ନୀତି

ଏକକାଳୀନ ୧୬ଟି ଚାକିରି ! ବର୍ଷ ବର୍ଷ ଧରି ସବୁଠାରୁ ଦରମା ବି ନେଉଥିଲେ… – Utkal Mail


ଚୀନ୍‌ର ଜଣେ ମହିଳା ଏକକାଳୀନ ୧୬ଟି କମ୍ପାନିରେ ନିଯୁକ୍ତି ପାଇଥିବା ଜଣାପଡ଼ିବା ପରେ ସେ ଏବେ ଠକେଇ ଅଭିଯୋଗରେ ଜେଲ୍‌ରେ। ତେବେ ସବୁଠୁ ରୋଚକ କଥାଟି ହେଲା, ତାଙ୍କୁ କେହି କେବେ ବି କୌଣସି କର୍ମସ୍ଥଳରେ ଦେଖିନାହାନ୍ତି। ଅର୍ଥାତ୍‌ ଅତିଶୟ ଚାଲାକି କରି ସେ ଷୋଳ ଷୋଳଟି ପଦବି ହାତେଇଥିଲେ ବି କୌଣସି ଗୋଟିକରେ ସୁଦ୍ଧା ଆଦୌ କାମ କରିନାହାନ୍ତି। ଚୀନୀ ଗଣମାଧ୍ୟମରେ ଗୁଆନ୍‌ ୟୁଏ (ଛଦ୍ମନାମ) ଭାବରେ ପରିଚିତ ଏହି ମହିଳା ଜଣକ ଦୀର୍ଘ ତିନି ବର୍ଷ ଧରି ଡଜନେରୁ ଅଧିକ ନିଯୁକ୍ତିଦାତାଙ୍କୁ ଭୁଆଁ ବୁଲାଇ ଚାଲିଥିଲେ। କାହା ପାଇଁ ବି ସେ ଦିନଟିଏ ସୁଦ୍ଧା କାମ ନକରି ମାସକୁ ମାସ ସମସ୍ତ ନିଯୁକ୍ତିର ବେତନ ହାତେଇ ଚାଲିଥିଲେ। ସେ ଓ ତାଙ୍କ ସ୍ବାମୀ ପ୍ରତ୍ୟେକ ନିଯୁକ୍ତିଦାତାଙ୍କ ଉପରେ କଡ଼ା ନଜର ରଖୁଥିଲେ।

ଗୁଆନ୍‌ ସବୁବେଳେ ନୂଆ ଚାକିରି ଅନ୍ବେଷଣରେ ରହୁଥିଲେ ଏବଂ ସାକ୍ଷାତକାରକୁ ଯିବା ସମୟରେ ତାହାର ଫଟୋ ଉଠାଇ ତାହାକୁ ଗ୍ରାହକଙ୍କ ସହ ସେ ସାକ୍ଷାତକାର କରୁଥିବାର ପ୍ରମାଣ ଭାବେ ଅନ୍ୟ ନିଯୁକ୍ତିଦାତାଙ୍କ ପାଖକୁ ପଠାଇ ଦେଉଥିଲେ। ତାଙ୍କର ଏହି ଠକାମି ବର୍ଷ ବର୍ଷ ଧରି ଏତେ ନିର୍ଭୁଲ ଭାବରେ ଚାଲିଥିଲା ଯେ, ସେ ଚାକିରିରୁ ପ୍ରଚୁର ଆୟ କରି ସାଂଘାଇରେ ଏକ ବିଳାସପୂର୍ଣ୍ଣ ବାସଭବନ କିଣିଥିଲେ। ତେବେ ଗତ ଜାନୁଆରିରେ ତାଙ୍କ ଭାଗ୍ୟରେ ଭଟ୍ଟା ଆସିଗଲା। ଏକ ଅନ୍‌ଲାଇନ୍‌ ସେବା କମ୍ପାନିରେ ଗୁଆନ୍‌ଙ୍କ ସମେତ ଅନ୍ୟ ୭ ଜଣ ସହଯୋଗୀ ସେମାନଙ୍କ ତିନିମାସର ତାଲିମ ସମୟରେ କୌଣସି ସୁଫଳ ଦେଇନଥିବାରୁ ନିଯୁକ୍ତିଦାତା ବିଗିଡ଼ିଯାଇଥିଲେ। ଏଥିରେ ପ୍ରତିକ୍ରିୟା ଦେଖାଇ ଗୁଆନ୍ ନିଜର ଇସ୍ତଫାପତ୍ର ଅନ୍‌ଲାଇନରେ ପଠାଇଦେଇଥିଲେ। ତେବେ ତାଙ୍କ ଏହି ଇସ୍ତଫାପତ୍ରକୁ ତାଙ୍କର ଜଣେ ପୂର୍ବ ନିଯୁକ୍ତିଦାତା ଦେଖି ତାଙ୍କ ଉପରେ ସନ୍ଦେହ ପ୍ରକଟ କରିଥିଲେ। ଖୋଳତାଡ଼ ପରେ ଗୁଆନ୍‌ଙ୍କ କାରନାମା ଧରାପଡ଼ିଥିଲା। ଶେଷରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଏପରିକି ଗିରଫ ବେଳେ ଗୁଆନ୍‌ ଆଉ ଏକ ନୂତନ କମ୍ପାନି ପାଇଁ ମଧ୍ୟ ସାକ୍ଷାତକାର ଦେଉଥିବା ଜଣାପଡ଼ିଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button