭୁଲ ପଦକ୍ଷେପ’ ଏବଂ ଦ୍ୱିପାକ୍ଷିକ ପ୍ରସଙ୍ଗରେ ‘ଭାରତର ସାର୍ବଭୌମତର ଉଲ୍ଲଂଘନ’ ବୋଲି କହିଛନ୍ତି। ଅସ୍ତ୍ରବିରତି ଘୋଷଣା ପ୍ରଥମେ ୱାସିଂଟନରୁ ଆସିଥିବାରୁ ସେମାନେ ଏଥିପାଇଁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।  ଆଜି ଲୋକସଭାରେ ବିରୋଧୀ ଦଳ‌ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି।  ‘ଅପରେସନ୍‌ ସିନ୍ଦୂର’ ଏବଂ ଅସ୍ତ୍ରବିରତି ସଂକ୍ରାନ୍ତ  ଆଲୋଚନା ପାଇଁ ଏକ ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ରାହୁଲ  ଏବଂ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ   ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

‘ଅଗ୍ରହଣୀୟ ହସ୍ତକ୍ଷେପ’, ‘ୱାସିଂଟନ୍‌ର କାମ ନୁ‌ହେଁ’
ସର୍ବଦଳୀୟ ବୈଠକ,  ସଂସଦର ସ୍ବତନ୍ତ୍ର ଅଧିବେଶନ ପାଇଁ ଦାବି
ମୋଦୀଙ୍କୁ ଚିଠି ଲେଖିଲେ ରାହୁଲ, ଖଡ଼ଗେ

ଭାରତ ‘ସିମଲା ଚୁକ୍ତିନାମା ପରିତ୍ୟାଗ କରିଛି’ କି ଏବଂ ‘ତୃତୀୟ ପକ୍ଷ ମଧ୍ୟସ୍ଥତାର ଦ୍ୱାର’ ଖୋଲାଯାଇଛି କି ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ପ୍ରଶ୍ନ କରିଛନ୍ତି।  ରାଜ୍ୟସଭା ସାଂସଦ କପିଲ ସିବଲ ମଧ୍ୟ ସରକାରଙ୍କୁ ସଂସଦର ଏକ ସ୍ବତନ୍ତ୍ର ଅଧିବେଶନ ଡାକିବାପାଇଁ ଅନୁରୋଧ କରିଛନ୍ତି। ସିବଲ କହିଛନ୍ତି, ଆମେ ଏକ ସ୍ବତନ୍ତ୍ର ସଂସଦ ଅଧିବେଶନ ଏବଂ ସର୍ବଦଳୀୟ ବୈଠକ ଚାହୁଛୁ। ତେବେ ମୁଁ ସମସ୍ତ ରାଜନୈତିକ ଦଳମାନଙ୍କୁ ଏହା ଅନୁରୋଧ କରୁଛି ଯେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ବିନା ବୈଠକରେ ଯୋଗ ଦିଅନ୍ତୁନାହିଁ।  ସିବଲ କହିଛନ୍ତି, ‘ଏକ ସୋସିଆଲ ମିଡିଆ ପୋଷ୍ଟ୍‌ କରି ଟ୍ରମ୍ପ୍‌ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏଭଳି ପ୍ରୟାସକୁ  ନେଇ ଅନେକ ପ୍ରଶ୍ନ ଉଠିବ।’

କଂଗ୍ରେସ ସାଂସଦ ମନୀଷ ତିୱାରୀ କହିଛନ୍ତି, ‘କାଶ୍ମୀର ବାଇବଲର ୧୦୦୦ ବର୍ଷ ପୁରୁଣା ବିବାଦ ନୁହେଁ। ଏହା ୨୨ ଅକ୍ଟୋବର ୧୯୪୭ରେ ଆରମ୍ଭ ହୋଇଥିଲା, ଯେତେବେଳେ ପାକିସ୍ତାନ ସ୍ୱାଧୀନ ଜମ୍ମୁ ଏବଂ କାଶ୍ମୀର ରାଜ୍ୟ ଉପରେ ଆକ୍ରମଣ କରିଥିଲା’। ସେ ଜୋର ଦେଇ କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଐତିହାସିକ ତଥ୍ୟକୁ ବୁଝିବା ପାଇଁ ଗମ୍ଭୀର ସଂଶୋଧନ ଆବଶ୍ୟକ। ଆରଜେଡି ସାଂସଦ ମନୋଜ ଝା କଠୋର ପ୍ରତିକ୍ରିୟା ରଖି କହିଛନ୍ତି, ତୁମେ କିଏ ନିଷ୍ପତ୍ତି ନେବାକୁ? ତୁମକୁ କିଏ ଜନାଦେଶ ଦେଲା?  ଭାରତ ସରକାରଙ୍କ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଉ । ଟ୍ରମ୍ପ ଭାରତକୁ ‘ଭୂରାଜନୈତିକ ଫୁଟବଲ୍‌’ ଭାବରେ ବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି। ଆମ ସରକାର ଅସ୍ତ୍ରବିରତି ଘୋଷଣା କରିବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ସରକାରୀ ବିବୃତି ଜାରି କରିଥିବାରୁ ସେ ଏହାକୁ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଛନ୍ତି,‘ଅସ୍ତ୍ରବିରତି ସଂପର୍କରେ ଜାଣିବା ପାଇଁ ଆମକୁ ୱାସିଂଟନ ରେଡିଓ ଶୁଣିବାକୁ ପଡିବ କି’।  ସେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ସଂସଦ ଅଧିବେଶନ ଦାବି କରିଛନ୍ତି।  ଶିବସେନା (ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ  କହିଛନ୍ତି, ‘କାଶ୍ମୀର ସଙ୍କଟର ସମାଧାନ ପାଇଁ ଆମକୁ ଆମେରିକା କିମ୍ବା ଅନ୍ୟ କୌଣସି ରାଷ୍ଟ୍ରର ହସ୍ତକ୍ଷେପର ଆବଶ୍ୟକତା ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button