ପୁନମଙ୍କ ଘରେ ଅଗ୍ନିକାଣ୍ଡ; ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀଙ୍କ ସମେତ ଗୃହସହାୟିକା ଓ ପୋଷାକୁକୁର – Utkal Mail
ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିବା କୁହାଯାଉଛି। କାରଣ ନିକଟରେ ସେ ରହୁଥିବା ଆପାର୍ଟମେଣ୍ଟରେ ନିଆଁ ଲାଗିଥିଲା। ସେ ସମୟରେ ସେ ସୌଭାଗ୍ୟବଶତଃ ଘରେ ନଥିଲେ। ଏକ ଜରୁରୀ କାମ ହେତୁ ସେ ଘରୁ ବାହାରି ଯାଇଥିଲେ। ତେଣୁ ତାଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି ବୋଲି କୁହାଯାଉଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ପାରି ନଥିଲା।
ପ୍ରକାଶିତ ରିପୋର୍ଟ ମୁତାବକ, ପୁନମ ପାଣ୍ଡେ ମୁମ୍ବାଇର ଆପାର୍ଟମେଣ୍ଟର ୧୬ତମ ମହଲାରେ ବସବାସ କରନ୍ତି। ନିଆଁ ଲାଗିବା ସମୟରେ ଅଭିନେତ୍ରୀ ଜରୁରୀ କାମରେ ଘରୁ ବାହାରି ଯାଇଥିବା ବେଳେ ଘରେ ତାଙ୍କ ଗୃହସହାୟିକା ଓ ପୋଷାକୁକୁର ଥିଲେ। ଏହି ଅଗ୍ନିକାଣ୍ଡରେ ପୁନମଙ୍କ ଘରର ଅନେକ ଦାମୀ ଆସବାବପତ୍ର ଜଳି ନଷ୍ଟ ହୋଇଯାଇଛି।
ତେବେ ନିଆଁ ଲାଗିବା ଜାଣିବା ପରେ ପୁନମଙ୍କ ଗୃହସହାୟିକା ନିଜ ଜୀବନ ବଞ୍ଚାଇବା ସହିତ ଅଭିନେତ୍ରୀଙ୍କ ପୋଷାକୁକୁରକୁ ବଞ୍ଚାଇଥିଲେ। ଆଉ ଏହି ଅଗ୍ନିକାଣ୍ଡ ଘଟଣା ସମ୍ପର୍କରେ ସୁରକ୍ଷାକର୍ମୀଙ୍କୁ ଫୋନ କରି ଜଣାଇଥିଲେ। ସୁରକ୍ଷାକର୍ମୀ ତୁରନ୍ତ ଅଗ୍ନିଶମ ବିଭାଗକୁ ଏନେଇ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ପୁନମଙ୍କ ପକ୍ଷରୁ ଏହି ଅଗ୍ନିକାଣ୍ଡ ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ।
କୁହାଯାଉଛି କି ସେ ନିକଟରେ ଏକ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଖୁସି ଖବର ଦେବେ ବୋଲି କହିଥିଲେ। ପୁନମ ଏବେ କୌଣସି ଏକ ପ୍ରୋଜେକ୍ଟର ସୁଟିଂରେ ବ୍ୟସ୍ତ ଥିବା ଜଣାପଡ଼ିଛି।