ପତ୍ନୀଙ୍କୁ ନେଇ ଅଡ଼ୁଆରେ ସୁନକ: ସଙ୍କଟରେ ଭାରତ-ବ୍ରିଟେନ୍ ବାଣିଜ୍ୟ ରାଜିନାମା – Utkal Mail
ନୂଆଦିଲ୍ଲୀ: ଭାରତ ଓ ବ୍ରିଟେନ୍ ମୁକ୍ତ ବାଣିଜ୍ୟ ରାଜିନାମା ନେଇ ମୁଲଚାଲ ଜାରି ରଖିଛନ୍ତି। ନିକଟ ଭବିଷ୍ୟତରେ ଏନେଇ ରାଜିନାମା ସ୍ବାକ୍ଷର ହେବ ବୋଲି ଆଶା କରାଯାଉଥିଲା। ମାତ୍ର ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପତ୍ନୀ ଅକ୍ଷତାଙ୍କ ଇନ୍ଫୋସିସ୍ରେ ଥିବା ସେୟାର ଏବେ ଏହି ରାଜିନାମା ପାଇଁ ସମସ୍ୟା ସୃଷ୍ଟି କରିଛି। ରାଜିନାମା ଦ୍ବାରା ଇନ୍ଫୋସିସ୍ ଲାଭବାନ ହେବ କି ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି।
ଆଇଟି ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଅଧିକ କର୍ମଚାରୀଙ୍କ ପାଇଁ ଅଧିକ ଭିସା ଦେବାକୁ ଭାରତ ସରକାର ଦାବି କରୁଛନ୍ତି। ସେହି ଦାବି ଦ୍ବାରା ଇନ୍ଫୋସିସ୍ ଉପକୃତ ହେବ ବୋଲି ଅଭିଯୋଗ ହୋଇଛି। ଇନ୍ଫୋସିସ୍କୁ ସୁହାଇବା ଭଳି ଭିସା ନିୟମରେ ପରିବର୍ତ୍ତନ ଆଣିବାକୁ ଉଦ୍ୟମ ହେଉଥିବା କୁହାଯାଉଛି। ଲେବର ପାର୍ଟିର ସଦସ୍ୟ ଡାରେନ୍ ଜୋନ୍ସ କହିଛନ୍ତି ଯେ ଯାହା କିଛି ସ୍ବାର୍ଥ ରହିଛି ସେ ବିଷୟରେ ପ୍ରଧାନମନ୍ତ୍ରୀ ଠିକ୍ ଭାବେ ଘୋଷଣା କରିବା ଉଚିତ। ଭାରତ ସହିତ ବାଣିଜ୍ୟ ଚୁକ୍ତି ବେଳେ ମଧ୍ୟ ସେ ସ୍ବଚ୍ଛତା ବଜାୟ ରଖିବେ ବୋଲି ଆମେ ଆଶା କରୁଥିବା ସେ କହିଛନ୍ତି। ତାଙ୍କ ନେତୃତ୍ବରେ ଯେଉଁ କମିଟି ଗଠନ ହୋଇଛି ତାହା ଭାରତ-ବ୍ରିଟେନ୍ ରାଜିନାମାର ବିଭିନ୍ନ ବିଷୟକୁ ଯାଞ୍ଚ କରୁଛି।
ନିଜ ପତ୍ନୀଙ୍କ ସମ୍ପତ୍ତି ବିଷୟରେ ସୁନକ ସଠିକ୍ ସୂଚନା ଦେଉଥିବା ଅଭିଯୋଗ ରହିଛି। ବ୍ରିଟେନ ସରକାର ଯେଉଁ ବଜେଟ୍ ନୀତି ପ୍ରସ୍ତୁତ କରିଥିଲେ ତାହା ଦ୍ବାରା ତାଙ୍କ ପତ୍ନୀ ଅକ୍ଷତାଙ୍କ କଂପାନି କୋରୁ କିଡ୍ସ ବିଶେଷ ଭାବେ ଲାଭବାନ ହେଉଥିବା ଅଭିଯୋଗ ରହିଛି। ଅଜଣାତରେ ସେଭଳି ତ୍ରୁଟି ହୋଇଯାଇଛି ବୋଲି କହି ସୁନକ କ୍ଷମା ମଧ୍ୟ ମାଗିଛନ୍ତି। ଇମିଗ୍ରେସନ ନିଷ୍ପତ୍ତି ଦ୍ବାରା ପ୍ରଧାନମନ୍ତ୍ରୀଙ୍କ ପରିବାର ଲାଭବାନ ହେବାର ସମ୍ଭାବନା ରହିଛି। ତେଣୁ ଏନେଇ ଚାଲିଥିବା ମୁଲଚାଲରୁ ସୁନକ ନିଜକୁ ବିରତ ରଖିବା ଉଚିତ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି୨୦ ବୈଠକରେ ଯୋଗ ଦେବାଲାଗି ସୁନକ ଭାରତ ଆସିବେ ବୋଲି ଅନୁମାନ କରାଯାଉଛି। ଯେହେତୁ ତାଙ୍କୁ ନେଇ ବାଣିଜ୍ୟ ରାଜିନାମାରେ ବିବାଦ ଆରମ୍ଭ ହୋଇଛି, ତେଣୁ ବାଣିଜ୍ୟ ଓ ବ୍ୟବସାୟ ସିଲେକ୍ଟ କମିଟି ଏବେ ଭାରତ ନଆସି ଆସନ୍ତା ବର୍ଷ ଭାରତ ଗସ୍ତ କରୁ ବୋଲି ବ୍ରିଟେନ୍ର ବୈଦେଶିକ, ରାଜ୍ୟଗୋଷ୍ଠୀ ଓ ବିକାଶ କାର୍ଯ୍ୟାଳୟ ଚାହୁଛି। ବାଣିଜ୍ୟ ରାଜିନାମାକୁ ନେଇ ଭାରତ ଓ ବ୍ରିଟେନ୍ ମଧ୍ୟରେ ବହୁ ଦିନରୁ ମୂଲଚାଲ ଜାରି ରହିଛି। କିନ୍ତୁ ଏପର୍ଯ୍ୟନ୍ତ ତାହା ଚୂଡ଼ାନ୍ତ ହୋଇପାରୁନାହିଁ। ସୁନକ ପ୍ରଧାନମନ୍ତ୍ରୀ ହେବା ପରେ ଶୀଘ୍ର ରାଜିନାମା ସ୍ବାକ୍ଷର ହୋଇଯିବ ବୋଲି ଆଶା କରାଯାଉଥିବା ବେଳେ ସେହି ପ୍ରକ୍ରିୟା କିନ୍ତୁ ବିଳମ୍ବ ହେବାରେ ଲାଗିଛି। ଉଭୟ ଦେଶ କିନ୍ତୁ ରାଜିନାମା ପ୍ରତି ପ୍ରତିବଦ୍ଧ ଥିବା କହୁଛନ୍ତି।