ଦେଶ ବିଦେଶ

ଆଫଗାନିସ୍ତାନ ଭୂମିକମ୍ପ: ୨୦୦୦ରୁ ଅଧିକ ମୃତ, ୧୨ ଗାଁ ଧ୍ବଂସ, ସାହାଯ୍ୟ ମାଗୁଛି ତାଲିବାନ୍‌ – Utkal Mail


କାବୁଲ: ଶନିବାର ଦିନ ପଶ୍ଚିମ ଆଫଗାନିସ୍ତାନର ହେରାତ୍‌ରେ ସଂଘଠିତ ୬.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୨୦୦୦ ଟପିଥିବା କଥା ଆଜି ଜଣେ ତାଲିବାନ ମୁଖପାତ୍ର କହିଛନ୍ତି।

ଆଫଗାନିସ୍ତାର ସୂଚନା ଓ ସଂସ୍କୃତି ମନ୍ତ୍ରାଳୟର ମୁଖପାତ୍ର ଅବ୍ଦୁଲ୍‌ ୱହିଦ୍‌ ରେୟାନ୍‌ କହିଛନ୍ତି, ମୂଳ ରିପୋର୍ଟରେ ଯାହା ଉଲ୍ଲେଖ ଅଛି ବାସ୍ତବ ମୃତ୍ୟୁସଂଖ୍ୟା ତା’ଠାରୁ ଢେର୍‌ ଅଧିକ। ପ୍ରାୟ ୧୨ଟି ଗାଁ ଧ୍ବଂସ ହୋଇଯାଇଛି ଓ ଅସଂଖ୍ୟ ସାଧାରଣ ଜନତା ଭଗ୍ନସ୍ତୂପରେ ପୋତି ହୋଇ ପଡ଼ିଛନ୍ତି। ଆମେ ଜରୁରୀ ସହାୟତା ଲୋଡୁଛୁ।

ତାଲିବାନଦ୍ବାରା ନିଯୁକ୍ତ ଅର୍ଥନୈତିକ ବ୍ୟାପାରର ଉପପ୍ରଧାନମନ୍ତ୍ରୀ ଅବ୍ଦୁଲ୍‌ ଗନି ବାରାଦାର୍‌ ହେରାତ୍‌ ଓ ବାଦ୍‌ଗିସ୍‌ରେ ମୃତାହତ ଜନତାଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

ଆହତମାନଙ୍କୁ ଡାକ୍ତରଖାନା ନେବା, ବାସହରାଙ୍କୁ ଆଶ୍ରୟ ଓ ବଞ୍ଚିଥିବା ଜନସାଧାରଣଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ଯଥା ଶୀଘ୍ର ସମ୍ଭବ ଭୂମିକମ୍ପ ପ୍ରପୀଡ଼ିତ ଅଞ୍ଚଳରେ ପହଞ୍ଚିବା ଲାଗି ତାଲିବାନ ଆଞ୍ଚଳିକ ସଙ୍ଗଠନମାନଙ୍କୁ ଅନୁରୋଧ କରିଛି। ଭଗ୍ନସ୍ତୂପ ତଳେ ପୋତି ହୋଇ ପଡ଼ିଥିବା ‌ଜନତାଙ୍କୁ ଉଦ୍ଧାର କରିବା ଲାଗି ନିରାପତ୍ତା ଏଜେନ୍‌ସିମାନେ ସମସ୍ତ ସମ୍ବଳ ଉପଯୋଗ କରନ୍ତୁ ସେମାନେ କହିଛନ୍ତି।

Image Courtesy of India Today

ଜାତିସଂଘର ‘କୋଅର୍ଡିନେସନ୍‌ ଅଫ୍‌ ହ୍ୟୁମାନିଟାରିଆନ୍‌ ଆଫେୟାର୍ସ’ ଅଫିସ୍‌ କହିଛି ଯେ, ୪୬୫ଟି ଘର ଧ୍ବଂସ ହୋଇଯାଇଥିବା ବେଳେ ୧୩୫ଟି ଘର ନଷ୍ଟ ହୋଇଛି।

ଜିନ୍ଦା ଜାନ୍‌ ଓ ଘୋରିୟାଁ ଜିଲ୍ଲାରେ ୧୨ଟି ଗାଁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି ବୋଲି ଆଫଗାନିସ୍ତାନ ସରକାରୀ ଅଧିକାରୀମାନେ କହିଛନ୍ତି।

‘ୟୁଏସ୍‌ ଜିଓଲୋଜିକାଲ୍‌ ସର୍ଭେ’ ରିପୋର୍ଟ କରିଛି ଯେ, ଆଫଗାନିସ୍ତାନରେ ସଙ୍ଘଠିତ ହୋଇଥିବା ୬ଟି ଭୂମିକମ୍ପରୁ ସବୁଠୁ ଭୀଷଣ ଥିଲା ରିକ୍ଟର୍‌ ସ୍କେଲ୍‌ରେ ୬.୩ ତୀବ୍ରତାସମ୍ପନ୍ନ ଏହି ଭୂମିକମ୍ପ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button