ବ୍ୟବସାୟ

ତୁର୍କୀ ରାଷ୍ଟ୍ରପତି ଏଲନ୍‌ ମସ୍କଙ୍କୁ ପଚାରିଲେ ‘ଆପଣଙ୍କ ପତ୍ନୀ କେଉଁଠି?’, ସେ ଉତ୍ତର ଦେଲେ… – Utkal Mail


ନ୍ୟୁୟର୍କ: କୋଟିପତି ଏଲନ ମସ୍କ ତାଙ୍କ ପୁଅ ଏକ୍ସଙ୍କୁ କାଖେଇ ତୁର୍କୀ ରାଷ୍ଟ୍ରପତି ତୟିପ୍ ଏର୍ଡୋଗାନଙ୍କ ସହ ଏକ ବୈଠକକୁ ଆସିିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମଜାଦାର କଥାବାର୍ତ୍ତା ହୋଇଥିଲା। ନ୍ୟୁୟର୍କସ୍ଥିତ ତୁର୍କୀ ହାଉସରେ ମସ୍କ ରାଷ୍ଟ୍ରପତି ଏର୍ଡୋଗାନଙ୍କୁ ଭେଟିଥିଲେ। ସାକ୍ଷାତ ସମୟରେ ମସ୍କ ତାଙ୍କ ପୁଅକୁ କୋଳରେ ଧରିଥିବା ବେଳେ ତୁର୍କୀ ରାଷ୍ଟ୍ରପତି ଏକ ଫୁଟ୍‌ବଲ୍‌ ଏକ୍ସଙ୍କୁ ଖେଳିବାକୁ ଦେଇଥିଲେ; ମାତ୍ର ଏକ୍ସ ଏହାକୁ ନେଇ ନଥିଲେ।
ଆଲୋଚନା କାଳରେ ‘ଆପଣଙ୍କ ପତ୍ନୀ କେଉଁଠି ଅଛନ୍ତି?’ ବୋଲି ରାଷ୍ଟ୍ରପତି ଏର୍ଡୋଗାନ୍‌, ମସ୍କଙ୍କୁ ପଚାରିଥିଲେ। ଏହାର ଉତ୍ତରରେ କୋଟିପତି ମସ୍କ କହିଥିଲେ, ‘ଓଃ, ସେ ସାନ୍‌ ଫ୍ରାନ୍‌ସିସ୍କୋରେ ଅଛନ୍ତି। ଆମେ ଏବେ ଅଲଗା ହୋଇଯାଇଛୁ। ସେଥିପାଇଁ ମୁଁ ମୋ ପୁଅର ଯତ୍ନ ନେଉଛି।’

ମସ୍କ କାନାଡାର ଗାୟିକା ଗ୍ରିମ୍‌ସଙ୍କ ସହ ତିନିଟି ସନ୍ତାନର ପିତା ହୋଇଛନ୍ତି। ଏହି ଦମ୍ପତିଙ୍କ ପ୍ରଥମ ସନ୍ତାନ ଏକ୍ସ ଏ୧୨ ମେ ୨୦୨୦ରେ ଜନ୍ମ ହୋଇଥିଲା। ଦୁହିଁଙ୍କର ଏକ୍ସା ଡାର୍କ ସିଡେରେଲ ମସ୍କ ନାମକ ଏକ ଝିଅ ଏବଂ ତୃତୀୟ ସନ୍ତାନ ଟେକ୍ନୋ ମେକାନିକସ ନାମକ ଏକ ପୁଅ ମଧ୍ୟ ଅଛନ୍ତି, ଯାହାକି ଚଳିତ ମାସ ପ୍ରାରମ୍ଭରେ ଜଣା ପଡ଼ିଥିଲା। ତେବେ, ମସ୍କ ଏବଂ ଗ୍ରିମ୍‌ସ କେବେ ବି ବିବାହ କରି ନଥିଲେ, ଯଦିଓ ଟେକ୍‌ ବିଲିୟନେୟାର ମସ୍କ ପୂର୍ବରୁ କାନାଡାର ଲେଖକ ଜଷ୍ଟିନ ଓ୍ଵିଲସନ ଏବଂ ଇଂରାଜୀ ଅଭିନେତା ତାଲୁଲାହ ରିଲେଙ୍କୁ ବିବାହ କରିଥିଲେ।

ନ୍ୟୁୟର୍କସ୍ଥିତ ଜାତିସଂଘ ଭବନ ନିକଟରେ ଥିବା ତୁର୍କୀ ହାଉସ୍‌ରେ ମସ୍କ ଏବଂ ଏର୍ଡୋଗାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ବୈଠକରେ ରାଷ୍ଟ୍ରପତି ଟେସ୍‌ଲାକୁ ତୁର୍କୀରେ ଏହାର ସପ୍ତମ କାରଖାନା ପ୍ରତିଷ୍ଠା କରିବାକୁ ନିମନ୍ତ୍ରଣ ଦେଇଥିଲେ। ଏହି ବୈଠକରେ ଏର୍ଡୋଗାନ୍‌ ଆହୁରି ମଧ୍ୟ କହଥିଲେ ଯେ ତୁର୍କୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ ଏବଂ ଷ୍ଟାରଲିଙ୍କ୍‌ କ୍ଷେତ୍ରରେ ସହଯୋଗ ପାଇଁ ପ୍ରସ୍ତୁତ ଅଛି।

ଅନ୍ୟପକ୍ଷରେ ମସ୍କ ରାଷ୍ଟ୍ରପତି ଏର୍ଡୋଗାନଙ୍କୁ କହିଥିଲେ ଯେ ନୂଆ କାରଖାନା ପ୍ରତିଷ୍ଠା ପାଇଁ ତାଙ୍କ ଦେଶ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତେବେ, ସେ କହିଥିଲେ ଯେ ସ୍ପେସ୍‌-ଏକ୍ସ ତୁର୍କୀରେ ଷ୍ଟାରଲିଙ୍କ ଉପଗ୍ରହ ସେବା ପ୍ରଦାନ କରିବା ପାଇଁ ଆବଶ୍ୟକ ଲାଇସେନ୍‌ସ ପାଇବା ପାଇଁ ତୁର୍କୀ କର୍ତ୍ତୃପକ୍ଷଙ୍କ ସହ କାମ କରିବାକୁ ଚାହୁଁଛି।

ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ଶେଷରେ ଇଜମିରରେ ହେବାକୁ ଥିବା ତୁର୍କୀ ଏରୋସ୍ପେସ୍‌ ଏବଂ ଟେକ୍ନୋଲୋଜି ଫେଷ୍ଟିଭାଲ ‘ଟେକ୍ନୋଫେଷ୍ଟ’ରେ ଯୋଗ ଦେବା ପାଇଁ ଏର୍ଡୋଗାନ୍‌, ମସ୍କଙ୍କୁ ନିମନ୍ତ୍ରଣ କରିଥିଲେ। ମସ୍କ ଖୁସିରେ ଏଥିରେ ଯୋଗଦେବେ ବୋଲି କହିଥିଲେ।




Related Articles

Leave a Reply

Your email address will not be published. Required fields are marked *

Back to top button