ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ମାଗିଲେ ଅନିଲ କପୁର – Utkal Mail
ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅନିଲ କପୁର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେ ଅଦାଲତରେ ଏକ ଆବେଦନ କରିଛନ୍ତି। ଏହି ଆବେଦନରେ ଅନିଲ କପୁର ନିଜର ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ଗୁହାରି କରିଛନ୍ତି। କାରଣ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କ ନାମ ଓ ପରିଚୟକୁ ନେଇ ଅପବ୍ୟବହାର କରାଯାଉଛି। ଯଦ୍ବାରା ତାଙ୍କର ସମାଜରେ ସମ୍ମାନ ହାନୀ ହେଉଛି ଓ ବ୍ୟକ୍ତିତ୍ବ ଉପରେ ବି ଏହାର ଖରାପ ପ୍ରଭାବ ପଡ଼ୁଛି ବୋଲି ଅଭିନେତା ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି।
ଅନିଲ ନିଜ ଆବେଦନରେ ଅଭିଯୋଗ କରି କହିଛନ୍ତି କି, ‘ଭିନ୍ନିଭନ୍ନ ପ୍ଲାଟଫର୍ମରେ ମୋର ନାମ, ସ୍ବର, ଓ ଫଟୋର ଅପବ୍ୟବହାର କରାଯାଉଛି। ଏହା ଆଇନ ସଙ୍ଗତ ନୁହେଁ। ଏତଦ ଦ୍ବାରା ମୋର ବ୍ୟକ୍ତିତ୍ବ ଉପରେ ଖରାପ ପ୍ରଭାବ ପଡ଼ୁଛି। ଏଥିପାଇଁ ମୁଁ ପ୍ରାୟତଃ ଚିନ୍ତାରେ ରହୁଛି। ଦୟାକରି ମୋତେ ନ୍ୟାୟ ଦିଅନ୍ତୁ। ଏସବୁ ଘଟଣା ଉପରେ ଅଙ୍କୁଶ ଲଗାଯାଉ। ମୋର ସମ୍ମାନ ହାନୀ ହେବାକୁ ଦିଅନ୍ତୁ ନାହିଁ। କାରଣ ସମାଜରେ ଭଲ ପରିଚୟ ସୃଷ୍ଟି କରିବାକୁ ହେଲେ ଅନେକ ସମୟ ଲାଗିଥାଏ। ତେଣୁ ମୋର କିଛି ଭୁଲ ନଥାଇ ବି ଅସାମାଜିକ ଲୋକଙ୍କ ପାଇଁ ସମ୍ମାନ ହାନୀ ହେଉଛି।’
ତେବେ ଏସବୁ ଅନିଲ କପୁରଙ୍କ ସହିତ ପ୍ରଥମଥର ଘଟିନାହିଁ। ଏହାପୂର୍ବରୁ ବିଗ ବି ଅମିତାଭ ବଚ୍ଚନଙ୍କ ସହିତ ଏମିତ ଘଟଣା ଘଟି ସାରିଛି। ସେ ବି ଏସବୁ ଉପରେ ଅଙ୍କୁଶ ଲଗାଇବାକୁ କୋର୍ଟରେ ଗୁହାରି କରିଥିଲେ।



