ପୁରୁଣା ପେନ୍ସନ୍ ସ୍କିମ୍ ଦୀର୍ଘସ୍ଥାୟୀ ନୁହେଁ: ଖର୍ଚ୍ଚ ସାଢ଼େ ଚାରି ଗୁଣା ବଢ଼ିଯିବ – Utkal Mail
ମୁମ୍ବାଇ: ସ୍ବଳ୍ପକାଳୀନ ରାଜନୈତିକ ଲାଭ ପାଇବା ଲାଗି ରାଜସ୍ଥାନ, ଛତିଶଗଡ଼, ଝାଡ଼ଖଣ୍ଡ, ପଞ୍ଜାବ ଓ ହରିୟାଣା ସରକାର ପୁରୁଣା ପେନ୍ସନ୍ ସ୍କିମ୍ (ଓପିଏସ୍) ଲାଗୁ କରିବା ଘୋଷଣା କରିଛନ୍ତି। ଏହି ବ୍ୟବସ୍ଥା ଦୀର୍ଘସ୍ଥାୟୀ ନୁହେଁ ବୋଲି ରିଜର୍ଭ ବ୍ୟାଙ୍କର ବୁଲେଟିନ୍ରେ କୁହାଯାଇଛି। ଯଦି ରାଜ୍ୟଗୁଡ଼ିକ ପୁରୁଣା ପେନ୍ସନ୍ ସ୍କିମ୍ ଲାଗୁ କରିବେ ତେବେ ସେମାନଙ୍କ ବାର୍ଷିକ ପେନ୍ସନ୍ ଖର୍ଚ୍ଚ ୨୦୬୦ ମଧ୍ୟରେ ବାର୍ଷିକ ୦.୬ ପ୍ରତିଶତ ହାରରେ ବଢ଼ିବ। ରାଜ୍ୟମାନଙ୍କୁ ସତର୍କ କରାଇ ଏହି ବୁଲେଟିନ୍ରେ କୁହାଯାଇଛି ଯେ ନୂଆ ପେନ୍ସନ୍ ସ୍କିମ୍ (ଏନ୍ପିଏସ୍) ତୁଳନାରେ ପୁରୁଣା ପେନ୍ସନ୍ ସ୍କିମ୍ରେ ସାଢ଼େ ଚାରି ଗୁଣା ଅଧିକ ରାଶି ଖର୍ଚ୍ଚ କରିବାକୁ ପଡ଼ିବ। ସେହି ବ୍ୟବସ୍ଥା ଦୀର୍ଘସ୍ଥାୟୀ ହେବ ନାହିଁ। ପେନ୍ସନ୍ ବାବଦରେ ଅଧିକ ଖର୍ଚ୍ଚ କଲେ ପୁଞ୍ଜି ବ୍ୟୟ ପାଇଁ ରାଜ୍ୟଗୁଡ଼ିକ ପାଖରେ କମ୍ ପାଣ୍ଠି ରହିବ। ତାହା ବିକାଶମୂଳକ କାର୍ଯ୍ୟ ଓ ସ୍ଥାୟୀ ସମ୍ପତ୍ତି ସୃଷ୍ଟି କରିବା ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିବ। ପୁରୁଣା ପେନ୍ସନ୍ ଲାଗୁ କରିବା ପୁଣି ଥରେ ପଛକୁ ଫେରିବା ଭଳି ଏକ କଥା ବୋଲି ବୁଲେଟିନ୍ରେ କୁହାଯାଉଛି।
ରିଜର୍ଭ ବ୍ୟାଙ୍କ ବୁଲେଟିନ୍ରେ କୁହାଯାଇଛି ଯେ ୨୦୦୪ରେ ନୂଆ ପେନ୍ସନ୍ ବ୍ୟବସ୍ଥା ଲାଗୁ ହେବା ପରେ ୫୦ ଲକ୍ଷ କର୍ମଚାରୀ ସେଥିରେ ସାମିଲ ହୋଇଛନ୍ତି। ସେମାନଙ୍କଠାରୁ ମିଳିଥିବା ଅବଦାନ ରାଶି ଏବେ ଅଢ଼େଇ ଲକ୍ଷ କୋଟି ଟଙ୍କାର ପାଣ୍ଠିରେ ପରିଣତ ହୋଇଛି। ଉତ୍ତରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼ ଓ କର୍ଣ୍ଣାଟକରେ ଏନ୍ପିଏସ୍ ସଦସ୍ୟ ଅଧିକ ରହିଛି। ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ୫ ଲକ୍ଷ ଲେଖାଏଁ ଏନ୍ପିଏସ୍ ସଦସ୍ୟ ରହିଛନ୍ତି। ପ୍ରତିବର୍ଷ ଏନ୍ପିଏସ୍ ସଦସ୍ୟଙ୍କ ସଂଖ୍ୟା ୬% ବଢ଼ୁଥିବା ବେଳେ ଅବସର ନେଉଥିବା ସଦସ୍ୟଙ୍କ ସଂଖ୍ୟା ହେଉଛି ମାତ୍ର ୧ ପ୍ରତିଶତ। ଏନ୍ପିଏସ୍ରେ ଯୋଡ଼ିହୋଇଥିବା ଅଧିକାଂଶ ସଦସ୍ୟଙ୍କ ହାରାହାରି ବୟସ ୩୦-୪୦ ମଧ୍ୟରେ ରହିଛି। ଏହି ରିପୋର୍ଟରେ ଆକଳନ କରାଯାଇଛି ଯେ ୨୦୩୭ ସୁଦ୍ଧା ୨୦ ପ୍ରତିଶତ ଏବଂ ୨୦୫୨ ସୁଦ୍ଧା ୬୦ ପ୍ରତିଶତ ଏନ୍ପିଏସ୍ ସଦସ୍ୟ ଅବସର ଗ୍ରହଣ କରିବେ। ପୁରୁଣା ପେନ୍ସନ୍ ସ୍କିମ୍ ଏକ ବଡ଼ ନିର୍ବାଚନୀ ପ୍ରତିଶ୍ରୁତି ଭାବେ ଉଭା ହୋଇଥିବାରୁ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ସାମ୍ନା କରିବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଏନ୍ପିଏସ୍କୁ ନେଇ ଅର୍ଥ ସଚିବ ଟି ଭି ସୋମନାଥଙ୍କ ନେତୃତ୍ବରେ ଏକ କମିଟି ଗଠନ କରିଛନ୍ତି। ରାଜକୋଷ ଉପରେ ବୋଝ ନହୋଇ ସରକାରୀ କର୍ମଚାରୀମାନଙ୍କ ପାଇଁ ଏନ୍ପିଏସ୍ କିଭଳି ଆକର୍ଷଣୀୟ ହୋଇପାରିବ ତାହାର ବାଟ ଖୋଜିବା ଲାଗି କମିଟିକୁ ଦାୟିତ୍ବ ଦିଆଯାଇଛି।