ଲମ୍ବା ଦିଶିବାର ନୂଆ କୌଶଳ! – Utkal Mail

ସମ୍ପ୍ରତି ଚୀନ୍ରେ ମହିଳାମାନେ ନିଜ ଗୋଡ଼କୁ ସୁଦୀର୍ଘ ଦର୍ଶାଇବା ଲାଗି ଏକ ନୂଆ କୌଶଳ ଆପଣେଇଛନ୍ତି। ଏଥିପାଇଁ ଅଧିକାଂଶ ମହିଳା ଏବେ ପେଟରେ କୃତ୍ରିମ ନାଭି ବା ବେଲି ବଟନ୍ ଷ୍ଟିକର ଲଗାଉଛନ୍ତି। ନାଭିର ଭ୍ରମ ସୃଷ୍ଟି କରୁଥିବା ଏହି ଷ୍ଟିକରଗୁଡ଼ିକୁ ସେମାନେ ୦.୭ ଡଲାରରୁ ୧.୪ ଡଲାର ଯାଏ ଦେଇ କିଣୁଛନ୍ତି। ଏହି ଷ୍ଟିକରକୁ ପ୍ରକୃତ ନାଭିର କିଛି ସେ.ମି. ଉପରକୁ ଲଗାଇ ପ୍ରକୃତ ନାଭିକୁ ସ୍କର୍ଟ ବା ପ୍ୟାଣ୍ଟ୍ର କମରପଟି ଦ୍ବାରା ଆବୃତ୍ତ କରିଦିଆଯାଉଛି। ପେଟର ଦୃଶ୍ୟମାନ ଅଂଶରେ କୃତ୍ରିମ ନାଭିଟି ଅସଲି ନାଭି ଭଳି ଦିଶୁଛି। ଫଳରେ ଦେହର ଉପରିଭାଗ ଅପେକ୍ଷାକୃତ ଛୋଟ ଦିଶିବା ସହ ନିମ୍ନ ଭାଗ ଅର୍ଥାତ୍ ଗୋଡ଼ ଦୁଇଟି ଅଧିକ ଲମ୍ବା ଜଣାପଡୁଛି। ବୟସ ନିର୍ବିଶେଷରେ ଚୀନୀ ମହିଳାଙ୍କ ମଧ୍ୟରେ ଏହି ଷ୍ଟିକରଗୁଡ଼ିକର ଚାହିଦା ଏତେ ବଢ଼ିଯାଇଛି ଯେ ଏହାର ନିର୍ମାତା କମ୍ପାନିମାନେ ବଜାରକୁ ପର୍ଯ୍ୟାପ୍ତ ଉତ୍ପାଦ ଯୋଗାଇ ପାରୁନାହାନ୍ତି।
ଚୀନୀ ସାମାଜିକ ଗଣମାଧ୍ୟମରେ ଏହି ଷ୍ଟିକରକୁ କିପରି ପେଟରେ ଲଗାଯିବ, ତାହାର ଭିଡିଓ ଖୁବ୍ ପ୍ରସାରିତ ହେଉଛି। କୃତ୍ରିମ ନାଭିଗୁଡ଼ିକ ଅସଲି ଅପେକ୍ଷା ସୁନ୍ଦର ଦେଖାଯାଉଛି ଓ ଶରୀରର ନିମ୍ନଭାଗକୁ ସୁଦୀର୍ଘ ଦର୍ଶାଇପାରୁଛି ବୋଲି ଅନେକ ବ୍ୟବହାରକାରୀ କହିଛନ୍ତି। କେତେକଙ୍କର ନାଭି ଚର୍ବିଯୁକ୍ତ ଓ ବାହାରକୁ ବାହାରିଥିବାରୁ ତାହା ଆକର୍ଷଣୀୟ ଦେଖାଯାଏନାହିଁ। ତେଣୁ ତାହାକୁ ଲୁଚାଇବା ଲାଗି ମଧ୍ୟ ଅନେକ ମହିଳା କୃତ୍ରିମ ନାଭି ଲଗାଉଛନ୍ତି। ଏହି ଅଭ୍ୟାସକୁ ଚୀନୀ ପାରମ୍ପରିକ ଔଷଧରେ ସମର୍ଥନ କରାଯାଇଛି। ଏହାର କାରଣ ହେଲା ତଳିପେଟକୁ ଉଷ୍ମ ରଖିଲେ ଶରୀରର ସାମଗ୍ରିକ ସ୍ବାସ୍ଥ୍ୟ ଠିକ୍ ରହେ ବୋଲି ଚୀନୀ ପାରମ୍ପରିକ ଚିକିତ୍ସା ଶାସ୍ତ୍ରରେ ଉଲ୍ଲେଖ ରହିଛି। ନକଲି ନାଭିକୁ ଦେଖାଇବା ଲାଗି ଅସଲି ନାଭିକୁ ଉଚ୍ଚ କମରପଟିଯୁକ୍ତ ପୋଷାକ ପରିଧାନ କରି ଲୁଚାଯାଉଥିବାରୁ ତଳିପେଟ ଉଷ୍ମ ରହୁଛି।