ରେକର୍ଡର ବାଦଶାହ କିଙ୍ଗ୍ ଖାନ୍, ନୂଆ ଉଚ୍ଚତାକୁ ନେଲା ‘ଜବାନ୍’ – Utkal Mail
ଗତ ସପ୍ତାହରେ ରିଲିଜ୍ ହୋଇଥିବା ବଲିଉଡ୍ ବାଦଶାହ ଶାହରୁଖ୍ ଖାଁଙ୍କର ଶେଷତମ ଫିଲ୍ମ ‘ଜବାନ୍’ ବ୍ୟବସାୟରେ କେବଳ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିନି, ବଲିଉଡ୍ରେ ନୂଆ ଇତିହାସ ସୃଷ୍ଟି କରିଛି। ଏ ଖବର ଲେଖା ଯିବାବେଳେ ହସ୍ତଗତ ହୋଇଥିବା ଶେଷତମ ସୂଚନା ଅନୁସାରେ, ଗତ ୭ ତାରିଖରେ ରିଲିଜ୍ ହୋଇଥିବା ‘ଜବାନ୍’ ତା’ର ଅଷ୍ଟମ ଦିନରେ ୧୮ କୋଟି ଟଙ୍କା ରୋଜଗାର କରିଛି। ଏହାକୁ ମିଶାଇଲେ ଏ ଫିଲ୍ମର ପ୍ରଥମ ୮ ଦିନର ଆୟ ୩୮୬ କୋଟିରେ ପହଞ୍ଚି ଯାଇଛି। ଉଲ୍ଲେଖନୀୟ ଯେ ନିକଟରେ ରିଲିଜ୍ ହୋଇଥିବା ସନ୍ନି ଦେଓଲଙ୍କ ‘ଗଦ୍ଦର ୨’ର ପ୍ରଥମ ୮ ଦିନର ଆୟ ଥିଲା ୩୦୫ କୋଟି, ରଜନିକାନ୍ତଙ୍କ ‘ଜେଲର୍’ର ଥିଲା ୨୩୫ କୋଟି।
ଏପରିକି ଏଇ ଶାହରୁଖ୍ଙ୍କର ପୂର୍ବ ଫିଲ୍ମ ‘ପଠାନ୍’ ପ୍ରଥମ ୮ ଦିନରେ ଆୟ କରିଥିଲା ମୋଟ୍ ୩୪୮ କୋଟି ଟଙ୍କା। ବର୍ତ୍ତମାନ ଚାଲିଥିବା ଧାରାକୁ ଦେଖିଲେ, ‘ଜବାନ୍’ ଶାହରୁଖ୍ଙ୍କର ସଫଳତମ ଫିଲ୍ମ ହେବାର ସବୁ ଆଶା ରହିଛି ବୋଲି କୁହାଯାଉଛି।‘ଜବାନ୍’ ରିଲିଜ୍ ହେବା ଦିନ ହିଁ ସାରା ବିଶ୍ବରେ ୧୨୯.୬ କୋଟିର ବ୍ୟବସାୟ କରିଥିଲା। ତା’ ଭିତରୁ ପ୍ରାୟ ୭୫ କୋଟି ଆସିଥିଲା ଭାରତରୁ। ପୁଣି ଏଇ ୭୫ କୋଟି ଭିତରୁ ୬୫.୫ କୋଟି ଆସିଥିଲା ଏହାର ହିନ୍ଦୀ ସଂସ୍କରଣରୁ। ଦକ୍ଷିଣ ଭାରତୀୟ ବଜାରରେ ମଧ୍ୟ ଏହାର ବ୍ୟବସାୟ କ୍ରମଶଃ ବଢ଼ି ଚାଲିଛି। ସୂଚନାଯୋଗ୍ୟ ଯେ ଏ ଫିଲ୍ମର ନିର୍ଦ୍ଦେଶକ ଅଟ୍ଲି ମୁଖ୍ୟତଃ ଦକ୍ଷିଣ ଭାରତୀୟ ଫିଲ୍ମରେ କାମ କରନ୍ତି। ‘ଜବାନ୍’ରେ ଅଭିନେତ୍ରୀ ନୟନତାରା ଓ ବିଜୟ ସେତୁପତିଙ୍କ ଭଳି ବଡ଼ ଦକ୍ଷିଣ ଭାରତୀୟ ତାରକା ଅଛନ୍ତି। ପୁଣି ଏ ଫିଲ୍ମର ନିର୍ମାଣଶୈଳୀରେ ମଧ୍ୟ ଦକ୍ଷିଣ ଭାରତୀୟ ଛାପ ବହୁ ପରିମାଣରେ ରହିଛି।
ରିଲିଜ୍ ହେବାର ପ୍ରଥମ ରବିବାରରେ ‘ଜବାନ୍’ ଭାରତରେ ୮୦.୧୦ କୋଟି ଆୟ କରିଛି। ଏହା ବଲିଉଡ୍ ପାଇଁ ଏକ ସର୍ବକାଳୀନ ରେକର୍ଡ। ସେହିପରି ଗୁରୁବାର, ଶୁକ୍ରବାର, ଶନିବାର ଓ ରବିବାରକୁ ମିଶାଇ ପ୍ରଥମ ୪ଦିନରେ ଏହା ଆୟ କରିଛି ମୋଟ୍ ୨୮୬.୧୬ କୋଟି। ତାହା ମଧ୍ୟ ଏକ ରେକର୍ଡ। ପୂର୍ବରୁ ଏ ରେକର୍ଡ ଥିଲା ଏଇ ଶାହରୁଖଙ୍କ ପୂର୍ବ ଫିଲ୍ମ ‘ପଠାନ୍’ ନାଁରେ। ‘ପଠାନ୍’ ସେତିକି ଦିନରେ ଆୟ କରିଥିଲା ୨୮୦.୭୫ କୋଟି। କେବଳ ସେତିକି ନୁହେଁ, ମାତ୍ର ୩ ଦିନ ଭିତରେ ୨୦୦ କୋଟି ଆୟ ଟପି ଯିବାର ନୂଆ ରେକର୍ଡ ମଧ୍ୟ ଏ ଫିଲ୍ମଟି ତିଆରି କରିଛି। ‘ପଠାନ୍’ ୨୦୦ କୋଟି ଛୁଇଁବାକୁ ୪ ଦିନ ନେଇଥିଲା। ‘ଜବାନ୍’ ସଂପର୍କରେ ଗୋଟିଏ ବଡ଼ କଥା ହେଉଛି, ଏ ଫିଲ୍ମଟିକୁ କେବଳ ଦର୍ଶକମାନେ ପସନ୍ଦ କରୁ ନାହାନ୍ତି, ସମାଲୋଚକମାନେ ମଧ୍ୟ ଉଚ୍ଚ ପ୍ରଶଂସା କରୁଛନ୍ତି। ତେଣୁ ଆଗକୁ ଏ ଫିଲ୍ମଟି ଆହୁରି ଏକାଧିକ ନୂଆ ରେକର୍ଡ ତିଆରି କରିବାର ସବୁ ଆଶା ରହିଛି ବୋଲି ଚର୍ଚ୍ଚା ହେଉଛି।