ଓଡିଶା

ମହାନଦୀ ଜଳ ବିବାଦ ମାମଲା: ଶୁଣାଣି ଆରମ୍ଭ ନେଇ ଅନିଶ୍ଚିତତା ଜାରି

ନୂଆଦିଲ୍ଲୀ:  ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲରେ କେବେଠାରୁ ନିୟମିତ  ଶୁଣାଣି ଆରମ୍ଭ ହେବ ସେ ନେଇ ଅନିଶ୍ଚିତତା ଜାରି ରହିଛି। ୨୦୨୪ ଫେବ୍ରୁଆରି ୨୨ରେ ଟ୍ରିବ୍ୟୁନାଲରେ  ମାମଲାର ୪୩ତମ ଶୁଣାଣି ହୋଇଥିଲା। ଏହାପରେ ଭାରତର ଲୋକପାଳ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ୨୦୨୪ ମାର୍ଚ୍ଚ ୧୨ରେ ତତ୍କାଳୀନ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ ଏଏମ୍‌ ଖାନୱିଲକର ଇସ୍ତଫା ଦେଇଥିଲେ। ତା’ ପରଠାରୁ ଟ୍ରିବ୍ୟୁନାଲରେ ଶୁଣାଣିକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଏହାର ୯ ମାସ ପରେ ଅର୍ଥାତ ଗତବର୍ଷ ଡିସେମ୍ବର ୧୩ରେ ସର୍ବୋଚ୍ଚ ନ୍ୟାୟାଳୟର କାର୍ଯ୍ୟରତ ବିଚାରପତି ବେଲା ଏମ୍‌ ତ୍ରିବେଦୀଙ୍କୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ନୂତନ ଅଧ୍ୟକ୍ଷା ଭାବେ ନିଯୁକ୍ତି କରାଯାଇଛି।

ଜଷ୍ଟିସ ତ୍ରିବେଦୀଙ୍କ ନିଯୁକ୍ତି ପରେ ମହାନଦୀ ଜଳବିବାଦ ମାମଲାର ବିଚାରଣ ପ୍ରକ୍ରିୟାରେ  ଅଗ୍ରଗତି ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା। ଜଷ୍ଟିସ ତ୍ରିବେଦୀ ଗତମାସ ୨୫ରେ ଟ୍ରିବ୍ୟୁନାଲର କାର୍ଯ୍ୟଭାର ଗ୍ରହଣ କରିଥିଲେ। ଟ୍ରିବ୍ୟୁନାଲର ରେଜିଷ୍ଟ୍ରାର୍‌, ଆସେସର୍‌ ଓ ଅନ୍ୟ ଅଧିକାରୀ ତଥା ଓଡ଼ିଶା ଓ ଛତିଶଗଡ଼ର ଆଇନଜୀବୀଙ୍କ ସହିତ ଅନୌପଚାରିକ ଆଲୋଚନା କରିଥିଲେ। ମହାନଦୀ ଜଳ ବିବାଦ  ସମ୍ପର୍କରେ ଟ୍ରିବ୍ୟୁନାଲର ନୂତନ ଅଧ୍ୟକ୍ଷାଙ୍କୁ ପାୱାର୍‌ ପଏଣ୍ଟ୍‌ ପ୍ରେଜେଣ୍ଟେସନ୍‌ ଜରିଆରେ ଅବଗତ କରାଯାଇଥିଲା। ଏଥି ସହିତ  ଉକ୍ତ ଆଲୋଚନାରେ ମହାନଦୀ ଜଳ ବିବାଦର ଆପୋସ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଓଡ଼ିଶା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା।

ଓଡ଼ିଶାର ପ୍ରସ୍ତାବ ଉପରେ ଛତିଶଗଡ଼ ସରକାରଙ୍କ ମତାମତ ଉପରେ କୌଣସି ସୂଚନା ମିଳିପାରିନାହିଁ। ବୈଠକରେ ଓଡ଼ିଶା ପକ୍ଷରୁ ଅଧ୍ୟକ୍ଷାଙ୍କୁ ମହାନଦୀ ଅବବାହିକାର କ୍ଷେତ୍ର ପରିଦର୍ଶନ ପାଇଁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା। ଅନ୍ୟପକ୍ଷେ ଟ୍ରିବ୍ୟୁନାଲରେ ବର୍ତ୍ତମାନ ସୁଦ୍ଧ‌ା ମାମଲା ନିୟମିତଭାବେ ଶୁଣାଣି  ଆରମ୍ଭ ହୋଇ ପାରିନାହିଁ। ଏମିତିରେ ଆସନ୍ତାକାଲି ଟ୍ରିବ୍ୟୁନାଲ୍‌ରେ ମହାନଦୀ ମାମଲା ଶୁଣାଣି ନ ହେବାକୁ ବର୍ଷେ ପୂରିବ। ଅଦ୍ୟାବଧି ଶୁଣାଣି କେବେ ହେବ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ୨୦୨୫ ଜୁନ ୯ରେ ଜଷ୍ଟିସ ତ୍ରିବେଦୀ ସୁପ୍ରିମକୋର୍ଟର ବିଚାରପତି ପଦରୁ ଅବସର ଗ୍ରହଣ କରିବେ। ଅବସର ଗ୍ରହଣ କରିବା ପରେ ଜଷ୍ଟିସ ତ୍ରିବେଦୀ ମହାନଦୀ ଜଳ ବିବାଦ ମାମଲାର ନିୟମିତ ଶୁଣାଣି କରିପାରନ୍ତି ବୋଲି ଅନୁମାନ କରାଯାଉଛି।

୨୦୧୮ ମାର୍ଚ୍ଚ ୧୨ରେ କେନ୍ଦ୍ର ସରକାର ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଗଠନ କରିଥିଲେ। ବିଗତ ‌ସାଢ଼େ ଛଅ ବର୍ଷ ମଧ୍ୟରେ ଟ୍ରିବ୍ୟୁନାଲରେ ମୋଟ ୪୩ଟି ଶୁଣାଣି ହୋଇଛି। ଶୁଣାଣି ପାଇଁ ୪୫ଟି ପ୍ରସଙ୍ଗ ନିର୍ଦ୍ଧାରଣ କରାଯାଇଥିଲା। ଟ୍ରିବ୍ୟୁନାଲରୁ ଓଡ଼ିଶାକୁ କୌଣସି ପ୍ରକାର ଆଶ୍ବସ୍ତି ମିଳିପାରିନଥିବାବେଳେ ବିଚାର ପ୍ରକ୍ରିୟା ଅନ୍ତର୍ଗତ ଟ୍ରିବ୍ୟୁନାଲ୍‌ରେ ମାତ୍ର ଜଣେ ସାକ୍ଷୀଙ୍କର ସାକ୍ଷ୍ୟ ଗ୍ରହଣ ହୋଇଛି। କେନ୍ଦ୍ର ସରକାର ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର କାର୍ଯ୍ୟକାଳକୁ ୨୦୨୬ ଏପ୍ରିଲ ୧୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button