କ୍ରାଇମ

ଓଟିପି ସେୟାରିଂ ଆତଙ୍କୀ ଲିଙ୍କ୍‌ ମାମଲା: ଆସାମରୁ ଆଉ ଜଣେ ଗିରଫ – Utkal Mail


ମାସକୁ ରୋଜଗାର ୬୦ହଜାର

ଭୁବନେଶ୍ୱର: ପାକିସ୍ତାନ ପାଇଁ ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଆସାମରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ଆସାମ ନଗାଁଓ ଜିଲ୍ଲା ଗଣ୍ଡୁଆ ପଥରର ମହମ୍ମଦ ଇକବାଲ ହୁସେନ୍‌। ଗିରଫ ପରେ ତାକୁ ନଗାଁଓ କୋର୍ଟରେ ହାଜର କରାଯାଇ ୫ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଅଣାଇଯାଇଛି। ଜେରା ପରେ ଆଜି ତାକୁ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଛି। ଅଧିକ ପଚରା ଉଚରା ପାଇଁ ତାକୁ ଏସ୍‌ଟିଏଫ୍‌ ରିମାଣ୍ଡରେ ଆଣିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ତଦନ୍ତରୁ ଜଣାପଡ଼ିଛି ଯେ, ପୂର୍ବରୁ ଗିରଫ ଅଭିଯୁକ୍ତ ଅଭିଜିତ୍ ଦେଶମୁଖ ଠାରୁ ଆରମ୍ଭ କରି ଅବଦୁଲ ହମିଦ ଓରଫ ଖୁମାର (ପାକିସ୍ତାନ ଇଣ୍ଟେଲିଜେନ୍ସ ଅଫିସର), ପଠାଣୀ, ଜାମ୍ବୁରେ ସହ ସମ୍ପର୍କରେ ଥିଲା। ବିଶେଷ କରି ହମିଦ୍‌କୁ ବହୁ ହ୍ବାଟ୍ସଆପ ଆକାଉଣ୍ଟ୍ ଓଟିପି, ଟ୍ବିଟର,ଫେସ୍‌ବୁକ, ଇନ୍‌ଷ୍ଟା, ଟେଲିଗ୍ରାମ ଆକାଉଣ୍ଟ୍ ଓଟିପି ବିକ୍ରି କରିଥିଲା। ଗତ ଦୁଇବର୍ଷ ମଧ୍ୟରେ ସେ ୫୦୦ରୁ ଅଧିକ ସିମ୍‌ ଓ ୩୭ଟି ମୋବାଇଲ୍‌ ବ୍ୟବହାର କରିଥିବା ଓଟିପି ସେୟାର କରିଥିଲା। ଏଭଳି ଓଟିପି ସେୟାର କରି ସେ ମାସକୁ ୫୦ ହଜାରରୁ ୬୦ହଜାର ପର୍ଯ୍ୟନ୍ତ ଟଙ୍କା ରୋଜଗାର କରୁଥିଲା। କେବଳ ସେ ନୁହଁ, ତା ଗାଁରେ ଅଧିକାଂଶ ଯୁବକମାନେ ଏହି ଓଟିପି ସେୟାରିଂ ବେପାରରେ ସମ୍ପୃକ୍ତ ଅଛନ୍ତି। ସେମାନେ ଓଟିପି ଆକ୍ଟିଭ କରିବା ପରେ ପ୍ରମାଣ ନଷ୍ଟ ପାଇଁ ସିମ୍‌ଗୁଡ଼ିକୁ ନିକଟସ୍ଥ ନଦୀ ବା ପୋଖରୀରେ ଫୋପାଡ଼ି ଦେଉଥିଲେ। ରୢାକେଟ୍‌ର ମୁଖ୍ୟ ଅଭିଯୁକ୍ତ ପଠାଣି ସାମନ୍ତ ଲେଙ୍କା ଓ ତା’ର ସହଯୋଗୀମାନଙ୍କୁ ଏସ୍‌ଟିଏଫ୍ ଗିରଫ କରିବା

