ଭାରତ-ପାକିସ୍ତାନ ମ୍ୟାଚ୍ ସହ ପାକ୍ କଳାକାରଙ୍କର ଭାରତ ଆସିବା ବନ୍ଦ କର: କେନ୍ଦ୍ରମନ୍ତ୍ରୀ ଭି.କେ ସିଂ – Utkal Mail
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ସେନାର ଜଣେ କର୍ନେଲ, ଜଣେ ମେଜର ଏବଂ ଜଣେ ଡିଏସ୍ପି ସହିଦ ହୋଇଥିଲେ। ଅନନ୍ତନାଗ ଜିଲ୍ଲାର କୋକେରନାଗ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ ଆର୍ମି ରାଜସ୍ଥାନ ରାଇଫଲ୍ସ ୟୁନିଟର କମାଣ୍ଡିଂ ଅଫିସର (କର୍ନେଲ୍), ଜଣେ ମେଜର ଏବଂ ଜମ୍ମୁ କାଶ୍ମୀର ପୁଲିସର ଜଣେ ଡିଏସ୍ପି ସହିଦ ହୋଇଯାଇଥିଲେ। ଜି୨୦ ସଫଳ ହେବା ପରେ ଭାରତ ଉପରେ ଇର୍ଷା କରି ପାକିସ୍ତାନ ଏଭଳି କରିଥିବା କଥା କୁହାଯାଉଥିବା ବେଳେ ଏବେ କେନ୍ଦ୍ରମନ୍ତ୍ରୀ ଭି.କେ ସିଂହ ନିଜର ପ୍ରତିକ୍ରିୟା ରଖିଛନ୍ତି।
ଭାରତୀୟ ସେନାର ପୂର୍ବତନ ମୁଖ୍ୟ ରହିସାରିଥିବା ଜେନେରାଲ ଭି.କେ ସିଂ ଗୁରୁବାର କହିଛନ୍ତି ଯେ ଆମକୁ ଚିନ୍ତା କରିବା ଆବଶ୍ୟକ। କାରଣ ଯେପର୍ଯ୍ୟନ୍ତ ପାକିସ୍ତାନକୁ ଅଲଗା କରାଯିବ ନାହିଁ, ସେପର୍ଯ୍ୟନ୍ତ ସେମାନେ ଆମ ସହିତ ସାଧାରଣ ସମ୍ପର୍କ ରଖିବାକୁ ଚିନ୍ତା କରିବେ ନାହିଁ। ଆମକୁ ସେମାନଙ୍କ ଉପରେ ଚାପ ପକାଇବା ପାଇଁ ସେମାନଙ୍କୁ ଅଲଗା କରିବାକୁ ପଡିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ବନ୍ଦ କରିବା ସହ ପାକିସ୍ତାନରୁ ଭାରତକୁ କାମ କରିବାକୁ ଆସୁଥିବା କଳାକାରଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବାକୁ ହେବ।
ଭି.କେ ସିଂ ଗୁରୁବାର ମଧ୍ୟପ୍ରଦେଶର ଇନ୍ଦୋରରେ ପହଞ୍ଚିଥିଲେ। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦଳର ପ୍ରଚାର ଅଭିଯାନ କାର୍ଯ୍ୟକ୍ରମରେ ଭାଗ ନେବାକୁ ପହଞ୍ଚି ଏଭଳି କହିଥିଲେ କେନ୍ଦ୍ରମନ୍ତ୍ରୀ।