ଚାଷୀଙ୍କ ଲାଗି ୨୦୦ କୋଟି ଇନପୁଟ୍ ସବସିଡି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଚାଷୀଙ୍କ ପାଇଁ ଇନପୁଟ୍ ସବସିଡି ଘୋଷଣା କଲେ ରାଜ୍ୟ ସରକାର । ମରୁଡି ପ୍ରବଣ ଅଞ୍ଚଳରେ ଇନପୁଟ ସବସିଡି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ରାଜ୍ୟ ରାଜକୋଷରୁ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ମିଳିଥିବା ରିପୋର୍ଟ ଅନୁଯାୟୀ, ବର୍ଷା ଅଭାବରୁ ରାଜ୍ୟର ୧୨ଟି ଜିଲ୍ଲାର ୬୪ଟି ବ୍ଲକ୍ ଏବଂ ୧୫ଟି ପୌରାଞ୍ଚଳରେ ଥିବା ପ୍ରାୟ ୨, ୬୩,୫୬୦ ହେକ୍ଟର ଚାଷଜମିରେ ୩୩ ପ୍ରତିଶତ ବା ତା’ଠାରୁ ଅଧିକ ଫସଲହାନି ହୋଇଛି । ଅଥଚ ଏହି ପର୍ଯ୍ୟନ୍ତ ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳର ବହୁସଂଖ୍ୟକ ଚାଷୀ ଫସଲ ବୀମା ରାଶି ପାଇପାରି ନାହାନ୍ତି ।
ଏହି ସମ୍ପର୍କରେ ରାଜ୍ୟ ସରକାର କ୍ରମାଗତ ଭାବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ବୈଷୟିକ ଉପଦେଷ୍ଟା କମିଟିକୁ ଜଣାଇବା ସହ ଅନୁରୋଧ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ସେହିପରି ଅନ୍ୟପଟେ ଫସଲ ବୀମା ନେଇ ପଦ୍ମପୁରରେ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସହ ଆଲୋଚନା ପରେ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଟୁଇଟ୍ କରିଛନ୍ତି । ସେ ଲେଖିଛନ୍ତିଯେ, କୃଷକଙ୍କ ଟଙ୍କା ଯଥାଶୀଘ୍ର ହସ୍ତାନ୍ତର ପାଇଁ କେନ୍ଦ୍ର ପ୍ରତିଶୃତିବଦ୍ଧ । କେନ୍ଦ୍ର ବିଶେଷଜ୍ଞ ପରାମର୍ଶ ସମିତି ଦ୍ୱାରା ଏନେଇ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତ ସମ୍ପର୍କରେ ବୀମା କମ୍ପାନୀ ଓ ସମସ୍ତ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ତେଣୁ ଚାଷୀଙ୍କୁ ତୁରନ୍ତ ଫସଲ ବୀମା ଟଙ୍କା ଦିଆଯାଉ ବୋଲି କହିଛନ୍ତି ।


