ଦେଶ ବିଦେଶ

ସ୍ବେରେଜ ଟାଙ୍କି ସଫାକରୁଥିବା ବେଳେ ୪ ଜଣଙ୍କ ମୃତ୍ୟୁ

ଫରିଦାବାଦ: ହରିଆଣାର ଫରିଦାବାଦର ସେକ୍ଟର ୧୬ ସ୍ଥିତ ମୋରିଙ୍ଗୋ କ୍ୟୁଆରଜି ହସ୍ପିଟାଲରେ ବୁଧବାର ଏକ ସ୍ବେରେଜ ଟାଙ୍କି ସଫାକରୁଥିବା ବେଳେ ୪ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ  ଦାୟୀ କରିଛନ୍ତି ମୃତକଙ୍କ ପରିବାର ବର୍ଗ।

ସଫେଇ କର୍ମଚାରୀଙ୍କ କାମ ସ୍ବେରେଜ ଟାଙ୍କି ସଫାକରିବା ହୋଇନଥିବା ବେଳେ ସେମାନଙ୍କୁ ଜବରଦସ୍ତି ଟାଙ୍କି ସଫାକରିବାକୁ ବାଧ୍ୟ କରାଯାଇ ଥିଲା ତଥା ହସ୍ପିଟାଲ ନିକଟରେ ସୁରକ୍ଷା ବ୍ୟବସ୍ଥା ନଥିଲା। ଏହା ସତ୍ତ୍ବେ ସେମାନଙ୍କୁ ଟାଙ୍କି ଭିତରକୁ ପଠାଯାଇଥିଲା, ଯେଉଁଥିପାଇଁ ସେମାନଙ୍କ ମୃତ୍ୟୁ ହୋଇଛି ବୋଲି ସେମାନଙ୍କ ପରିବାର ପକ୍ଷରୁ ଅଭିଯୋଗ ହେଉଛି। ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ମୃତକଙ୍କୁ ନ୍ୟାୟ ପାଇଁ ଦାବି ଜୋର ଧରୁଛି।

ପୁଲିସ ଘଟଣାର ତଦନ୍ତ କରୁଛି।  ମୃତକଙ୍କ ମଧ୍ୟରୁ ୨ ଜଣ ରୋହିତ (୨୫) ଓ ବିଶାଳ(୩୦) ଦିଲ୍ଲୀର ସଂଗମ ବିହାରର ବାସିନ୍ଦା। ସେମାନେ ଟାଙ୍କି ସଫାକରିବାକୁ ସେହି ହସ୍ପିଟାଲକୁ ପ୍ରତି ମାସରେ ଆସୁଥିଲେ। ଆଜି ୪ ଜଣ ଟାଙ୍କି ସଫା ପାଇଁ ଆସିଥିଲେ। ଦୁଇ ଜଣ ଟାଙ୍କି ଭିତରକୁ ଯାଇଥିବା ବେଳେ ଦୁଇ ଜଣ ବାହାରେଥିଲେ। ଉଭୟ ଭିତରକୁ ଯାଇ ସେଠାରେ ବେହୋସ ହୋଇ ଯାଇଥିଲେ। ତେଣୁ ଅନ୍ୟ ଦୁଇ ଜଣ ଭିତରକୁ ଯାଇଥିଲେ ଓ ସେମାନେ ମଧ୍ୟ ଚେତାଇପଡିଥିଲେ।

ଏସମ୍ପର୍କରେ ଏସିସି ମହେନ୍ଦ୍ର ବର୍ମା କହିଛନ୍ତି କି, ସେକ୍ଟର ୧୬ରେ ଥିବା ମୋରିଙ୍ଗୋ କ୍ୟୁଆରଜି ହସ୍ପିଟାଲର ସ୍ବେରେଜ ଟାଙ୍କା ସଫା ବେଳେ ୪  ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସମସ୍ତ ସଫେଇ କର୍ମଚାରୀ ଦିଲ୍ଲୀର ଏକ ଘରୋଇ କମ୍ପାନୀରୁ ଆସିଥିଲେ। ଏନେଇ ଅଭିଯୋଗ ହୋଇଛି। ପୁଲିସ ମାମଲାର ତଦନ୍ତ କରୁଛି।

ସେପଟେ, ବାରମ୍ବାର ସ୍ବେରେଜ ଟାଙ୍କିରେ ପଶି ଶ୍ରମିକଙ୍କ ମୃତ୍ୟୁକୁ ନେଇ ଦାୟର ଯାଚିକାରେ ସୁପ୍ରିମ କୋର୍ଟ ଅନେକ କଟକଣା ଜାରି କରିଥିଲେ। ବିନା ସୁରକ୍ଷା ପୋଷାକ ଓ ଅକ୍ସିଜେନରେ ଶ୍ରମିକଙ୍କୁ ଭିତରକୁ ପଠାଯିବ ନାହିଁ ବୋଲି କଡା ନିର୍ଦ୍ଦେଶ ଦେଇଥିଲେ। ଏସବୁ ସତ୍ତ୍ବେ କିନ୍ତୁ ବାରମ୍ବାର ଦେଶରେ ଏପରି ଘଟଣା ଘଟୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button