ଓଡିଶା

ପ୍ରବାସୀ ଓଡ଼ିଆ ମହିଳା ପାଇବେ ‘ସୁଭଦ୍ରା’: ଶୀଘ୍ର ଆବେଦନ କରିବାକୁ ରାଜ୍ୟ ସରକାରଙ୍କ ଆହ୍ବାନ

ଭୁବନେଶ୍ବର: ରାଜ୍ୟ ବାହାରେ ଥିବା ବହୁ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା। ଜିଲ୍ଲାଭିତ୍ତିକ ସମୀକ୍ଷା ସମୟରେ ଦେଶାନ୍ତର ପାଇଁ ଅନେକ ମହିଳା ଏଥିପାଇଁ ଆବେଦନ କରିପାରି ନ ଥିବା ନଜରକୁ ଆସିଛି। ତେଣୁ ବାହାରେ ରହୁଥିବା ମହିଳାମାନେ ତୁରନ୍ତ ଏଥିପାଇଁ ଆବେଦନ କରନ୍ତୁ। ନୂଆ ଆବେଦନ କରିବାକୁ ଚାହୁଁଥିବା ମହିଳାମାନେ ସୁଭଦ୍ରା ପୋର୍ଟାଲ, ସିଏସ୍‌ସି କେନ୍ଦ୍ରରେ ଏଥିପାଇଁ ଆବେଦନ କରିବେ। ମାତ୍ର ବା‌ୟୋମେଟ୍ରିକ୍ କିମ୍ବା ଏନ୍‌ପିସିଆଇ ଯାଞ୍ଚ ନିମନ୍ତେ ସେମାନଙ୍କୁ ଆସିବାକୁ ପଡ଼ିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ଚତୁର୍ଥ ପର୍ଯ୍ୟାୟରେ ୨୦ଲକ୍ଷରୁ ଅଧିକ ମହିଳାଙ୍କୁ ଟଙ୍କା ମିଳିବ। ଏଇ ମାସ ଶେଷ ସପ୍ତାହରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦିଆଯିବ। ଯୋଜନାରୁ ବାହାରି ଯାଇଥିବା ବା ଅପ୍‌ଟ ଆଉଟ୍‌ ହୋଇଥିବା ଅଧିକାଂଶ ମହିଳାଙ୍କ ମଧ୍ୟରୁ ଅନେକ ଅପ୍‌ଟ ଇନ୍‌ କରିସାରିଲେଣି।

ଶେଷ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯୋଜନା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି।
ରାଜ୍ୟରେ ୩ଟି ପର୍ଯ୍ୟାୟରେ ୮୦ଲକ୍ଷରୁ ଅଧିକ ମହିଳା ପ୍ରଥମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପାଇ ସାରିଲେଣି। ଚତୁର୍ଥ ପର୍ଯ୍ୟାୟ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ମାତ୍ର ଆକାଉଣ୍ଟ୍‌ ମିସ୍‌ମ୍ୟାଚ୍‌, କେୱାଇସି ଅପ୍‌ଡେଟ୍‌, ଅପ୍‌ଟ ଆଉଟ୍‌ ଭଳି କାରଣ ପାଇଁ ଲକ୍ଷାଧିକ ମହିଳାଙ୍କୁ ଏଥିରେ ସାମିଲ କରିବାରେ ସମସ୍ୟା ଉପୁଜିଥିଲା। ତେଣୁ ବାଦ୍ ପଡ଼ିଥିବା ମହିଳାଙ୍କୁ ଆଉ ଥରେ ସୁଯୋଗ ଦେବା ପାଇଁ ଜାନୁଆରିରେ ଟଙ୍କା ଦେବାକୁ ସରକାର ଚିନ୍ତା କରିଛନ୍ତି। ଅପ୍‌ଟ ଆଉଟ୍‌ ହୋଇ ଯାଇଥିବା ୩୧ହଜାର ମହିଳାଙ୍କ ମଧ୍ୟରୁ ୧୭ହଜାର ପୁନର୍ବାର ସାମିଲ ହୋଇସାରିଲେଣି। ବାକି ୧୪ହଜାର ମହିଳା ଆୟକର ବର୍ଗର ହୋଇଥିବାରୁ ଅପ୍‌ଟ ଇନ୍‌ କରୁ ନ ଥିବା ସୂଚନା ମିଳିଛି।

 

Related Articles

Leave a Reply

Your email address will not be published. Required fields are marked *

Back to top button