ଫଟା ଟାୟାର ସଜାଡ଼ୁଥିବା ଯୁବକ ହେଲେ ସିଭିଲ ଜଜ୍ – Utkal Mail
ପ୍ରୟାଗରାଜ: ଉତ୍ତରପ୍ରଦେଶ ପ୍ରୟାଗରାଜର ଜଣେ ୨୬ ବର୍ଷୀୟ ଯୁବକ ଅହଦ ଅହମଦ ସିଭିଲ ଜଜ୍ ହେବାକୁ ଯାଉଛନ୍ତି, ଯିଏ ବାପାଙ୍କୁ ତାଙ୍କ ସାଇକେଲ ମରାମତି ଦୋକାନରେ ସାହାଯ୍ୟ କରୁଥିଲେ। ଅହଦଙ୍କ ବାପା ୫୦ ବର୍ଷୀୟ ଶେହଜାଦ ଅହମଦଙ୍କର ଗୋଟିଏ ସାଇକେଲ ମରାମତି ଦୋକାନ ଅଛି ଏବଂ ତାଙ୍କ ମାଆ ୪୭ ବର୍ଷୀୟା ଆଫସାନା ବେଗମ ସାଇପଡ଼ିଶାଙ୍କ ଲୁଗା ସିଲେଇ କରି ଗୁଜୁରାଣ ମେଣ୍ଟାନ୍ତି। ପ୍ରୟାଗରାଜ ଶୃଙ୍ଗବେରପୁର ବ୍ଲକ୍ ଅନ୍ତର୍ଗତ ବରାଇ ହରାଖ ଗାଁ ନିବାସୀ ଅହଦଙ୍କ ଜୀବନର ମୋଡ଼ ବଦଳିଯାଇଛି। ପୁଅ ପାଇଁ ଗର୍ବ ଅନୁଭବ କରୁଛନ୍ତି ଶେହଜାଦ ଓ ଆଫସନା। ଦାରିଦ୍ର୍ୟ ଓ ଅନଟନ ସତ୍ତ୍ବେ ଅହଦ ପାଠପଢ଼ି ପ୍ରଥମେ ଓକିଲ ହେଲେ ଏବଂ ତା’ପରେ ପ୍ରୋଭିନ୍ସିଆଲ ସିଭିଲ ସର୍ଭିସେସ୍ (ଜୁଡ଼ିସିଆଲ) ପରୀକ୍ଷାରେ କୃତକାର୍ଯ୍ୟ ହେଲେ। ଆସନ୍ତା ଡିସେମ୍ବରରୁ ଆରମ୍ଭ ହେଉଥିବା ବର୍ଷିକିଆ ଟ୍ରେନିଂ ପରେ ସେ ଜଣେ ସିଭିଲ ଜଜ୍ (ଜୁନିୟର ଡିଭିଜନ) ହେବେ।
ଶିକ୍ଷା କିପରି ଜୀବନକୁ ବଦଳାଇଦେଇପାରେ ତାହାର ଉଦାହରଣ ହେଉଛି ଅହମଦଙ୍କ ପରିବାର। ତାଙ୍କର ବଡ଼ପୁଅ ତଥା ଅହଦଙ୍କ ବଡ଼ଭାଇ ସମଦ (୩୦) ଜଣେ ସଫ୍ଟୱେର ଇଂଜିନିୟର। ତାଙ୍କ ସାନ ପୁଅ ୱାଜହତ (୨୪) ଏକ ପ୍ରାଇଭେଟ ବ୍ୟାଙ୍କର ମ୍ୟାନେଜର। ଅହଦ ହେଉଛନ୍ତି ମଝିଆ। ୨୦୧୯ରେ ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ଇଣ୍ଟିଗ୍ରେଟେଡ ଲ କୋର୍ସ କରିବା ପରେ ସେ ଆହ୍ଲାବାଦ ହାଇକୋର୍ଟରେ କନିଷ୍ଠ ଓକିଲ ଭାବେ କାମ କରୁଥିଲେ। ଲକ୍ଡାଉନ ସମୟରୁ ବିଚାରପତି ପରୀକ୍ଷା ପାଇଁ ସେ ପ୍ରସ୍ତୁତି ଚଳାଉଥିଲେ। ମାଗଣା ଅନଲାଇନ କୋଚିଂର ସେ ସାହାଯ୍ୟ ନେଉଥିଲେ। ୩୦୩ ପଦବି ଭିତରୁ ୧୫୭ ରୢାଙ୍କ ସହ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଅହଦ।