କୁଆଡ଼େ ଗଲା ୨୪,୦୦୦ କୋଟିର ନୋଟ୍? ୨୦୦୦ ଟଙ୍କିଆ ଫେରାଇବାକୁ ଆଉ ୫ ଦିନ ବାକି – Utkal Mail
ନୂଆଦିଲ୍ଲୀ: ଦୁଇ ହଜାର ଟଙ୍କିଆ ନୋଟ୍ ଫେରାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ମହଲତ ଦେଇଥିଲା ତାହା ଆଉ ପାଞ୍ଚ ଦିନ ପରେ ଶେଷ ହୋଇଯିବ। ଚଳିତ ମାସ ୩୦ ପର୍ଯ୍ୟନ୍ତ ନୋଟ୍ ଫେରାଇବାର ସୁଯୋଗ ରହିଛି। ଲୋକମାନେ ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ୍ ଜମା କରିପାରିବେ, ଅନ୍ୟଥା ବଦଳାଇପାରିବେ। ୨୪,୦୦୦ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ଏବେ ବି ଲୋକମାନଙ୍କ ପାଖରେ ଓ ବଜାରରେ ରହିଛି। ସେଗୁଡ଼ିକୁ ଫେରାଇବା ଲାଗି ଚଳିତ ସପ୍ତାହ ହେଉଛି ଶେଷ ସୁଯୋଗ।
ଚଳିତ ବର୍ଷ ମେ’ ୧୯ରେ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ଘୋଷଣା କରାଯାଇଥିଲା। ସେହି ମାସ ୨୩ରୁ ନୋଟ୍ ଜମା ଓ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନୋଟ୍ ଫେରାଇବାକୁ ଲୋକମାନଙ୍କୁ ଚାରି ମାସର ସମୟ ଦିଆଯାଇଥିଲା ଯାହା ଚଳିତ ମାସ ଶେଷ ହେବ। ଚଳିତ ବର୍ଷ ମେ’ରେ ବଜାରରେ ୩.୫୬ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ଥିଲା। ସେଥିମଧ୍ୟରୁ ଅଧିକାଂଶ ନୋଟ୍ ବ୍ୟାଙ୍କ ପାଖକୁ ଫେରିଆସିଛି। ଚଳିତ ମାସ ଶେଷ ହେବା ପରେ ୨୦୦୦ ଟଙ୍କିଆ ନୋଟ୍ ଲିଗାଲ ଟେଣ୍ଡର ହୋଇରହିବ। କିନ୍ତୁ ତାହାକୁ ନେଇ କେହି କାରବାର କରିପାରିବେ ନାହିଁ। କେବଳ ତାହାକୁ ରିଜର୍ଭ ବ୍ୟାଙ୍କରେ ଫେରାଇପାରିବେ। କାହିଁକି ନିର୍ଧାରିତ ସମୟରେ ନୋଟ୍ ଜମା କରିପାରିଲେ ନାହିଁ ତାହାର କାରଣ ଜମାକାରୀଙ୍କୁ ଜଣାଇବାକୁ ପଡ଼ିବ।
୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୁଣା ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆକୁ ନିଷିଦ୍ଧ କରିବା ପରେ ବଜାରରେ ଯେଉଁ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଥିଲା ତାହାକୁ ଶୀଘ୍ର ଭରଣା କରିବା ଲାଗି ୨୦୦୦ ଟଙ୍କିଆ ନୋଟ୍ ଅଣାଯାଇଥିଲା। ପ୍ରାରମ୍ଭିକ କିଛି ବର୍ଷ ପରେ ଏହି ଗୋଲାପୀ ରଙ୍ଗର ନୋଟ୍ ଏଟିଏମ୍ରୁ ଉଭାନ ହେବା ଆରମ୍ଭ ହୋଇଥିଲା। କିଛିଦିନ ପରେ ବଜାରରେ ମଧ୍ୟ ତାହାକୁ ଦେଖିବାକୁ ମିଳିନଥିଲା। ବେଆଇନ ନଗଦ ଗଚ୍ଛିତ ରଖିବାରେ ୨୦୦୦ ଟଙ୍କିଆ ନୋଟ୍ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଥିଲା।