ଦେଶ ବିଦେଶ

ଚନ୍ଦ୍ରଯାନ-୧ର ତଥ୍ୟକୁ ନେଇ ଚନ୍ଦ୍ରରେ ଜଳର ଅସ୍ତିତ୍ବ ଉପରେ ଗବେଷଣା – Utkal Mail


ବେଙ୍ଗାଲୁରୁ: ହାୱାଇ ବିଶ୍ବବିଦ୍ୟାଳୟ ମାନୋଆ (ୟୁଏଚ୍ ମାନୋଆ)ର ଗ୍ରହ-ବିଜ୍ଞାନୀ ସୁଆଇ ଲି’ଙ୍କ ନେତୃତ୍ବାଧୀନ ନୂଆ ଗବେଷଣା ଏପରି ଏକ ଆବି‌ଷ୍କାର ଆଡ଼କୁ ବାଟ କଢ଼ାଇ ନେଇଛି, ଯାହା ଚନ୍ଦ୍ରର ଅନ୍ଧକାର ଅଞ୍ଚଳରେ ପୂର୍ବରୁ ଆବିଷ୍କୃତ ଜଳ ବରଫର ଉତ୍ସ ସମ୍ପର୍କରେ ଆଲୋକପାତ କରିପାରିବ। ଚନ୍ଦ୍ରଯାନ-୧ ଦ୍ବାରା ପ୍ରଦତ୍ତ ତଥ୍ୟକୁ ନେଇ ସେମାନେ ଏହି ଗବେଷଣା କରିଥିଲେ। ହାୱାଇ ବିଶ୍ବବିଦ୍ୟାଳୟ ମାନୋଆ କହିଛି ଯେ, ଚନ୍ଦ୍ରରେ ଜଳର ଉତ୍ପତ୍ତି ଓ ଏହାର ବିକାଶ ସମ୍ବନ୍ଧରେ ଜାଣିବା ପାଇଁ ହେଲେ ଚନ୍ଦ୍ରରେ କେତେ ଜଳ ଅଛି ଓ କେତେ ଅଞ୍ଚଳରେ ତାହା ବିସ୍ତୃତ ସେ ସମ୍ପର୍କରେ ଜାଣିବା ନିହାତି ଆବଶ୍ୟକ। ସେମାନଙ୍କର ଏ ସମ୍ପର୍କରେ ନୂଆ ଅଧ୍ୟୟନ ନେଚର ଆଷ୍ଟ୍ରୋନୋମିରେ ପ୍ରକାଶ ପାଇଛି।

ଲି’ଙ୍କ କହିବା ଅନୁସାରେ, ପୃଥିବୀର ପ୍ଲାଜ୍ମା ସିଟ୍‌ରେ ଥିବା ଉଚ୍ଚ ଶକ୍ତିସମ୍ପନ୍ନ ଇଲେକ୍ଟ୍ରନ ବା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଦ୍ବାରା ନିୟନ୍ତ୍ରିତ ବାୟୁମଣ୍ଡଳର ସ୍ତର ମ୍ୟାଗ୍ନେଟୋସ୍ଫିୟରରେ ଥିବା ଚାର୍ଜିତ କଣିକାପୂର୍ଣ୍ଣ ଅଞ୍ଚଳ ଚନ୍ଦ୍ରପୃଷ୍ଠରେ ପାଣିପାଗ ପ୍ରକ୍ରିୟାକୁ ପ୍ରଭାବିତ କରୁଛି। ଏହା ଚନ୍ଦ୍ରପୃଷ୍ଠରେ ଜଳ ସୃଷ୍ଟିରେ ସାହାଯ୍ୟ କରୁଥାଇପାରେ। ମ୍ୟାଗ୍ନେଟୋସ୍ଫିୟର ସୂର୍ଯ୍ୟଙ୍କ ବିକିରଣଜନିତ ପ୍ରଭାବରୁ ପୃଥିବୀକୁ ରକ୍ଷା କରିଥାଏ। ସୌର ବାୟୁ ମ୍ୟାଗ୍ନେଟୋସ୍ଫିୟରକୁ ପ୍ରଭାବିତ କରି ତା’ର ଆକାରପ୍ରକାରରେ ପରିବର୍ତ୍ତନ କରିଥାଏ। ଏହି ମ୍ୟାଗ୍ନେଟୋସ୍ଫିୟରରେ ଥିବା ପ୍ଲାଜ୍ମା ସିଟ୍ ହେଉଛି ଉଚ୍ଚ ଶକ୍ତିସମ୍ପନ୍ନ ଇଲେକ୍ଟ୍ରନ ଓ ଆୟନଯୁକ୍ତ ଏକ ଅଞ୍ଚଳ, ଯାହାର ଉତ୍ସ ପୃଥିବୀ ଓ ସୌର ବାୟୁ ହୋଇପାରେ। ୟୁଏଚ୍ ମାନୋଆର କହିବା ଅନୁସାରେ, ଚନ୍ଦ୍ର ତଥା ଅନ୍ୟ ବାୟୁହୀନ ପିଣ୍ଡମାନଙ୍କର ଆକାଶୀୟ ପାଣିପାଗ ପାଇଁ ଉଚ୍ଚ ଶକ୍ତିସମ୍ପନ୍ନ ଆୟନ (ଚାର୍ଜିତ କଣିକା)ର ଭୂମିକା ଉପରେ ସାଧାରଣତଃ ବୈଜ୍ଞାନିକମାନେ ଗୁରୁତ୍ବ ଦେଇ ଆସିଛନ୍ତି। ପ୍ରୋଟନ ପରି ଉଚ୍ଚ ଶକ୍ତିସମ୍ପନ୍ନ କଣିକା ଦ୍ବାରା ଗଠିତ ସୌର ବାୟୁ ଚନ୍ଦ୍ରପୃଷ୍ଠକୁ ଧକ୍କା ଦେଇ ସେଠାରେ ପ୍ରାଥମିକ ଜଳସୃ‌ଷ୍ଟିର କାରଣ ହୋଇପାରେ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି। ଚନ୍ଦ୍ରଯାନ-୧ର ମୁନ ମିନେରୋଲୋଜି ମ୍ୟାପର ୨୦୦୮ରୁ ୨୦୦୯ ଭିତରେ ଯେଉଁ ତଥ୍ୟ ପଠାଇଥିଲା ତାହା ଉପରେ ବିଶ୍ଳେଷଣ କରି ଲି ଓ ତାଙ୍କ ସହଗବେଷକମାନେ ଉପରୋକ୍ତ ମତ ପ୍ରକାଶ କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button