ବିଶ୍ବ ପ୍ରାଣୀ କଲ୍ୟାଣ ଦିବସ ଆଜି : ‘ଛୋଟ ହେଉ ବା ବଡ଼, ସମସ୍ତଙ୍କୁ ଶ୍ରଦ୍ଧା କର’ – Utkal Mail
ଆଜି ହେଉଛି ‘ବିଶ୍ବ ପ୍ରାଣୀ କଲ୍ୟାଣ ଦିବସ’। ସମଗ୍ର ପୃଥିବୀରେ ବିଭିନ୍ନ ଜୀବଜନ୍ତୁଙ୍କର କଲ୍ୟାଣ ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ଲକ୍ଷ୍ୟ। ୧୯୨୫ ମସିହା ମାର୍ଚ୍ଚ ୨୪ ତାରିଖରେ ଜର୍ମାନ୍ ଶ୍ବାନ ପ୍ରଶିକ୍ଷକ ହେନ୍ରିକ୍ ଜିମର୍ମ୍ୟାନ୍ ପ୍ରଥମେ ଏହି ଦିବସ ପାଳନର ପରିକଳ୍ପନା କରିଥିଲେ। ପରେ ୧୯୨୯ ମସିହା ଅକ୍ଟୋବର ୪ ତାରିଖରେ ବର୍ଲିନ୍ ସ୍ଥିତ ସ୍ପୋର୍ଟସ ପ୍ୟାଲେସ୍ରେ ୫,୦୦୦ ପଶୁପ୍ରେମୀ ସମବେତ ହୋଇ ପ୍ରାଣୀ କଲ୍ୟାଣ ଦିବସ ପାଳନ କରିଥିଲେ। ସମ୍ପ୍ରତି ୟୁକେସ୍ଥିତ ଦାତବ୍ୟ ଅନୁଷ୍ଠାନ ‘ନେଚରୱାଚ୍ ଫାଉଣ୍ଡେସନ୍’ ଏହାର ପ୍ରମୁଖ ଦାୟିତ୍ବ ବହନ କରୁଛି। ମଣିଷ ହିସାବରେ ଜୀବଜନ୍ତୁଙ୍କ ମଙ୍ଗଳ ପାଇଁ ଆମର କିଛି ଦାୟିତ୍ବ ରହିଛି ବୋଲି ଏହି ଦିବସ ଆମକୁ ମନେ ପକାଇ ଦେଇଥାଏ। ଜୀବଜନ୍ତୁଙ୍କର ମଧ୍ୟ ସମାନ ଅଧିକାର ରହିଥିବା କଥା ବିଚାରି ସେମାନଙ୍କ ଉନ୍ନତି ପାଇଁ ପ୍ରୟାସ କରିବାକୁ ଏହା ଆମକୁ ପ୍ରବର୍ତ୍ତାଇଥାଏ।
ପଶୁମାନଙ୍କୁ ଅତ୍ୟନ୍ତ ଯତ୍ନର ସହ ବ୍ୟବହାର କରିବା ଦରକାର। ସେମାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଓ ଭରଣପୋଷଣ ଯୋଗାଇଦେବା ଆବଶ୍ୟକ। ଏଥି ସହିତ ସେମାନଙ୍କୁ ସମ୍ଭାବ୍ୟ ବିପଦ, ଶିକାରୀ ଓ ବିଷାକ୍ତ ପଦାର୍ଥ ଜନିତ କ୍ଷତିରୁ ସୁରକ୍ଷିତ ରହିବାକୁ ନିଶ୍ଚିତ କରାଯିବା ଦରକାର। ସେହିପରି ବିଶ୍ବରେ ଜୀବଜନ୍ତୁଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ କଠିନ ପରିଶ୍ରମକୁ ମଧ୍ୟ ସ୍ବୀକୃତି ଦେବାର ଏହା ଅବସର ଆଣିଥାଏ। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି, ‘ଛୋଟ ହେଉ ବା ବଡ଼, ସମସ୍ତଙ୍କୁ ଶ୍ରଦ୍ଧା କର’। ଅର୍ଥାତ୍ ଜୀବଜନ୍ତୁଙ୍କ ଯତ୍ନ ନେଲା ବେଳେ ସେମାନଙ୍କ ଆକାର ବା ପ୍ରାକୃତିକ ବୈଶିଷ୍ଟ୍ୟକୁ ବିଚାରକୁ ନିଆଯିବା ଉଚିତ ନୁହେଁ।