ଓଡିଶା

ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲା: କିଟ୍‌ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଏନ୍‌ଏଚ୍‌ଆର୍‌ସି

ନୂଆଦିଲ୍ଲୀ: ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) କିଟ୍‌ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ଚଳିତ ମାସ ୬ରୁ ୮ ତାରିଖ ପର୍ଯ୍ୟନ୍ତ ଏହି ଘଟଣାର ସରଜମିନ ତଦନ୍ତ ଏନ୍‌ଏଚ୍‌ଆର୍‌ସିର ଦୁଇଜଣିଆ ଟିମ୍‌ କରି ରିପୋର୍ଟ ଦାଖଲ କରିବା ପରେ କିଟ୍‌ ବିଶ୍ବବିଦ୍ୟାଳୟର ଆଇଆରଓ, ବିଶ୍ବବିଦ୍ୟାଳୟର ଅଧିକାରୀ/ଶୃଙ୍ଖଳାଗତ କମିଟି ତଥା କଲେଜ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଏନ୍‌ଏଚ୍‌ଆର୍‌ସି ଦର୍ଶାଇଛନ୍ତି।

ଏନ୍‌ଏଚ୍‌ଆର୍‌ସିଙ୍କ ଆଦେଶନାମାରେ ଉଲ୍ଲେଖ କରାଯାଇଛି ଯେ ଫେବ୍ରୁଆରି ୧୭ରେ ୧୦୦୦-୧୧୦୦ ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ିଥିଲେ। ବିଶ୍ବବିଦ୍ୟାଳୟର ଅଧିକାରୀମାନେ ଏହାକୁ ସ୍ବୀକାର କରିଛନ୍ତି। ହଷ୍ଟେଲ ଛାଡ଼ିଥିବା  ଛାତ୍ରୀଙ୍କ ସଂଖ୍ୟା ୧୮୦ ଥିଲା। କର୍ତ୍ତୃପକ୍ଷ ଛାତ୍ରୀମାନଙ୍କର ସୁରକ୍ଷାକୁ ନେଇ ଆଦୌଁ ଚିନ୍ତା କରିନଥିଲେ ଏବଂ ସେମାନଙ୍କୁ କ୍ୟାମ୍ପସରୁ ବାହାର କରି ଦିଆଯାଇଥିଲା। ଏହା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସମ୍ବେଦନହୀନତାକୁ ଦର୍ଶାଉଛି। ଏଭଳି ସମ୍ବେଦନଶୀଳ ଘଟଣାକୁ ବିଶ୍ବବିଦ୍ୟାଳୟ ହାଲୁକା ଭାବେ ଗ୍ରହଣ କରିଥିଲେ। ଏହି ଘଟଣାରେ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ଠାରୁ ୪ସପ୍ତାହ ଭିତରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ  ଏନ୍‌ଏଚ୍‌ଆର୍‌ସି ନିର୍ଦ୍ଦେଶ ଜାରି କରିଛନ୍ତି। ଶିଶୁ କଲ୍ୟାଣ କମିଟି ଦ୍ବାରା ଜୁଲାଇ ୬,୨୦୧୭ର ରିପୋର୍ଟ ଅନୁଯାୟୀ କିସ୍‌ ପରିସରରେ ନିମ୍ନ ମାନର ରହଣୀ ସ୍ଥିତି ବାବଦରେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କିସ୍‌ ପରିସରରେ ନିମ୍ନମାନର ରହଣୀ ସ୍ଥିତି ବାବଦରେ ତଦନ୍ତ ପାଇଁ ଶିଶୁ କଲ୍ୟାଣ କମିଟି ଯୁଗ୍ମ ତଦନ୍ତକାରୀ ଦଳ ଗଠନ କରିବାକୁ ସୁପାରିସ କରିଥିଲା। ଏ ନେଇ ସ୍ପଷ୍ଟୀକରଣ ଅଥବା ଅନୁପାଳନ ରିପୋର୍ଟ ଦାଖଲ ପାଇଁ ଏନ୍‌ଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି। ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଇନଫୋସିଟି ଥାନା ମାମଲା ସଂଖ୍ୟା ୫୪/୨୦୨୫ରେ ତଦନ୍ତ ଅଗ୍ରଗତି ବାବଦରେ ପୁଲିସ କମିସନରଙ୍କୁ ଜଣାଇବା ପାଇଁ ଏନ୍‌ଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ବବିଦ୍ୟାଳୟ ପରିସରରେ ମହିଳାଙ୍କ ସୁରକ୍ଷା ତଥା ଛାତ୍ରଛାତ୍ରୀଙ୍କ ପ୍ରତି ଧର୍ମ, ଜାତୀୟତା, ଲିଙ୍ଗ, ବର୍ଣ୍ଣ ଆଦି ପାତରଅନ୍ତର ରୋକିବା ସଂପର୍କିତ କିସ୍‌ ବିଶ୍ବବିଦ୍ୟାଳୟ  ଓ ୟୁଜିସି ଗାଇଡଲାଇନ୍ସ ଗୁଡ଼ିକର ଉଲ୍ଲଂଘନ ନେଇ ୟୁଜିସି ଅଧ୍ୟକ୍ଷ କିସ୍‌ ଓ କିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି  ରିପୋର୍ଟ ଦାଖଲ କରିବେ ବୋଲି ଏନ୍‌ଏଚ୍‌ଆର୍‌ସି ନିର୍ଦ୍ଦେଶରେ କହିଛନ୍ତି। ସେହିଭଳି ନ୍ୟାସନାଲ୍‌ ଆସେସ୍‌ମେଣ୍ଟ ଆଣ୍ଡ୍‌ ଆକ୍ରିଡେସନ କାଉନ୍‌ସିଲ୍‌ (ଏନ୍‌ଏସିସି)ର ଗାଇଡଲାଇନ୍ସ ଉଲ୍ଲଂଘନ ବାବଦରେ ଏନ୍‌ଏସିସି ଅଧ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାରି ସପ୍ତାହରେ ରିପୋର୍ଟ ଦାଖଲ କରିବେ ବୋଲି ଏନ୍‌ଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button