ଓଡିଶା

ଆଜି ବୌଦ୍ଧରେ ଖୋଲିବ ବୁଣାକାର ବଜାର, ଉତ୍ପାଦିତ ସାମଗ୍ରୀକୁ ନୂତନ ବ୍ରାଣ୍ଡିଂ କରିବାକୁ ବିଭିନ୍ନ ମହଲରୁ ଦାବି

ବୌଦ୍ଧ : ଦୀର୍ଘଦିନର ପ୍ରତୀକ୍ଷା ଅନ୍ତ ଘଟିଛି । ନଭେମ୍ବର ୧୩ ତାରିଖ ରବିବାରରୁ ବୌଦ୍ଧରେ ଖୋଲିବ ବୁଣାକାର ବଜାର । ଓଡ଼ିଶାର ବୁଣାକାରମାନଙ୍କୁ ବଜାର ଯୋଗାଇବା ସହ ବିଭିନ୍ନ ଅଞ୍ଚଳରେ ପ୍ରସ୍ତୁତ ବୁଣାକାର ସାମଗ୍ରୀ ଗୋଟିଏ ସ୍ଥାନରେ ଗ୍ରାହକଙ୍କୁ ଯୋଗାଇବା ହେଉଛି ମୂଳ ଲକ୍ଷ୍ୟ । ବୌଦ୍ଧ ଜିଲ୍ଲାରେ ଏହି ବଜାର ଖୋଲାଯାଉଥିବା ନେଇ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ସୂଚନା ଦେଇଛନ୍ତି ।

ବୌଦ୍ଧ ସର୍କିଟହାଉସ ଠାରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ମୁତାବକ ବୌଦ୍ଧ ବୁଣାକାର ବଜାରରେ ପ୍ରାୟ ୧୦୦ ଜଣ ବୁଣାକାର ନିଜର ସାମଗ୍ରୀ ବିକ୍ରୟ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ଆବଶ୍ୟତାକୁ ଦେଖି ଅଧିକ ସୁଯୋଗ ସୃଷ୍ଟି କରାଯିବ । ପ୍ରତ୍ୟେକ ରବିବାର ସକାଳ ୬ ରୁ ଏହି ବୁଣାକାର ବଜାର ଖୋଲାଯିବ । ଏହି ବଜାର ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଓ ରାଜ୍ୟ ବାହାରୁ ମଧ୍ୟ ବୁଣାକାରମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରୟ କରିବେ । ବୌଦ୍ଧ ତଥା ପାଖ ପଡୋଶୀ ଜିଲ୍ଲାର ଗ୍ରାହକମାନେ ବୁଣାକାର ବଜାରକୁ ଆସି ନିଜର ଆବଶ୍ୟକତା ମୁତାବକ ଉଚିତ ମୂଲ୍ୟରେ ସାମଗ୍ରୀ କିଣିପାରିବେ । ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ମୁତାବକ କେବଳ ବୌଦ୍ଧ ଜିଲ୍ଲାରେ ୩୫୦୦ରୁ ଉର୍ଦ୍ଧ୍ୱ ବୁଣାକାର ପରିବାର ଥିବାବେଳେ ପ୍ରାୟ ୮ ହଜାର ତନ୍ତ କାର୍ଯ୍ୟକ୍ଷମ ରହିଛି । ବୌଦ୍ଧରେ ଏହି ବଜାର ଖୋଲାଯିବା ଦ୍ୱାରା କେବଳ ବୌଦ୍ଧ ନୁହେଁ ଆଖପାଖ ଜିଲ୍ଲାରେ ଥିବା ହଜାର ହଜାର ସଂଖ୍ୟାରେ ବୁଣାକାର ପରିବାରଙ୍କ ଆର୍ଥିକ ଅଭିବୃଦ୍ଧି ହୋଇପାରିବ । ବୁଣାକାର ଭାଇମାନେ ଏହି ବଜାରର ସୁଯୋଗ ନେବାକୁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ବୌଦ୍ଧରେ ବୁଣାକାର ବଜାର ଖୋଲାଯିବାକୁ ସବୁ ମହଲରେ ସ୍ୱାଗତ କରାଯାଇଥିବାବେଳେ ବୌଦ୍ଧର ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ନୂତନ ବ୍ରାଣ୍ଡିଂ କରାଯାଇପାରିଲେ ରାଜ୍ୟସ୍ତରରେ ଜିଲ୍ଲାକୁ ଏକ ସ୍ୱତନ୍ତ୍ର ପରିଚୟ ମିଳିପାରିବ ବୋଲି ମତପ୍ରକାଶ ପାଇଛି । ଆଗାମୀ ଦିନରେ ଏନେଇ ଉଦ୍ୟମ କରାଯିବାକୁ ଜିଲ୍ଲାପାଳ ଶ୍ରୀ ସାହୁ ପ୍ରକାଶ କରିଥିଲେ ।

ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଜିଲ୍ଲାପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button