ଦେଶ ବିଦେଶ
ଆଫଗାନିସ୍ତାନରେ ଭୂକମ୍ପ: ୧୨୦ ମୃତ, ୧୦୦୦ରୁ ଅଧିକ ଆହତ – Utkal Mail
ନୂଆଦିଲ୍ଲୀ: ଶକ୍ତିଶାଳୀ ଭୂକମ୍ପରେ ଆଜି ଆଫଗାନିସ୍ତାନ ଥରି ଉଠିଛି। ପଶ୍ଚିମ ସହର ହେରତଠାରୁ ୪୦ କିମି ଦୂର ଇରାନ ସୀମା ନିକଟରେ ଆଜି ସକାଳେ ୬.୩ ତୀବ୍ରତାର ଭୂକମ୍ପ ହୋଇଥିଲା। ଅନେକ କୋଠା ମାଟିରେ ମିଶିଯାଇଛି। ଭୂକମ୍ପ ଯୋଗୁଁ ପ୍ରାୟ ୧୨୦ ଜଣଙ୍କ ମୃତ୍ୟୁ ହୋଇଛି। ୧୦୦୦ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ପ୍ରଥମେ ୬.୩ ତୀବ୍ରତାର ଭୂକମ୍ପ ହୋଇଥିଲା ଏବଂ ଏହାପରେ ପଛକୁ ପଛ ୭ ଥର ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ସମସ୍ତ ଭୂକମ୍ପର ତୀବ୍ରତା ୪.୩ରୁ ୬.୩ ମଧ୍ୟରେ ଥିଲା। ପ୍ରଥମେ ୧୪ କିମି ଗଭୀରତାରେ ୬.୩ ତୀବ୍ରତାର ଭୂକମ୍ପ ହୋଇଥିଲା। ଗ୍ରାମୀଣ ଏବଂ ପାର୍ବତ୍ୟାଞ୍ଚଳରେ ଭୂସ୍ଖଳନ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଜୁନ୍ରେ ମଧ୍ୟ ଆଫଗାନିସ୍ତାନରେ ସବୁଠାରୁ ଭୟଙ୍କର ଭୂକମ୍ପ ହୋଇ ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁସଂଖ୍ୟା ବଢ଼ିବ ବୋଲି ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ପ୍ରବକ୍ତା ମୁଲ୍ଲା ଜନ୍ ସୟେଦ କହିଛନ୍ତି।



