ନୀତି

କ୍ୟୁବାର ଲୌହ ମାନବ: ଲୁହା ହାତୁଡ଼ିରେ ଯେତେ ପିଟିଲେ ବି ସେ ଅବିଚଳ – Utkal Mail


କ୍ୟୁବାର ‘ଲୋହ ମାନବ’ ଭାବେ ପରିଚିତ ୩୨ ବର୍ଷୀୟ ଲିନୋ ଟୋମାସେନ୍‌ ନିଜର ଶରୀରକୁ ଏପରି ଅଭ୍ୟସ୍ତ କରିଛନ୍ତି ଯେ ବିରାଟ ଲୁହା ହାତୁଡ଼ିରେ ତାଙ୍କୁ ଯେତେ ପିଟିଲେ ବି ସେ ଅବିଚଳ ରହିଥା’ନ୍ତି। ଦିନକୁ ହାରାହାରି ପ୍ରାୟ ହଜାରେ ଥର ହାତୁଡ଼ି ପାହାର ଖାଇ ଖାଇ ସେ ତାଙ୍କ ଦେହକୁ ଏପକି ଟାଣ କରିପାରିଛନ୍ତି। ତିନି ବର୍ଷ ତଳେ ସେ ପ୍ରଥମେ ଲୋକଲୋଚନକୁ ଆସିଥିଲେ ଯେତେବେଳେ ସେ କଂକ୍ରିଟ୍‌ କାନ୍ଥକୁ ଖୁବ୍‌ ଜୋର୍‌ରେ ମୁଥ ଓ କହୁଣି ମାରିବାର ଏକ ଭିଡିଓ ପ୍ରସାରିତ ହୋଇଥିଲା। ତାହା ପରଠାରୁ ତାଙ୍କର ଏହି ଶାରୀରିକ ଶକ୍ତି ଦିନକୁ ଦିନ ବଢ଼ିବା ସହ ସେ ଅଧିକ ଲୋକପ୍ରିୟ ହେବାରେ ଲାଗିଛନ୍ତି। ସେ ତାଙ୍କର ଏହି ଅବିଶ୍ବସନୀୟ ଶାରୀରିକ ଦୃଢ଼ତାକୁ ରାସ୍ତାଘାଟରେ ପ୍ରଦର୍ଶନ କରି ଜୀବିକା ନିର୍ବାହ କରୁଛନ୍ତି।

ସେ ପିଠି ଉପରେ ଅନ୍ୟ ଜଣକୁ ବସାଇ ଦଣ୍ଡବୈଠକ ମାରିପାରନ୍ତି, ବଡ଼ ଲୁହା ହାତୁଡ଼ିରେ ନିଜର ବାହୁ, ମଣିବନ୍ଧ ଓ ମୁଠାକୁ ଖୁବ୍‌ ଜୋର୍‌ରେ ମାଡ଼ ମାରନ୍ତି। ତାଙ୍କ କାରନାମା ଅସଲି ବୋଲି ପ୍ରମାଣ କରିବାକୁ ସେ ଅନ୍ୟମାନଙ୍କୁ ମଧ୍ୟ ତାଙ୍କୁ ସେହି ହାତୁଡ଼ିରେ ମାରିବାକୁ ଦେଇଥାନ୍ତି। ମାତ୍ର ୧୫ ବର୍ଷ ବୟସ ବେଳୁ ସେ ଏହି ଅଭ୍ୟାସ ଆରମ୍ଭ କରିଥିଲେ ଯଦ୍ଦ୍ବାରା ଲକ୍ଷ ଲକ୍ଷ ହାତୁଡ଼ି ପାହାର ଖାଇ ତାଙ୍କ ମାଂସପେଶୀଗୁଡ଼ିକ ଭୀଷଣ ଭାବରେ କଷ୍ଟସହିଷ୍ଣୁ ହୋଇଯାଇଛି ବୋଲି ଟୋମୋସେନ୍‌ କହିଛନ୍ତି। ତେବେ ତାଙ୍କର ଏପରି ନିଆରା ଅଭ୍ୟାସ ପଛର ଉଦ୍ଦେଶ୍ୟ ଥିଲା ବକ୍ସିଂରେ କ୍ୟାରିଅର ଗଢ଼ିବା। ଅତୀତରେ ସେ ମେକ୍ସିକୋରେ ୨୭ ଥର ବକ୍ସିଂ ନକ୍‌ଆଉଟ୍‌ ଟାଇଟଲ୍‌ ହାସଲ କରିଛନ୍ତି। ତେବେ ଶେଷଥର ସେ ତାଙ୍କର ପ୍ରତିଦ୍ବନ୍ଦ୍ବୀକୁ ଏପରି ଏକ ମୁଥ ମାରିଥିଲେ ଯେ ତାଙ୍କର ଖପୁରି ଉଡ଼ିଯାଇଥିଲା ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତା’ପରେ ଟୋମୋସେନ୍‌ ଜିତିଥିବା ଲକ୍ଷେ ଡଲାରର ପୁରସ୍କାର ରାଶି ମୃତ ପ୍ରତିଦ୍ବନ୍ଦ୍ବୀଙ୍କ ପରିବାର ଲୋକଙ୍କୁ ପ୍ରଦାନ କରି ଆଉ କେବେ ବକ୍ସିଂରେ ଭାଗ ନେବେନାହିଁ ବୋଲି ଶପଥ କରିଥିଲେ। ପରେ ବକ୍ସିଂରେ ପୁନଃପ୍ରବେଶ ପାଇଁ ତାଙ୍କୁ ଏକ ନିୟୁତ ଡଲାରର ପ୍ରସ୍ତାବ ଆସିଥିଲେ ହେଁ ସେ ତାହାକୁ ପ୍ରତ୍ୟାଖ୍ୟାନ କରି ରାସ୍ତା କଡ଼ରେ ନିଜର ଶକ୍ତି ପ୍ରଦର୍ଶନ କରି ଗୁଜୁରାଣ ମେଣ୍ଟାଉଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button