ବହୁରୂପୀ ଲେଡି ବ୍ଲାକ୍ମେଲର ଗିରଫ ଘଟଣା: ଇରାନୀ ସହଯୋଗୀ ଦିବା ଗିରଫ – Utkal Mail
ଆଜିଠୁ ରିମାଣ୍ଡରେ ସ୍ବାମୀ ନିଶିକାନ୍ତ
ଭୁବନେଶ୍ବର: ବହୁଚର୍ଚ୍ଚିତ ବହୁରୂପୀ ଲେଡି ବ୍ଲାକ୍ମେଲର ଇରାନୀ ପାତ୍ରର ବିରୋଧରେ ଆଉ ଏକ ମାମଲା ଯୋଡ଼ି ହୋଇଛି। ସେହିଭଳି ଇରାନୀ ଗ୍ୟାଙ୍ଗ୍ର ଆଉ ଜଣେ ସହଯୋଗୀକୁ ତମାଣ୍ଡୋ ଥାନା ପୁଲିସ ଗିରଫ କରିଛି। ସେ ହେଲା ତମାଣ୍ଡୋ ଥାନା ନାରଗୋଦାର ଦେବାନନ୍ଦ ଜେନା ଓରଫ୍ ଦିବା(୨୯)। ଗତକାଲି ପୁଲିସ ଦିବାକୁ ଉଠାଇବା ପରେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ହୋଇଥିଲା। ଏମିତିକି ଦିବାକୁ ଖସାଇବାକୁ ପୁଲିସ ଉପରେ ବିଭିନ୍ନ ମହଲରୁ ଚାପ ବି ପଡ଼ିଥିଲା। କିନ୍ତୁ ମାମଲାରୁ ଗୁରୁତ୍ବ ଦୃଷ୍ଟିରୁ ପୁଲିସ କୌଣସି ଚାପର ବଶବର୍ତ୍ତୀ ହୋଇନଥିବା କୁହାଯାଉଛି।
ସୂଚନା ମୁତାବକ କିଛି ଦିନ ତଳେ ଅଭିଯୋଗକାରୀ ପିଣ୍ଟୁ(ଛଦ୍ମନାମ) ଫେସ୍ବୁକ ମାଧ୍ୟମରେ ଇରାନୀ ପାତ୍ର ସହ ପରିଚିତ ହୋଇଥିଲା। ପରେ ଉଭୟେ ମେସେଞ୍ଜରରେ ନମ୍ବର ସେୟାର୍ କରିଥିଲେ। ନମ୍ବର ଦିଆନିଆ ହେବା ପରେ ପିଣ୍ଟୁ ଅଧିକରୁ ଅଧିକ ଇରାନୀ ପ୍ରତି ଆକୃଷ୍ଟ ହୋଇଥିଲେ। ସେମାନେ ହ୍ବାଟସ୍ଆପ୍ରେ ବାର୍ତ୍ତାଳାପ ଚାଲୁରଖିଥିଲେ ଏବଂ ଧୀରେଧୀରେ ସେମାନଙ୍କ ଭିତରେ ନିବିଡ଼ତା ବଢ଼ିଥିଲା। ଗତ ୨ ତାରିଖ ଦିନ ଇରାନୀ ଫୋନ୍ କରି ପିଣ୍ଟୁକୁ ନିଜ ଘରକୁ ଆମନ୍ତ୍ରଣ କରିଥିଲା। ରାତିରେ ପିଣ୍ଟୁ ନାରଗୋଦାସ୍ଥିତ ଇରାନୀର ଭଡ଼ା ଘରେ ପହଞ୍ଚିଥିଲା। କିନ୍ତୁ ସେ ଯେ ଇରାନୀର ମହୁଫାଶରେ ଫସିସାରିଛି ବୋଲି ବୁଝିପାରିନଥିଲା। ଇରାନୀ ତାକୁ ବଡ଼ ଆଗ୍ରହରେ ଘରକୁ ଡାକିବା ପରେ ଖେଳ ଆରମ୍ଭ ହୋଇଥିଲା। ପିଣ୍ଟୁ ଘରେ ପଶିବା ମାତ୍ରେ ଇରାନୀ ଭିତରପଟୁ ତାଲା ବନ୍ଦ କରିଦେଇଥିଲା। ଇରାନୀର ସ୍ବାମୀ ନିଶିକାନ୍ତ ଓରଫ୍ ବାପି, ଦିବା ଏବଂ ଅନ୍ୟ ସହଯୋଗୀମାନେ ମିଶି ପିଣ୍ଟୁକୁ ବାନ୍ଧିପକାଇଥିଲେ। ମୋବାଇଲ ଫୋନ୍ ଛଡାଇ ନେଇ ନିସ୍ତୁକ ମାଡ଼ ମାରିବା ସହ ସୁନା ମୁଦି ଛଡ଼ାଇନେଇଥିଲେ। ତାକୁ ଉଲଗ୍ନ କରି ତଳେ ଆଣ୍ଠେଇ ଦେଇ ଟଙ୍କା ଦେବାକୁ ଚାପ ପକାଇଥିଲେ। ପିଣ୍ଟୁ ତାଙ୍କ ପତ୍ନୀଙ୍କୁ ଫୋନ୍ କରି ଟଙ୍କା ପଠାଇବା ଲାଗି କହିଥିଲେ। ଫୋନ୍ ପେ’ ମାଧ୍ୟମରେ ପିଣ୍ଟୁଙ୍କ ପତ୍ନୀ ଇରାନୀଙ୍କ ଆକାଉଣ୍ଟକୁ ୨୦ ହଜାର ଟଙ୍କା ପଠାଇଥିଲେ। କିନ୍ତୁ ଏତିକିରେ ଇରାନୀ ଖେଳ ସରିନଥିଲା। ଏହାପରେ ସେମାନେ ପିଣ୍ଟୁକୁ ବ୍ଲାକ୍ମେଲ କରି ନିକଟସ୍ଥ ଏକ ଏଟିଏମ୍ କାଉଣ୍ଟରକୁ ନେଇଥିଲେ। ତା’ କାର୍ଡରୁ ପୁଣି ୩ ହଜାର ଟଙ୍କା ଉଠାଇଥିଲେ।
ପୁଲିସ ସୂଚନାନୁସାରେ ଦେଢ଼ ବର୍ଷ ତଳେ ଦିବା ଏହି ଗ୍ୟାଙ୍ଗ୍ ସହ ମିଶିଥିଲା। ଦିବା ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଅନ୍ୟପଟେ ପୁଲିସ ସୋମବାରଠାରୁ ଇରାନୀର ସ୍ବାମୀ ବାପିକୁ ରିମାଣ୍ଡରେ ଆଣିବ। ପ୍ରକାଶ ଥାଉ କି, ଗତ ୯ ତାରିଖ ଦିନ ଇରାନୀ ନିଜ ଦେହ ଅସୁସ୍ଥ ଥିବା କହି ଜଣେ ଡାକ୍ତରଙ୍କୁ ଘରକୁ ଡାକିବା ପରେ ବ୍ଲାକ୍ମେଲ କରି ନଗଦ ଲକ୍ଷେ ଟଙ୍କା ଓ ୯ ଲକ୍ଷ ଟଙ୍କାର ଚେକ୍ ନେଇଥିଲା। ଏହି ମାମଲାରେ ପୁଲିସ ଇରାନୀ ସହ ତା’ ସ୍ବାମୀ ଓ ସହଯୋଗୀଙ୍କୁ ଗିରଫ କରିଥିଲା।