ଯୁବରାଜଙ୍କ ୧୬ ବର୍ଷର କୀର୍ତ୍ତିମାନ ଭାଙ୍ଗିଲା: ୯ ବଲ୍ରୁ ଅର୍ଦ୍ଧଶତକ କଲେ ଦୀପେନ୍ଦ୍ର – Utkal Mail
୩୦୦ ରନ୍ କରିବାରେ ନେପାଳ ପ୍ରଥମ
ହାଙ୍ଗଝୌ: ଯୁବରାଜ ସିଂହଙ୍କ ୧୬ ବର୍ଷର କୀର୍ତ୍ତିମାନ ଭାଙ୍ଗିଛି। ଟ୍ବେଣ୍ଟି-୨୦ ବିଶ୍ବକପ୍ର ପ୍ରଥମ ସଂସ୍କରଣରେ ଇଂଲଣ୍ଡ ବିପକ୍ଷରେ ମାତ୍ର ୧୨ ବଲ୍ରୁ ଅର୍ଦ୍ଧଶତକ ପୂରଣ କରି ଯୁବରାଜ ଦ୍ରୁତତମ ଖେଳାଳି ହୋଇଥିଲେ। କିନ୍ତୁ ଏହି କୀର୍ତ୍ତିମାନକୁ ନେପାଳର ଦୀପେନ୍ଦ୍ର ସିଂହ ଆଇରି ଭାଙ୍ଗିଛନ୍ତି। ଚୀନ୍ରେ ଚାଲିଥିବା ଏସୀୟ କ୍ରୀଡ଼ାରେ ମଙ୍ଗୋଲିଆ ବିପକ୍ଷରେ ଦୀପେନ୍ଦ୍ର ୯ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। କେବଳ ଦୀପେନ୍ଦ୍ର ନୁହଁନ୍ତି, ନେପାଳ ମଧ୍ୟ ଟ୍ବେଣ୍ଟି-୨୦ର ଗୋଟିଏ ପାଳିରେ ସର୍ବାଧିକ ରନ୍ କରି ଆଉ ଏକ କୀର୍ତ୍ତିମାନ କରିଛି। ପ୍ରଥମ ଦଳ ଭାବେ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ରେ ନେପାଳ ୩୦୦ ରନ୍ ଅତିକ୍ରମ କରିଥିଲା। ପୂର୍ବରୁ ଏହି କୀର୍ତ୍ତିମାନ ଆଫଗାନିସ୍ଥାନ (୨୭୮/୩ ବନାମ ଆୟର୍ଲାଣ୍ଡ) ନାମରେ ରହିଥିଲା।
ପିଙ୍ଗଫେଙ୍ଗ କ୍ୟାମ୍ପସ୍ କ୍ରିକେଟ୍ ପଡ଼ିଆରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଦୀପେନ୍ଦ୍ର ୧୦ ବଲ୍ରୁ ୫୨* ରନ୍ ସଂଗ୍ରହ କରିଥିଲା ବେଳେ ଅନ୍ୟତମ ବ୍ୟାଟର କୁଶାଲ ମଲ୍ଲ ଧୂଆଁଧାର ବ୍ୟାଟିଂ କରି ୩୪ ବଲ୍ରେ ଶତକ ପୂରଣ କରିଥିଲେ। ଏହାଫଳରେ ସେ ରୋହିତ ଶର୍ମା ଓ ଡେଭିଡ୍ ମିଲରଙ୍କୁ ମଧ୍ୟ ପଛରେ ପକାଇ ଦେଇଥିଲେ। ମଲ୍ଲ ୫୦ ବଲ୍ରୁ ୧୩୭* ରନ୍ (୮ଚୌକା, ୧୨ ଛକା) କରି ଦୀପେନ୍ଦ୍ରଙ୍କ ସହ ଅପରାଜିତ ଥିଲେ। ଦୀପେନ୍ଦ୍ର ମଧ୍ୟ ସର୍ବାଧିକ ଷ୍ଟ୍ରାଇକ୍ରେଟ୍ (୫୨୦.୦୦) କୀର୍ତ୍ତିମାନ ନିଜ ନାମରେ କରିଥିଲେ। ନେପାଳ ୩୧୪/୩ କରିଥିଲା ବେଳେ ଏହା ଜବାବରେ ମଙ୍ଗୋଲିଆ ୪୧ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା।


