ଜି-୨୦ କାର୍ଯ୍ୟକ୍ରମରେ ଦେଢ଼ କୋଟି ଲୋକ ସାମିଲ: ପିକେ ମିଶ୍ର – Utkal Mail
ନୂଆଦିଲ୍ଲୀ: ଦିଲ୍ଲୀର ଭାରତ ମଣ୍ଡପମ୍ରେ ଆୟୋଜିତ ଜି-୨୦ ୟୁନିଭର୍ସିଟି କନେକ୍ଟ ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପିକେ ମିଶ୍ର ଯୋଗ ଦେଇ କହିଛନ୍ତି ଯେ ଭାରତର ଜି-୨୦ ଅଧ୍ୟକ୍ଷତାରେ ଜନ ଭାଗିଦାରୀ ଉପରେ ଗୁରୁତ୍ବ ଦିଆଯାଇଛି। ଦେଢ଼ କୋଟିରୁ ଅଧିକ ନାଗରିକ ସିଧାସଳଖ ଜି-୨୦ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ସଚେତନତା ଶୋଭାଯାତ୍ରା, ସ୍ମାରକୀ ସହ ସେଲ୍ଫି, ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତା, କର୍ମଶାଳ, ମାରାଥନ୍, ସ୍ବଚ୍ଛତା ଅଭିଯାନ, ଯୁବା ସମ୍ବାଦ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଜି-୨୦ର ଉଦ୍ଦେଶ୍ୟକୁ ଅନ୍ତିମ ସୋପାନ ପର୍ଯ୍ୟନ୍ତ ନିଆଯାଇଛି। ଶ୍ରୀ ମିଶ୍ର କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଥିଲା ଯେ ଜି-୨୦ ଏକ ସର୍ବଭାରତୀୟ କାର୍ଯ୍ୟକ୍ରମ ହେବା ଉଚିତ୍ ଏବଂ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକ୍ରମ ଆୟୋଜନ କରାଯିବା ଆବଶ୍ୟକ।
ସେଥିପାଇଁ ଜି-୨୦କୁ ବିକେନ୍ଦ୍ରୀକୃତ, ସାର୍ବଜନୀନ ଏବଂ ଦେଶର କୋଣ ଅନୁକୋଣକୁ ନିଆଯାଇଥିଲା। ଫଳରେ ପ୍ରତ୍ୟେକ ରାଜ୍ୟ ଅନ୍ତର୍ଜାତୀୟ ପ୍ରତିନିଧିମାନଙ୍କ ମନରେ ନିଜର ଅନନ୍ୟ ସାଂସ୍କୃତିକ ଛାପ ଛାଡ଼ି ବିଶ୍ବକୁ ବିବିଧତା ବିଷୟରେ ଏକ ଧାରଣା ଦେଇଛନ୍ତି। ଭାରତର ଜି-୨୦ ଅଧ୍ୟକ୍ଷତାର ଏକ ପ୍ରମୁଖ ପ୍ରାଥମିକତା ହେଉଛି ଏକ ଅଧିକ ସମାବେଶୀ ବିଶ୍ବ ସୃଷ୍ଟି କରିବା, ଯେଉଁଠାରେ ଦକ୍ଷିଣ ବିଶ୍ବର ସ୍ବରକୁ ଆଉ ଅଣଦେଖା କରାଯିବ ନାହିଁ। ଏ ଦିଗରେ ସବୁଠାରୁ ବଡ଼ ସଫଳତା ହେଉଛି ଜି-୨୦ର ସ୍ଥାୟୀ ସଦସ୍ୟ ଭାବେ ଆଫ୍ରିକୀୟ ସଂଘକୁ ସ୍ବାଗତ କରିବା ପାଇଁ ଭାରତର ପ୍ରସ୍ତାବକୁ ଗ୍ରହଣ କରିବା। ଜି-୨୦ ଅଧ୍ୟକ୍ଷତା ଯୁବପିଢ଼ିଙ୍କ ପାଇଁ ନୂଆ ଦିଗ ଖୋଲିବ। ତାହାର ସଦୁପଯୋଗ କରିବାକୁ ସେ ଯୁବବର୍ଗଙ୍କୁ ଆହ୍ବାନ ଦେଇଛନ୍ତି।