ଦେଶ ବିଦେଶ

ବିବିସି ଅଫିସରରେ ଆଇଟି ଚଢାଉ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ବିବିସି ଅଫିସରେ ଇନକମ୍ ଟ୍ୟାକ୍ସ ଚଢାଉ। ଆଇଟିର ୬୦ରୁ ଅଧିକ ଅଧିକାରୀଙ୍କ ଏକ ଟିମ ଏହି ଚଢାଉରେ ସାମିଲ ଥିବା ବିଶେଷ ସୂତ୍ରରୁ ସୂଚନା ରହିଛି। ରେଡ ସମୟରେ କର୍ମଚାରୀଙ୍କ ଫୋନ ବନ୍ଦ କରାଯାଇଛି ଓ ଅଫିସରୁ ବାହାରକୁ କି ବାହାରୁ ଅଫିସ ଭିତରକୁ କାହାରିକୁ ଯିବା ଆସିବାକୁ ବନ୍ଦ କରାଯାଇଛି।

ବିଶେଷ ସୂତ୍ରର ସୂଚନା ମୁତାବକ, ବିବିସି ଉପରେ ଅନ୍ତର୍ଜାତୀୟ ଶୁଳ୍କ ହେରଫେରର ଅଭିଯୋଗ ରହିଛି। ଏହାକୁ ନେଇ ଯାଞ୍ଚ ଚାଲିଛି। କିନ୍ତୁ ଆୟକର ବା ବିବିସି ପକ୍ଷରୁ ଏବେ ଚଢଉ ସମ୍ପର୍କରେ କୌଣସି ଅଧିକାରିକ ସୂଚନା ମିଳିନାହିଁ। ହେଲେ ଏହି ଚଢାଉକୁ କଂଗ୍ରେସ ପକ୍ଷରୁ ଟ୍ବିଟ କରି ଅଘୋଷିତ ଏମର୍ଜେନ୍ସି କୁହାଯାଇଛି।

କାରଣ, ନିକଟରେ ଇଣ୍ଡିଆ: ଦ ମୋଦି କ୍ବେଶ୍ଚିନ ନାମକ ଏକ ଡକ୍ୟୁମେଣ୍ଟାରୀ ବିବିସି ପକ୍ଷରୁ ରିଲିଜ ହୋଇଥିଲା, ଯାହା ମୋଦିଙ୍କ ମୁଖ୍ୟମନ୍ତ୍ରୀତ୍ବ କାଳରେ ଗୁଜରାଟରେ ହୋଇଥିବା ଦଙ୍ଗାରେ କିଭଳି ମୁସଲମାନଙ୍କ ଉପରେ ଅକଥନୀୟ ଅତ୍ୟାଚର କରାଯାଇଥିଲା ତାହାକୁ ଦର୍ଶାଇବା ସହ ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ଦେଶରେ ଦେଖାଦେଇଥିବା ସାମ୍ପ୍ରଦାୟିକ ଉତ୍ତେଜନାକୁ ଦେଖାଇଛି। ଯେଉଁ ଡକ୍ୟୁମେଣ୍ଟାରୀକୁ ଅବଶ୍ୟ କେନ୍ଦ୍ର ଜରୁରୀ କ୍ଷମତା ବ୍ୟବହାର କରି ବ୍ଲକ କରିଦେଇଛି ଟ୍ବିଟର ଓ ୟୁଟ୍ୟୁବରେ।

ସୂଚନାଯୋଗ୍ୟ, ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ ବା ବିବିସି ୱାର୍ଲ୍ଡ ସର୍ଭିସ ଟେଲିଭିଜନ ହେଉଛି ବ୍ରିଟିଶ ସରକାରର ସଂସ୍ଥା। ଏହା ୪୦ ଭାଷାରେ ଖବର ପ୍ରସାରଣ କରିଥାଏ। ବ୍ରିଟେନ ସଂସଦର ମଞ୍ଜୁରୀ ମାଧ୍ୟମରେ ଏହାର ଫଣ୍ଡିଂ ହୋଇଥିବା ବେଳେ ଏହାର ପରିଚାଳନା ଫରେନ ଆଣ୍ଡ କମନୱେଲ୍ଥ ଅଫିସ ମାଧ୍ୟମରେ ହୋଇଥାଏ। ବିବିସି ଡିଜିଟାଲ, କଲ୍ଚର, ମିଡିଆ ଓ ସ୍ପୋର୍ଟସ ବିଭାଗ ଅନ୍ତର୍ଗତ କାମ କରେ। ଏହାକୁ ରୟାଲ ଚାର୍ଟର ଅନ୍ତର୍ଗତ ୧୯୨୭ରେ ଆରମ୍ଭ କରାଯାଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button