ଆନ୍ତର୍ଜାତିକ ଶିକ୍ଷକ ଦିବସ ଆଜି: ଶିକ୍ଷକ ଓ ପ୍ରଶିକ୍ଷକ ଅଭାବ ଏକ ବୈଶ୍ବିକ ସମସ୍ୟା – Utkal Mail
ଆଜି ସମଗ୍ର ବିଶ୍ବରେ ଶହେରୁ ଅଧିକ ଦେଶରେ ଆନ୍ତର୍ଜାତିକ ଶିକ୍ଷକ ଦିବସ ପାଳନ କରାଯାଉଛି। ସବୁ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଶିକ୍ଷକଙ୍କ ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ବିଶ୍ବରେ ଶିକ୍ଷକଙ୍କ ସ୍ଥିତିରେ ସୁଧାର ଆଣିବା ହେଉଛି ଏହି ଦିବସ ପାଳନର ଲକ୍ଷ୍ୟ। ୧୯୬୬ ମସିହା ଆଜିର ଦିନରେ ଫ୍ରାନ୍ସର ପ୍ୟାରିସ ଠାରେ ଶିକ୍ଷକମାନଙ୍କ ସ୍ଥିତି ଉପରେ ଏକ ସ୍ବତନ୍ତ୍ର ଅନ୍ତଃସରକାର ସମ୍ମିଳନୀ ଡକାଯାଇଥିଲା, ଯେଉଁଥିରେ ସେମାନଙ୍କ ବୃତ୍ତିକୁ ପ୍ରଭାବିତ କରୁଥିବା ପ୍ରସଙ୍ଗଗୁଡ଼ିକ ଉପରେ ବିଶ୍ଳେଷଣ କରାଯାଇଥିଲା। ଶେଷରେ ସମ୍ମିଳନୀ ଏକ ସହମତିରେ ପହଞ୍ଚିଥିଲା ଏବଂ ‘ଶିକ୍ଷକମାନଙ୍କ ସ୍ଥିତି ସମ୍ବନ୍ଧରେ ସୁପାରିସ’ ନାମକ ଏକ ଦସ୍ତାବିଜ ପ୍ରକାଶ କରିଥିଲା, ଯାହା ଆନ୍ତର୍ଜାତିକ ଶ୍ରମ ସଂଗଠନ ଓ ୟୁନେସ୍କୋ ଦ୍ବାରା ସ୍ବାକ୍ଷରିତ ହୋଇଥିଲା।
ଏହି ସୁପାରିସ ଶିକ୍ଷକମାନଙ୍କ ଅଧିକାର ଓ କର୍ତ୍ତବ୍ୟକୁ ସ୍ବୀକୃତି ଦେବା ସହ ପ୍ରାଥମିକ ପ୍ରଶିକ୍ଷଣ ସହିତ ଶିକ୍ଷକଙ୍କ ନିରନ୍ତର ଶିକ୍ଷା ପାଇଁ ଆନ୍ତର୍ଜାତିକ ମାନ ନିର୍ଦ୍ଧାରଣ କରିଥାଏ ଯାହା ଶିକ୍ଷା ପାଇଁ ଏକ ଗୁଣାତ୍ମକ ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇପାରିବ। ସେହି ଦିବସକୁ ସ୍ମରଣୀୟ କରିବା ଲାଗି ୧୯୯୪ ମସିହାରୁ ପ୍ରତି ବର୍ଷ ଅକ୍ଟୋବର ୫ରେ ଏପରି ଦିବସ ପାଳିତ ହୋଇଆସୁଛି। ଚଳିତବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ‘ଆମେ ଚାହୁଁଥିବା ଶିକ୍ଷା ପାଇଁ ଆମେ ଆବଶ୍ୟକ କରୁଥିବା ଶିକ୍ଷକ: ଶିକ୍ଷକ ଅଭାବକୁ ଦୂର କରିବା ବିଶ୍ବସ୍ତରୀୟ ଅତ୍ୟାବଶ୍ୟକତା’। ବିଶ୍ବରେ ଶିକ୍ଷକ ଓ ପ୍ରଶିକ୍ଷକମାନଙ୍କର ହ୍ରାସ ପାଉଥିବା ସଂଖ୍ୟାରେ ସୁଧାର ଆଣିବା ପାଇଁ ଏଭଳି ପ୍ରସଙ୍ଗ ଚୟନ କରାଯାଇଛି।