୨ଜଣ ଲୋକ ‘ଦୁପଟ୍ଟା’ ଟାଣି ଦେବାରୁ ସାଇକେଲ୍ରୁ ପଡ଼ିଗଲା ୧୭ ବର୍ଷୀୟ ଝିଅ; ବାଇକ୍ ଚାପାରେ ଗଲା ଜୀବନ – Utkal Mail
ଅମ୍ବେଦକର ନଗର: ଉତ୍ତର ପ୍ରଦେଶର ଅମ୍ବେଦକର ନଗରରେ ୨ଜଣ ଲୋକ ‘ଦୁପଟ୍ଟା’ ଟାଣି ପକାଇବାରୁ ସାଇକେଲ୍ରୁ ପଡ଼ିଯାଇଥିବା ଜଣେ ଝିଅ ଉପରେ ଆଉ ଜଣେ ଲୋକର ବାଇକ୍ ଚଢ଼ିଯିବାରୁ ତା’ର ମୃତ୍ୟୁ ଘଟିଥିବା କଥା ଶନିବାର ଦିନ ପୁଲିସ କହିଛି।
୧୭ ବର୍ଷୀୟ ଝିଅଟି ସାଇକେଲ୍ ଚଢ଼ି ସ୍କୁଲ୍ରୁ ଘରକୁ ଫେରୁଥିଲା। ଏହି ଘଟଣାର ଭିଡିଓ ‘ସିସିଟିଭି’ କ୍ୟାମେରାରେ ମଧ୍ୟ ଉତ୍ତୋଳିତ ହୋଇଛି। ସେଥିରୁ ସଂଗୃହୀତ ଫୁଟେଜ୍ରେ ଦିଶୁଛି, ୨ଜଣ ଲୋକ ‘ଦୁପଟ୍ଟା’ ଟାଣି ପକାଇବାରୁ ଝିଅଟି ସାଇକେଲ୍ ଉପରୁ ନିୟନ୍ତ୍ରଣ ହରାଇ ତଳେ ପଡ଼ିଯାଉଛି। ତା’ପରେ ସେ ଦୁଇ ଦୁର୍ବୃତ୍ତଙ୍କ ସାଥିରେ ଆସିଥିବା ଆଉ ଜଣେ ଦୁର୍ବୃତ୍ତ ଚଳାଉଥିବା ବାଇକ୍ ସେ ଝିଅ ଉପରେ ଚଢ଼ିଯାଉଛି।
ଶୁକ୍ରବାର ଦିନ ଉତ୍ତର ପ୍ରଦେଶର ଅମ୍ବେଦକର ନଗରରେ ଏହି ଘଟଣା ଘଟିଥିବା କଥା ପୁଲିସ କହିଛି। ଆହତ ଝିଅଟିକୁ ତୁରନ୍ତ ଡାକ୍ତରଖାନାକୁ ନିଆ ଯାଇଥିଲା, କିନ୍ତୁ ତାକୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ କହିଲେ।
ସ୍ଥାନୀୟ ଥାନାରେ ଝିଅର ବାପା କରିଥିବା ଅଭିଯୋଗରେ ଉଲ୍ଲେଖ ଅଛି ଯେ, ଅପରାହ୍ଣ ପ୍ରାୟ ୩.୩୦ରେ ଝିଅ ଘରକୁ ଫେରୁଥିବା ବେଳେ ୩ ଜଣ ଲୋକ ବାଟରେ ତାକୁ ହଇରାଣ କରିଥିଲେ।
ଶାହନୱାଜ୍ ଓ ଅର୍ବାଜ୍ ନାମରେ ୨ଜଣ ବ୍ୟକ୍ତି ତାଙ୍କ ଝିଅକୁ ହଇରାଣ କରିବା ସହିତ ତା’ର ‘ଦୁପଟ୍ଟା’ ଟାଣି ପକାଇଥିଲେ। ସେ ତଳେ ପଡ଼ିଯିବାରୁ ଫୈସଲ୍ ନାମରେ ଆଉ ଜଣେ ବ୍ୟକ୍ତି ତା’ ଉପରେ ମୋଟର୍ ସାଇକେଲ୍ ଚଢ଼ାଇ ଦେଲେ ବୋଲି ‘ଏଫ୍ଆଇଆର୍’ରେ ଝିଅର ବାପା କହିଛି।
ବରିଷ୍ଠ ପୁଲିସ ଅଧିକାରୀ ସଞ୍ଜୟ କୁମାର ରାୟ କହିଛନ୍ତି, ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ପଞ୍ଜିକରଣ କରାଯାଇଛି। ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରାଯାଇଛି। ସଂଗୃହୀତ ପ୍ରମାଣକୁ ଆଧାର କରି ବାକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।



