ପୁଲିସ ବନାମ ପୁଲିସ : ଗୃହରକ୍ଷୀ ବିଦା, ବଦଳିଲେ ମହିଳା ଏଏସଆଇ – Utkal Mail
ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଅପରାଧୀଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ବର୍ତ୍ତମାନ ଚାଲିଛି ପୁଲିସ ବିରୋଧରେ ପୁଲିସର ଛକାପଞ୍ଝା। ବିଭାଗର କିଛି କର୍ମଚାରୀ ଅର୍ଥ ରୋଜଗାର ପାଇଁ ଗଞ୍ଜେଇ ଚାଲାଣ ଭଳି ଅପରାଧରେ ଜଡ଼ିତ ହେଉଥିବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସି ଖାକିରେ ଲାଗିଛି କଳଙ୍କ। ଏଥିସହ ମହିଳା କର୍ମଚାରୀଙ୍କୁ କିଛି କାମ ବିନିମୟରେ ତଳିଆ କର୍ମଚାରୀ ମଧ୍ୟ ଶାରୀରିକ ସମ୍ପର୍କ ଦାବି କରିବା ଭଳି ଅବିଶ୍ବସନୀୟ ଘଟଣା ଏଠାକାର ପୁଲିସ ବିଭାଗରେ ଘଟୁଛି। ଶୁକ୍ରବାର ଏ ସମ୍ପର୍କରେ ‘ସମ୍ବାଦ’ରେ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିଲା। ସମ୍ପୃକ୍ତ ମହିଳା ଏଏସଆଇଙ୍କ ଅଭିଯୋଗ ଆଧାରରେ ଉତ୍ତରାଞ୍ଚଳ ଆଇଜିଙ୍କ ନିର୍ଦ୍ଦେଶରେ ଜଣେ ଅତିରିକ୍ତ ଏସପି ଘଟଣାର ତଦନ୍ତ କରିଥିଲେ। ଉଲୁଣ୍ଡା ଥାନାରେ ସମ୍ପୃକ୍ତ ଗୃହରକ୍ଷୀ ରାଜକୁମାର ପ୍ରଧାନଙ୍କ ବିରୋଧରେ ନଂ.୧୩୯/୬-୧୦-୨୦୨୩ ଆଇପିସି ଧାରା ୩୫୪, ୩୫୪(ଡି)(ଆଇ) ଏବଂ ଆଇଟି ଧାରା ୬୬(ସି), ୬୬(ଡି) ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। ଏହାପରେ ସେହି ବିବାଦୀୟ ଗୃହରକ୍ଷୀ ରାଜକୁମାର ପ୍ରଧାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ବେଳେ ସମ୍ପୃକ୍ତ ମହିଳା ଏଏସଆଇଙ୍କୁ ରିଜର୍ଭ ପୁଲିସକୁ ବଦଳି କରାଯାଇ ଥିବା ଏସପି ଅମରେଶ ପଣ୍ଡା ସୂଚନା ଦେଇଛନ୍ତି।
ଗୃହରକ୍ଷୀ ଶ୍ରୀ ପ୍ରଧାନଙ୍କ ବିରୋଧରେ ଅଭିଯୋଗ କରିବାରୁ ତାଙ୍କୁ ଗଞ୍ଜେଇ ଚାଲାଣ ମାମଲାରେ ଫସାଇବା ପାଇଁ ସମ୍ପୃକ୍ତ ଗୃହରକ୍ଷୀଙ୍କ ମାଧ୍ୟମରେ ହିଁ ଉଦ୍ୟମ ହୋଇଥିବା ନେଇ ମହିଳା ଏଏସଆଇ ଅଭିଯୋଗ କରିଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସମ୍ପୃକ୍ତ ଗୃହରକ୍ଷୀ ଶ୍ରୀ ପ୍ରଧାନଙ୍କ ବିରୋଧରେ ଆଗରୁ ଚୋରି ମାମଲା ଥିଲା। ୨୦୧୬ରେ ମୋବାଇଲ ଚୋରି ମାମଲାରେ ରାମପୁର ପୁଲିସ ଦ୍ବାରା ଗିରଫ ହୋଇ ୨ ମାସ ଜେଲ ମଧ୍ୟ ଯାଇଥିଲେ। ଜଣେ ସରକାରୀ କର୍ମଚାରୀ ୪୮ ଘଣ୍ଟା ଜେଲରେ ରହିଲେ ତା’ଙ୍କୁ ଚାକିରିରୁ ନିଲମ୍ବନ କିମ୍ବା ବହିଷ୍କାର କରିବା ନିୟମ ରହିଛି। ତେବେ ଗୃହରକ୍ଷୀ ଶ୍ରୀ ପ୍ରଧାନଙ୍କ କ୍ଷେତ୍ରରେ ତାହା ପ୍ରାୟ ୭ ବର୍ଷ ପରେ ଏକ ବିବାଦୀୟ ପରିସ୍ଥିତିରେ ଲାଗୁ ହେଲା। ପୂର୍ବରୁ ତା’ଙ୍କୁ ଜିଲ୍ଲା ପୁଲିସ ଶ୍ରେଷ୍ଠ ଗୃହରକ୍ଷୀ ଭାବରେ ପୁରସ୍କୃତ ମଧ୍ୟ କରିଥିଲା।
କେବଳ ସେତିକି ନୁହେଁ କରିତକର୍ମା ଗୃହରକ୍ଷୀ ଶ୍ରୀ ପ୍ରଧାନଙ୍କ କାରନାମା ଶେଷ ହୋଇ ନ ଥିଲା। ସୋନପୁରରେ ଅପରାଧ ନିୟନ୍ତ୍ରଣ ଏବଂ ଗଞ୍ଜେଇ ଚାଲାଣ ରୋକିବା ପାଇଁ ପୁଲିସ ଗଠନ କରିଥିବା ସ୍ବତନ୍ତ୍ର ସ୍କ୍ବାଡରେ ମଧ୍ୟ ସେ ନିଜ ସ୍ଥାନ ପକ୍କା କରିଥିଲେ। ତା’ଙ୍କ ନାମରେ ଅପରାଧିକ ମାମଲା ଥିବାବେଳେ ବର୍ଷ ବର୍ଷ ଧରି କିପରି ଜିଲ୍ଲା ପୁଲିସର ଗେହ୍ଲାପୁଅ ସାଜି ରହିଥିଲେ, ତା’କୁ ନେଇ ବୁଦ୍ଧିଜୀବୀ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି।
ମହିଳା ଏଏସଆଇଙ୍କ ସ୍କୁଟିରୁ ୧୨.୬ କେଜି ଗଞ୍ଜେଇ ଜବତ ମାମଲାରେ ସୋନପୁର ପୁଲିସ ପ୍ରଥମ ଥର ପାଇଁ ଗଞ୍ଜେଇ ଚାଷ ଓ ବିକ୍ରି କରୁଥିବା ଅଭିଯୋଗରେ ଗତ ଶୁକ୍ରବାର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମୁଥାବଳି ଗ୍ରାମର ଧନଞ୍ଜୟ ଘଡ଼େଇଙ୍କୁ ଗିରଫ କରି ବାଃ ବାଃ ନେଉଛି। କିନ୍ତୁ ପୂର୍ବରୁ ବିଭିନ୍ନ ଘଟଣାରେ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଚାଲାଣକାରୀମାନଙ୍କୁ ଧରିଥିଲେ ମଧ୍ୟ ସୋନପୁର ପୁଲିସ ବ୍ୟବସାୟର ମୂଳ ପର୍ଯ୍ୟନ୍ତ ପହଞ୍ଚି ପାରି ନ ଥିଲା। ଏହାକୁ ଦେଖି ସୋନପୁର ଜିଲ୍ଲାରେ ପୁଲିସ ହିଁ ପୁଲିସର ବଡ଼ ଶତ୍ରୁ ବୋଲି ଚର୍ଚ୍ଚା ହେଉଛି। ଏଣୁ ଜିଲ୍ଲାରେ ବିବାଦୀୟ ହୋଇ ପଡ଼ିଥିବା ପୁଲିସ କର୍ମଚାରୀ ଏବଂ ଅଧିକାରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।