ଇଣ୍ଟରନେଟରୁ ସୂଚନା ଆଣି ଏତେ ବଡ଼ ଦାବି କରୁଛନ୍ତି ଜଷ୍ଟିନ ଟ୍ରୁଡୋ : କାନାଡା ସାଂସଦ – Utkal Mail
ଓଟାଓ୍ବା: କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ପ୍ରିମିୟର (ଆମର ସାଂସଦ ପରି) ଡେଭିଡ୍ ଆବି ଶୁକ୍ରବାର କହିଛନ୍ତି ଯେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରର ହତ୍ୟା ସମ୍ପର୍କିତ ଯେଉଁ ସୂଚନା ଇଣ୍ଟରନେଟରେ ଉପଲବ୍ଧ ଅଛି, ତାହାକୁ ଭିତ୍ତିକରି ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏତେବଡ଼ ଦାବି କରୁଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଆବି କହିଛନ୍ତି ଯେ ନିଜାରଙ୍କ ହତ୍ୟା ବିଷୟରେ ସେ ଯାହା କିଛି ଜାଣିଥିଲେ ତାହା ପୂର୍ବରୁ ହିଁ ସମସ୍ତଙ୍କୁ ଜଣାଥିଲା । କିନ୍ତୁ ନିଜାରର ହତ୍ୟା ସଂପର୍କିତ ପ୍ରକୃତ ତଥ୍ୟ କାନାଡା ସରକାର ଲୁଚାଉଛନ୍ତି ।
କାନାଡା ସିକ୍ୟୁରିଟି ଇଣ୍ଟେଲିଜେନ୍ସ ସର୍ଭିସ (ସିଏସ୍ଆଇଏସ୍) ପକ୍ଷରୁ ମୋତେ ଏକମାତ୍ର ବ୍ରିଫିଂ ମିଳିଛି, ତାହା ହେଉଛି ଓପନ୍ ସୋର୍ସ ବ୍ରିଫିଂ। ଏହା ହେଉଛି ଇଣ୍ଟରନେଟରେ ଉପଲବ୍ଧ ସୂଚନା, ଯାହା ମୋତେ ନିରାଶ କରିଛି ବୋଲି ଆବି କହିଛନ୍ତି ।
ସିବିସି ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଏବି ଆହୁରି ମଧ୍ୟ କହିଛନ୍ତି ଯେ ସେ ଦୃଢ଼ ଭାବରେ ସନ୍ଦେହ କରୁଛନ୍ତି ଯେ ଜଷ୍ଟିନ ଟ୍ରୁଡୋଙ୍କ ନେତୃତ୍ୱାଧୀନ ସରକାର ଖଲିସ୍ତାନୀ ଆତଙ୍କବାଦୀ ନିଜାରଙ୍କ ହତ୍ୟା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଲୁଚାଉଛନ୍ତି । ବ୍ରିଟିଶ କଲମ୍ବିଆର ପ୍ରିମିୟର ଆହୁରି ମଧ୍ୟ କହିଛନ୍ତି ଯେ କାନାଡାର ପ୍ରଧାନମନ୍ତ୍ରୀ ଟ୍ରୁଡୋ ତାଙ୍କ ସହ ଯୋଗାଯୋଗ କରିଥିଲେ, ଯାହା ପରେ ଟ୍ରୁଡୋ ତାଙ୍କୁ ସଂସଦରେ ହେବାକୁ ଯାଉଥିବା ଅଭିଯୋଗ ବିଷୟରେ ଅବଗତ କରାଇଥିଲେ । ଏବି କହିଛନ୍ତି ଯେ ଆମକୁ ଗୁରୁତ୍ବପୂର୍ଣ୍ଣ ସୂଚନା ସେୟାର କରାଯାଇନାହିଁ। କାନାଡା ସରକାର ନିଶ୍ଚିତ କରିବା ଦରକାର ଯେ ବ୍ରିଟିଶ କଲମ୍ବିଆ ପ୍ରଦେଶର ବାସିନ୍ଦାଙ୍କୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ଆବଶ୍ୟକ ସୂଚନା ଦିଆଯାଉ ।



