ନୀତି

ଶବ୍ଦ ପ୍ରଦୂଷଣ ଯୋଗୁଁ ବଦଳିଛି ମାଙ୍କଡ଼ଙ୍କ ଚରିତ୍ର – Utkal Mail


ବ୍ରାଜିଲରେ ଏକ ମାଙ୍କଡ଼ ପ୍ରଜାତି ଶବ୍ଦ ପ୍ରଦୂଷଣ ଯୋଗୁଁ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ ପାଇଁ ଆଉ ରଡ଼ି ଛାଡୁନାହାନ୍ତି। ତାହା ପରିବର୍ତ୍ତେ ସେମାନେ ବିଭିନ୍ନ ପ୍ରକାର ଗନ୍ଧର ସହାୟତା ନେଉଥିବା ଜଣାଯାଇଛି। ବ୍ରାଜିଲର ମାନୌସ ସହରରେ ବସବାସ କରୁଥିବା ‘ପାଇଡ୍‌ ତାମାରିନ୍‌’ ନାମକ ମାଙ୍କଡ଼ ପ୍ରଜାତି ଗନ୍ଧ ସାହାଯ୍ୟରେ ପରସ୍ପର ସହ ଯୋଗାଯୋଗ କରୁଛନ୍ତି। ଉକ୍ତ ସହରଟି ମାତ୍ରାଧିକ ସମ୍ପ୍ରସାରିତ ହୋଇ ମାଙ୍କଡ଼ ବସତି ଆଡ଼େ ବ୍ୟାପିଚାଲିବା ସହ ଲୋକଙ୍କ ଚଳଣି ଓ ଗାଡ଼ିମୋଟର ଶବ୍ଦ ଅତିଷ୍ଠ କରିବାରୁ ମାଙ୍କଡ଼ମାନଙ୍କ ଚରିତ୍ରରେ ଏଭଳି ପରିବର୍ତ୍ତନ ଦେଖାଦେଇଛି। ମୁଖ୍ୟତଃ ଆମାଜନ୍‌ର ବର୍ଷାବନରେ ଦେଖାଦେଉଥିବା ୨୦ରୁ ୨୮ ସେ.ମି. ଲମ୍ବ ଓ ମାତ୍ର ୪୦୦ ଗ୍ରାମ ଓଜନ ବିଶିଷ୍ଟ ‘ପାଇଡ୍‌ ତାମାରିନ୍‌’ମାନେ ଏକ ବିପନ୍ନ ପ୍ରଜାତି ହୋଇଥିବାରୁ ସେମାନଙ୍କର ଏଭଳି ପ୍ରବୃତ୍ତିଗତ ପରିବର୍ତ୍ତନ ଯୋଗୁଁ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି।

ଅଣ୍ଡା ଦେଇ ବଂଶବୃଦ୍ଧି କରୁଥିବା ଏବଂ ଫଳମୂଳ ଓ କୀଟ ଖାଇ ଜୀବନଧାରଣ କରୁଥିବା ଏହି ମାଙ୍କଡ଼ଙ୍କର ବସତି ଅଞ୍ଚଳ ଏବେ ସହରୀକରଣ ଯୋଗୁଁ ସଂକୁଚିତ ହେବାରେ ଲାଗିଛି। ଏଥି ସହିତ ସହରର ତୀବ୍ର ଶବ୍ଦ ସେମାନଙ୍କ ପାରସ୍ପରିକ ଭାବ ବିନିମୟ ପ୍ରକ୍ରିୟାରେ ପ୍ରତିବନ୍ଧକ ସାଜିଛି। ତେଣୁ ସେମାନେ ନିଜର ଗତିପଥ ମଝିରେ ମଝିରେ କିଛି ଗନ୍ଧ ଛାଡ଼ିଯାଉଛନ୍ତି, ଯାହାକୁ ଶୁଂଘି ଅନ୍ୟମାନେ ଅନୁସରଣ କରିପାରିବେ। ସହରର ଶବ୍ଦ ପ୍ରଦୂଷଣ ଯେତେ ଅଧିକ ହେଉଛି, ‘ପାଇଡ୍‌ ତାମାରିନ୍‌’ମାନଙ୍କର ଏହି ଗନ୍ଧଯୁକ୍ତ ସଂକେତ ସେତେ ବଢ଼ି ବଢ଼ି ଯାଉଛି ବୋଲି ବୈଜ୍ଞାନିକମାନେ ଜାଣିବାକୁ ପାରିଛନ୍ତି। ତେବେ ଦୀର୍ଘ ଦୂରତା ମଧ୍ୟରେ ପଶୁମାନଙ୍କ ପାରସ୍ପରିକ ଯୋଗାଯୋଗ ପାଇଁ ଗନ୍ଧ ଏକ ଭଲ ଉପାୟ ନୁହେଁ ବୋଲି ଗବେଷକମାନଙ୍କ ମତ। ଏହାଦ୍ବାରା ‘ପାଇଡ୍‌ ତାମାରିନ’ର ବିଭିନ୍ନ ଗୋଷ୍ଠୀ ପରସ୍ପର ଠାରୁ ଅଲଗା ହୋଇଯିବାର ଆଶଙ୍କା ରହିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button