ଜାଣିବାପରେ ଇକବାଲ ଫୋନ୍‌ ବନ୍ଦକରି ଲୁଚିଥିଲା। ଦୀର୍ଘଦିନ ଧରି ବେଙ୍ଗାଲୁରରେ ଲୁଚି ରହିବା ପରେ କିଛିଦିନ ତଳେ ନିଜ ଗାଁକୁ ଫେରିଥିଲ। ତା’ ଗତିବିଧି ଉପରେ ତୀକ୍ଷ୍ଣନଜର ରଖିଥିବା ଏସ୍‌ଟିଏଫ୍‌ ଜାଣିବା ପରେ ତୁରନ୍ତ ଏକ ଟିମ୍‌ ସେଠାରେ ପହଞ୍ଚି ସ୍ଥାନୀୟ ପୁଲିସ ସହାୟତାରେ ଚଢ଼ଉ କରି ତା’କୁ ଗିରଫ କରିଥିଲା। ଗାଁରେ ଏଥିରେ ସମ୍ପୃକ୍ତ ଅନ୍ୟ ଯୁବକମାନଙ୍କୁ ଗିରଫ ପାଇଁ ଏସ୍‌ଟିଏଫ୍‌ ଯୋଜନା କରିଛି। ଆହୁରି ଜଣା ପଡ଼ିଛି ଯେ ଦରକାର ପଡ଼ିଲେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏସ୍‌ଆଇଏ), ଆଣ୍ଟି ଟେରୋରିଷ୍ଟ ସ୍କ୍ବାର୍ଡ(ଏଟିଏସ୍‌), ଆଇବି ମଧ୍ୟ ହୁସେନ୍‌କୁ ତଦନ୍ତ ପରିସରଭୂକ୍ତ କରିପାରନ୍ତି।

ଉଲ୍ଲେଖଯୋଗ୍ୟ, ଏହି ରୢାକେଟ୍‌ର୍‌ ଏପର୍ଯ୍ୟନ୍ତ ଏସ୍‌ଟିଏଫ୍‌ ୬ଜଣଙ୍କୁ ଗିରଫକରିଛି। ମେ’ ୧୪ରେ ପ୍ରଥମେ ରୢାକେଟ୍‌ର ମୁଖ୍ୟ ନୟାଗଡ଼ ଇଟାମାଟିର ପଠାଣି ସାମନ୍ତ ଲେଙ୍କା, ଆଇଟିଆଇ କଲେଜ ଅଞ୍ଚଳର ସରୋଜ କୁମାର ନାୟକ ଓ ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୌମ୍ୟ ପଟ୍ଟନାୟକକୁ ଗିରଫ କରିବା ପରେ ଏହାର ଆତଙ୍କୀ ଲିଙ୍କ୍‌ ଗୁମର ପଦାକୁ ଆସିଥିଲା। ଏହାପରେ ପୁଲିସ ଜୁନ୍‌ ୮ରେ ନୟାଗଡ଼ର ପ୍ରଦ୍ୟୁମ୍ନ ସାହୁ ଓ ଜୁନ୍‌୨୧ରେ ଯାଜପୁର ଜିଲ୍ଲା ବରି ଅଞ୍ଚଳର ପ୍ରୀତମ କରକୁ ଗିରଫ କରିଥିଲା। ସେହିପରି ଜୁନ୍‌ ୨୯ ତାରିଖରେ ମହାରାଷ୍ଟ୍ରରୁ ଅଭିଜିତ୍‌ ସଞ୍ଜୟ ଜାମ୍ବୁରେକୁ ଗିରଫ କରାଯାଇଥିଲା। ପରେ ସେମାନଙ୍କୁ ରିମାଣ୍ଡରେ ଆଣି ମାରାଥନ ଜେରା କରିବାପରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ଜଣା ପଡ଼ିଥିଲା।




Related Articles

Leave a Reply

Your email address will not be published. Required fields are marked *

Back to top button