ରାଜନୀତି

ଆମେରିକୀୟ କମ୍ପାନିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ: ୬-୭ ମାସରେ ‘ଉତ୍କର୍ଷ ଉତ୍କଳ’ ସମ୍ମିଳନୀ

ଭୁବନେଶ୍ବର: ଆଉ ୬-୭ ମାସ ପରେ ରାଜ୍ୟ ସରକାର ଆୟୋଜନ କରିବେ ପ୍ରଥମ ନିବେଶ ସମ୍ମିଳନୀ ‘ଉତ୍କର୍ଷ ଉତ୍କଳ’। ପୂର୍ବର ବିଜେଡି ସରକାର ଅମଳରେ ‘ମେକ୍ ଇନ୍ ଓଡ଼ିଶା’ ନାମରେ ଏହି ସମ୍ମିଳନୀ ଆୟୋଜନ ହେଉଥିଲା। ବିଜେପି ରାଜ୍ୟରେ ସରକାର ଗଠନ କରିବା ପରେ ତାହାର ନାମକୁ ବଦଳାଇ ‘ଉତ୍କର୍ଷ ଉତ୍କଳ’ ରଖିଛି।

ଏହି ସମ୍ମିଳନୀରେ ଭାଗ ନେବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆମେରିକାର କମ୍ପାନିଗୁଡ଼ିକୁ ଆମନ୍ତ୍ରଣ କରିଛନ୍ତି। ଏଥି ସହିତ ରାଜ୍ୟରେ ଥିବା ନିବେଶ ସୁଯୋଗ, ସମୃଦ୍ଧ ଐତିହ୍ୟ ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଅନୁସନ୍ଧାନ କରିବାକୁ ମଧ୍ୟ ଆମେରିକାବାସୀ ଓ କମ୍ପାନିଗୁଡ଼ିକୁ ସେ ଆହ୍ବାନ ଦେଇଛନ୍ତି। ଦୁଇ ଅଞ୍ଚଳ ମଧ୍ୟରେ ସାଂସ୍କୃତିକ ଭାବ ବିନିମୟ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି।

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ହାଇଦ୍ରାବାଦସ୍ଥିତ ଆମେରିକା କନ୍‌ସୁଲ୍‌ ଜେନେରାଲ୍‌ ମୁଖ୍ୟ ଜେନିଫର୍‌ ଲାର୍ସନ ସାକ୍ଷାତ କରିବା ଅବସରରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଉତ୍କର୍ଷ ଉତ୍କଳ ସମ୍ମିଳନୀରେ ଯେଭଳି ଅଧିକରୁ ଅଧିକ ଆମେରିକୀୟ କମ୍ପାନି ଅଂଶଗ୍ରହଣ କରିବେ, ସେଥିପାଇଁ ଲାର୍ସନଙ୍କ ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ। ଉଭୟଙ୍କ ମଧ୍ୟରେ ଓଡ଼ିଶା ଓ ଆମେରିକା ସହଯୋଗିତା ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା। ବିଶେଷ କରି ଶିଳ୍ପ, ଶିକ୍ଷା, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଓ ସଂସ୍କୃତି ଭଳି ବିଭିନ୍ନ ‌କ୍ଷେତ୍ରରେ ସହଯୋଗିତା ବଢ଼ାଇବା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି।

ଏଥି ସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଓ ମେସିନ ଲର୍ଣ୍ଣିଂ (ଏମ୍ଏଲ୍‌) ଉପରେ ଆମେରିକା ବିଶ୍ବବିଦ୍ୟାଳୟଗୁଡ଼ିକ ସହ ସହଯୋଗିତା ସ୍ଥାପନ କରିବା ଲାଗି ମୁଖ୍ୟମନ୍ତ୍ରୀ ଆଗ୍ରହ ପ୍ରକାଶ କରିଛନ୍ତି। ଓଡ଼ିଶା ଓ ଆମେରିକା ବିଶ୍ବବିଦ୍ୟାଳୟଗୁଡ଼ିକ ମଧ୍ୟରେ ଉଚ୍ଚ ଶିକ୍ଷାକୁ ନେଇ ସହଯୋଗିତା ସ୍ଥାପନ କରିବା ଉପରେ ସେ ଜୋର ଦେଇଛନ୍ତି। ସେମିକଣ୍ଡକ୍ଟର ଶିଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଆମେରିକୀୟ କମ୍ପାନିଙ୍କ ନିବେଶ ଲୋଡ଼ିଛନ୍ତି। ଏହି ଅବସରରେ ଆମେରିକା କନ୍‌ସୁଲ୍‌ ଜେନେରାଲ୍ ମୁଖ୍ୟ ଲାର୍ସନ କହିଥିଲେ ଯେ ଓଡ଼ିଶାରେ ଶିଳ୍ପ ପରିବେଶ ବେଶ୍ ଉତ୍ସାହଜନକ ରହିଛି। ଓଡ଼ିଶା ସହ ବାଣିଜ୍ୟିକ ସମ୍ପର୍କ ବଢ଼ାଇବାକୁ ଆମେରିକା ବେଶ୍ ଆଗ୍ରହୀ। ଓଡ଼ିଶାର ସଂସ୍କୃତିକୁ ପ୍ରଶଂସା କରିବା ସହ ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ ସହଯୋଗିତା ବଢ଼ାଇବାକୁ ଆମେରିକା ପ୍ରସ୍ତୁତ ବୋଲି ସେ କହିଛନ୍ତି। ଏହି ଅବସରରେ ଉନ୍ନୟନ କମିସନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ଉପସ୍ଥିତ ଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button