ପାକିସ୍ତାନର ବଲୋଚିସ୍ତାନରେ ପ୍ରଚଣ୍ଡ ବିସ୍ଫୋରଣ: ୩୪ ମୃତ, ୧୦୦ରୁ ଅଧିକ ଆହତ – Utkal Mail
କରାଚୀ: ଆଜି ପାକିସ୍ତାନର ବଲୋଚିସ୍ତାନ ପ୍ରଦେଶରେ ପ୍ରଚଣ୍ଡ ବିସ୍ଫୋରଣ ଘଟି ଅନ୍ୟୂନ ୩୪ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୧୦୦ରୁ ଅଧିକ ଆହତ ହୋଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ରିପୋର୍ଟରେ ଉଲ୍ଲେଖ ଅଛି, ଏହି ବିସ୍ଫୋରଣ ଘଟଣାରେ ନିହତ ଲୋକମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଡେପୁଟି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍।
ବଲୋଚିସ୍ତାନର ମସ୍ତୁଙ୍ଗ୍ ଜିଲ୍ଲାରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳନ ନିମନ୍ତେ ଜନସମାଗମ ହୋଇଥିବା ବେଳେ ଏକ ମସ୍ଜିଦ୍ ନିକଟରେ ଏହି ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣକୁ ମସ୍ତୁଙ୍ଗ୍ ସହକାରୀ କମିସନର୍ ଅତ୍ତା ଉଲ୍ ମୁନିମ୍ ‘ପ୍ରଚଣ୍ଡ’ ବୋଲି ଅଭିହିତ କରିଛନ୍ତି।
ଜିଲ୍ଲା ପ୍ରଶାସନ ମଧ୍ୟ କହିଛି ଯେ, ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମସ୍ତୁଙ୍ଗ୍ର ‘ଡିଏସ୍ପି’ ନୱାଜ୍ ଗଶ୍କୋରି। ଆହତ ଲୋକମାନଙ୍କୁ ଆଖପାଖରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି।
ଏହି ବିସ୍ଫୋରଣ ପାଇଁ ଦାୟୀ ବୋଲି ଏଯାବତ୍ କେହି ଦାବି କରିନାହାନ୍ତି। ଏଥିରେ ସମ୍ପୃକ୍ତି ଥିବା କଥାକୁ ‘ଦି ପାକିସ୍ତାନି ତାଲିବାନ୍’ ଜାରି କରିଥିବା ବିବୃତିରେ ଅସ୍ବୀକାର କରିଛି।
ସେପ୍ଟେମ୍ବର ମାସରେ ଏହା ହେଉଛି ମସ୍ତୁଙ୍ଗ୍ ଜିଲାରେ ଦ୍ବିତୀୟ ପ୍ରମୁଖ ବିସ୍ଫୋରଣ। ଚଳିତ ମାସ ପ୍ରାରମ୍ଭରେ ଘଟିଥିବା ଅନ୍ୟ ଏକ ବିସ୍ଫୋରଣରେ ‘ଜମୈତ୍ ଉଲେମା-ଏ-ଇସ୍ଲାମ୍ ଫଜଲ୍’ର ନେତା ହାଫିଜ୍ ହାମଦୁଲ୍ଲାଙ୍କ ସମେତ ଅନେକ ଲୋକ ଆହତ ହୋଇଥିଲେ।