ଦେଶ ବିଦେଶ

ପୁଲିସ କାର୍ଯ୍ୟାନୁଷ୍ଠାନରେ ୯ ଚାଷୀ ଆହତ: ପଦଯାତ୍ରା ଦିନକ ପାଇଁ ସ୍ଥଗିତ

ନୂଆଦିଲ୍ଲୀ: ପଞ୍ଜାବ ଚାଷୀଙ୍କ ଦିଲ୍ଲୀ ପଦଯାତ୍ରା ଅଭିଯାନକୁ ଆଜି ପୁଲିସ ଶମ୍ଭୁ ସୀମାରେ ପୁଣି ଅଟକାଇଛି। ଚାଷୀମାନେ କୌଣସି କଟକଣା ନ ମାନି ଆଗକୁ ବଢ଼ିବାରୁ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ଚାଷୀଙ୍କୁ ଘଉଡ଼ାଇବା ପାଇଁ ଲୁହବୁହା ଗ୍ୟାସ ଓ ପାଣି ମାଡ଼ କରାଯିବାରୁ ୯ ଜଣ ଚାଷୀ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରେ ଜଣେ ଗୁରୁତର ଥିବା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସପି) ପାଇଁ ଆଇନଗତ ଗ୍ୟାରେଣ୍ଟି ଏବଂ ଅନ୍ୟାନ୍ୟ ଦାବିରେ ଆଜି ୧୦୧ ଜଣ କୃଷକଙ୍କ ଏକ ଗୋଷ୍ଠୀ ପଞ୍ଜାବ-ହରିୟାଣା ସୀମାରେ ଥିବା ଶମ୍ଭୁ ଆନ୍ଦୋଳନ ସ୍ଥଳରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ। ତେବେ ପୁଲିସ କାର୍ଯ୍ୟାନୁଷ୍ଠାନ ପରେ ଚାଷୀମାନେ ପଦଯାତ୍ରା ଦିନକ ପାଇଁ ସ୍ଥଗିତ ରଖିଛନ୍ତି ଏବଂ ଆସନ୍ତାକାଲି ଏକ ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି ଜଣାପଡ଼ିଛି।

କୃଷକ ନେତା ସରୱାନ ସିଂହ ପାନ୍ଦେର କହିଛନ୍ତି, ‘ଆଜି ପୁଲିସ କାର୍ଯ୍ୟାନୁଷ୍ଠାନ ପରେ ଆମେ ପଦଯାତ୍ରା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛୁ। ଜଣେ ଆହତ ଚାଷୀଙ୍କୁ ଚଣ୍ଡିଗଡ଼ ପିଜିଆଇରେ ଭର୍ତ୍ତି କରାଯାଇଛି। ତେଣୁ ଆମେ ଦିଲ୍ଲୀ ଅଭିଯାନ ପ୍ରତ୍ୟାହାର କରିଛୁ। ଆସନ୍ତାକାଲି ବୈଠକ ପରେ ଆମେ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ କହିବୁ।’ ଅନ୍ୟପକ୍ଷରେ ଯେଉଁ ଚାଷୀମାନେ ପଦଯାତ୍ରା ଗୋଷ୍ଠୀରେ ଥିବା ନେଇ ପୁଲିସକୁ ପ୍ରଥମେ ସୂଚନା ଦିଆଯାଇଥିଲା, ତାହାକୁ ପରବର୍ତ୍ତୀ ସମୟରେ ବଦଳାଇ ଅନ୍ୟ ବ୍ୟକ୍ତିମାନଙ୍କୁ ଏଥିରେ ସାମିଲ କରାଯାଇଥିବା ପୁଲିସ କହିଛି। ପୁଲିସ କିଛି ଚାଷୀଙ୍କ ପରିଚୟପତ୍ର ଯାଞ୍ଚ କରିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପରିଚୟ ଯାଞ୍ଚ ପରେ ହିଁ କୃଷକମାନଙ୍କୁ ଆଗକୁ ବଢ଼ିବାକୁ ଅନୁମତି ଦିଆଯିବ ବୋଲି ପୁଲିସ କହିବା ପରେ ଚାଷୀମାନେ ଏହାର ଜୋର୍‌ଦାର ବିରୋଧ କରିଥିଲେ। ଚାଷୀଙ୍କ ନାମରେ ଅଜଣା ଲୋକଙ୍କ ଭିଡ଼କୁ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପୁଲିସ କହିଛି।

ଆଜି ହରିୟାଣା ପୁଲିସ ଚାଷୀଙ୍କ ଉପରେ ଫୁଲ ପାଖୁଡ଼ା ବର୍ଷା କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା। କିଛି ଚାଷୀ କହିଛନ୍ତି ଯେ ପୁଲିସ ସେମାନଙ୍କ ଉପରେ ପକାଇଥିବା ଫୁଲ ପାଖୁଡ଼ାରେ କୌଣସି କେମିକାଲ ମିଶ୍ରଣ ହୋଇଥିଲା। ପ୍ରକାଶଥାଉକି, ଶମ୍ଭୁ ସୀମାରେ ୫ରୁ ଅଧିକ ଲୋକଙ୍କ ସମାଗମ ରୋକିବା ପାଇଁ ଧାରା ୧୬୩ (ପୂର୍ବରୁ ଧାରା ୧୪୪) ଅନୁଯାୟୀ ନିଷେଧାଦେଶ ଜାରି କରାଯାଇଛି। ଶମ୍ଭୁ ବ୍ୟତୀତ ପଞ୍ଜାବ ଓ ହରିୟାଣା ମଧ୍ୟରେ ଥିବା ଖାନୌରୀ ସୀମାକୁ ମଧ୍ୟ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସିଲ୍ କରାଯାଇଛି। ସେଠାରେ ୨ ଶହରୁ ଅଧିକ ପୁଲିସ କର୍ମୀ ମୁତୟନ କରାଯାଇଛି। ସୂଚନାଯୋଗ୍ୟ, ଶୁକ୍ରବାର ମଧ୍ୟ କୃଷକମାନେ ଜାତୀୟ ରାଜଧାନୀ ଅଭିମୁଖେ ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସୀମାରେ ସୁରକ୍ଷା କର୍ମୀମାନେ ଲୁହବୁହା ଗ୍ୟାସ୍ ସେଲ୍ ମାଡ଼ କରିବାରୁ ଅନେକ ବିକ୍ଷୋଭକାରୀ ଆହତ ହେବା ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button