ପିଏମ୍ ଆବାସ ଯୋଜନା (ସହରୀ)ରେ ତ୍ରୁଟି: ୧୭୬୩ ହିତାଧିକାରୀ ଘର ସାରିବାକୁ ଅକ୍ଷମ – Utkal Mail
୧୩୫୮ ଜଣ ଘର ତିଆରି ଆରମ୍ଭ କରିନାହାନ୍ତି
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ)କୁ ପୌରସଂସ୍ଥାଗୁଡ଼ିକ ଠିକ୍ ଭାବେ କାର୍ଯ୍ୟକାରୀ କରିପାରିନାହାନ୍ତି। ସମ୍ବଲପୁର ଓ କଟକ ମହାନଗର ନିଗମ, ଚୌଦ୍ବାର ପୌରପାଳିକା, କୁଚିଣ୍ଡା, ରେଢ଼ାଖୋଲ ଓ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଏହି ଯୋଜନାର କାର୍ଯ୍ୟକାରୀତାକୁ ସିଏଜି ସମୀକ୍ଷା କରିଥିଲେ। ସେଥିରୁ ଜଣାପଡ଼ିଛି ଯେ ୨୦୧୬-୧୭ରୁ ୨୦୧୯-୨୦ ମଧ୍ୟରେ ଗୃହ ନିର୍ମାଣ ପାଇଁ ୮,୫୬୭ଟି କାର୍ଯ୍ୟାଦେଶ ଜାରି କରାଯାଇଥିଲା। ସେଥରୁ ୨୦୨୧ ଡିସେମ୍ବର ସୁଦ୍ଧା ୬୮୦୪ଟି ଘର ନିର୍ମାଣ କରାଯାଇଥିବା ବେଳେ ୧୭୬୩ଟି ଘର ଅସମ୍ପୂର୍ଣ୍ଣ ରହିଥିଲା। ସେଗୁଡ଼ିକର ନିର୍ମାଣ କାର୍ଯ୍ୟ ଏକ ବର୍ଷରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଅଧା ବାଟରେ ଅଟକି ରହିଛି। ଅର୍ଥାଭାବ ଯୋଗୁଁ ହିତାଧିକାରୀମାନେ ଘରଗୁଡ଼ିକୁ ସମ୍ପୂର୍ଣ୍ଣ କରିପାରୁନାହାନ୍ତି।
କ୍ଷେତ୍ର ଭିତ୍ତିରେ କରାଯାଇଥିବା ତଦନ୍ତରୁ ଜଣାପଡ଼ିଥିଲା ଯେ ଆର୍ଥିକ ଅଭାବ ଅନଟନ ଦେଇ ଗତି କରୁଥିବାରୁ ୨୦ ଜଣ ହିତାଧିକାରୀ ଘରର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଅକ୍ଷମ। ୨୦୧୬-୧୭ରୁ ୨୦୧୯-୨୦ ମଧ୍ୟରେ ୧୭୬୩ ହିତାଧିକାରୀଙ୍କୁ ଘର ତିଆରି ଲାଗି ୧୮.୩୭ କୋଟି ଟଙ୍କା ଦିଆଯାଇଥିଲା। ହିତାଧିକାରୀମାନେ ଘରଗୁଡ଼ିକୁ ନିର୍ମାଣ କରିପାରୁନାହାନ୍ତି। ସେହି ଘରଗୁଡ଼ିକ ସମ୍ପୂର୍ଣ୍ଣ ତିଆରି ହେବାର ସମ୍ଭାବନା ମଧ୍ୟ କ୍ଷୀଣ। ତେଣୁ ଏଥିପାଇଁ ଦିଆଯାଇଥିବା ୧୮.୩୭ କୋଟି ଟଙ୍କା ବ୍ୟର୍ଥ ଯାଇଥିବା ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି।
ସେହିପରି, କଟକ ଓ ସମ୍ବଲପୁର ମହାନଗର ନିଗମରେ ୨୦୧୬-୧୭ରୁ ୨୦୨୦-୨୧ ମଧ୍ୟରେ ୧୦,୩୫୫ ଘର ପାଇଁ କାର୍ଯ୍ୟାଦେଶ ଜାରି କରାଯାଇଥିଲା। ସେଥିରୁ ୬,୮୫୭ଟି ଘର ନିର୍ମାଣ ଶେଷ ହୋଇଥିବା ବେଳେ ୨୧୪୦ଟି ଘର ତିଆରି ଚାଲିଛି। ୧୩୫୮ଟି ଘରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏହି ଦୁଇ ମହାନଗର ନିଗମ ନିର୍ଧାରିତ ଲକ୍ଷ୍ୟର ୪୯.୧୭ ପ୍ରତିଶତ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ଅଧା ଲକ୍ଷ୍ୟକୁ ସେମାନେ ହାସଲ କରିପାରିନାହାନ୍ତି। ନିର୍ଦେଶନାମା ଅନୁଯାୟୀ କାର୍ଯ୍ୟାଦେଶ ଜାରି ହେବାର ୯୦ ଦିନ ଭିତରେ ଘର ତିଆରି ଆରମ୍ଭ ହେବା ଆବଶ୍ୟକ। କିନ୍ତୁ ୧୩୫୮ ଜଣ ହିତାଧିକାରୀ ସେମାନଙ୍କ ଘର ନିର୍ମାଣ ଆରମ୍ଭ କରିନାହାନ୍ତି। ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ସେମାନେ ଘର ତିଆରି କରିପାରୁନଥିବା ସିଏଜି ଜଣାଇଛନ୍ତି। ଯେଉଁ ହାରରେ ଯୋଜନା ଆଗକୁ ବଢ଼ୁଛି ସମୟସୀମା ଶେଷ ହେବା ଭିତରେ ସମସ୍ତ ଯୋଗ୍ୟ ପରିବାରକୁ ଘର ଦେବା ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ ବୋଲି ସିଏଜି କହିଛନ୍ତି।