ଜୀବନଶୈଳୀ

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ଚାଉଳ ବରା

ବରା ତ ସମସ୍ତେ ଖାଇଛନ୍ତି, ହେଲେ ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ  ଚାଉଳ ବରାର ମଜା ଯିଏ ଖାଇଛି କେବଳ ସିଏ ହିଁ ଜାଣିଛି । ସକାଳ ହେଉ ବା ସଂନ୍ଧ୍ୟା ଚାଉଳ ବରା ଛଣାଯାଉଥିବା ଠେଲାମାନଙ୍କରେ ପ୍ରବଳ ଭିଡ ଦେଖିବାକୁ ମିଳେ । ପଶ୍ଚିମ ଓଡ଼ିଶା ଲୋକଙ୍କର ମୁଖ୍ୟ ଜଳଖିଆ ହେଉଛି ଏହି ଚାଉଳ ବରା । ଖାଲି ଏମାନେ ନୁହେଁ ବାହାରୁ ଆସିଥିବା ଅତିଥି ହୁଅନ୍ତୁ ବା ପର୍ଯ୍ୟଟକ ସମସ୍ତଙ୍କର ପ୍ରଥମ ପସନ୍ଦ ହୋଇଥାଏ ଚାଉଳ ବରା ।

ଯିଏ ଥରେ ଏହି ବରାର ସ୍ବାଦ ପାଇଛି ବାରମ୍ବାର ଏହା ଖାଇବା ପାଇଁ ଆଗ୍ରହ ଦେଖାଉଥିବା କହିଛନ୍ତି ସାଧାରଣ ଲୋକ । ଚାଉଳ ବିରିରେ ତିଆରି ଏହି ବରା ରାଜା ରାଜୁଡା ଅମଳରୁ ଏଠାରେ ତିଆରି ହେଉଥିବା ବେଳେ ବରାର ଉତ୍ପତ୍ତି ଏହି ଠାରୁ ବୋଲି ଐତିହାସିକମାନେ ମତ ଦିଅନ୍ତି । ସମସ୍ତଙ୍କ ଇଚ୍ଛା ଥାଏ ଜାଣିବାର ଯେ, କିପରି ଏହି ବରାକୁ ପ୍ରସ୍ତୁତ କରାଯାଏ । ତେବେ ଆଜି ଆପଣଙ୍କୁ ଶିଖାଇବୁ ଘରେ ଚାଉଳ ବରା କେମିତି କରିବେ ।

 

ସାମଗ୍ରୀ

ଉଷୁନା ଚାଉଳ- ୫୦୦ଗ୍ରାମ୍

ବିରି- ୧୦୦ଗ୍ରାମ୍

ସୋଡ଼ା- ଅଧ ଚାମଚ

କଞ୍ଚାଲଙ୍କା- ୫/୬ଟା

ଧନିଆ ପତ୍ର- ଗୋଟେ ବିଡା

ଜିରା- ଏକ ଚାମଚ

ଲୁଣ- ସ୍ଵାଦ ଅନୁସାରେ

ତେଲ- ୫୦୦ଗ୍ରାମ୍

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚାଉଳ ଏବଂ ବିରିକୁ ୪ରୁ ୬ ଘଣ୍ଟା ଯାଏଁ  ଭଲକି ବତୁରାଇବେ । ଏହା ପରେ ଏହାକୁ କମ୍ ପାଣି ଦେଇ ଭଲରେ ବାଟି ଦେବେ ।ଏହି ବରାର ପ୍ରସ୍ତୁତି ବି ବେଶ ଆକର୍ଷଣୀୟ ବିରି ବଟା ଏକ ଭାଗ ସାଙ୍ଗକୁ ଚାଉଳ ବଟା ତିନିଭାଗ ମିଶାଇ ଫେଣ୍ଟା ଯାଇଥାଏ । ଏବେ ଏଥିରେ ଲୁଣ,ଧନିଆ ପତ୍ର, , ଜିରା, ସୋଡ଼ା ସାଙ୍ଗକୁ କଞ୍ଚା ଲଙ୍କା ମିଶାଇ ଭଲ ଭାବରେ ଘାଣ୍ଟି ଦିଅନ୍ତୁ । ଏକ କଡେଇରେ ତେଲ ଗରମ କରି ଛୋଟ ଛୋଟ ଗୁଳା କରି ତେଲରେ ପକାନ୍ତୁ । ବରା ଗୁଡିକ ଅଳ୍ପ ନାଲି ହୋଇଗଲେ ଏହାକୁ କାଢି ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଗରମ ଗରମ ଚାଉଳ ବରା । ଏହାକୁ ତେନ୍ତୁଳୀ ଚଟଣୀ କିମ୍ବା ଚଣା ମସଲା ତରକାରୀରେ ଖାଇଲେ ଏହାର ସ୍ବାଦ ଦ୍ବିଗୁଣିତ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button