ଇଡେନ୍ର ପ୍ରଥମ: ବାଂଲାଦେଶ-ନେଦରଲାଣ୍ଡ୍ସ ମୁକାବିଲା ଆଜି – Utkal Mail
କୋଲ୍କାତା: ବିଶ୍ବକପ୍ରେ ସେମିଫାଇନାଲ୍ ଆଶା ଉଜ୍ଜୀବିତ ରଖିବାକୁ ଶନିବାର ବାଂଲାଦେଶ ଓ ନେଦରଲାଣ୍ଡ୍ସ ମୁହାଁମୁହିଁ ହେବେ। କୋଲ୍କାତାର ଇଡ଼େନ ଗାର୍ଡେନ୍ସରେ ଏହି ମ୍ୟାଚ୍ ଅପରାହ୍ନ ୨ଟାରେ ଖେଳାଯିବ। କ୍ରୀଡ଼ାପ୍ରେମୀଙ୍କ ସହର କୋଲ୍କାତାରେ ବିଶ୍ବକପ୍ର ପ୍ରଥମ ମୁକାବଲା ଅନୁଷ୍ଠିତ ହେବାକୁ ଯାଉଛି। ନିକଟରେ ୧୦ ଦିନ ବ୍ୟାପୀ ଦଶହରା ଉତ୍ସବକୁ ଧୁମ୍ଧାମ୍ରେ ପାଳି ସାରିବା ପରେ ପଶ୍ଚିମବଙ୍ଗ ଲୋକମାନଙ୍କ ପାଇଁ କ୍ରିକେଟ୍ ଉତ୍ସବ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚ୍ ସହିତ ମୋଟ୍ ୫ ମ୍ୟାଚ୍ ଇଡ଼େନ ଗାର୍ଡେନ୍ସରେ ଆୟୋଜିତ ହେବ। ଯାହାମଧ୍ୟରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ (ନଭେମ୍ବର ୫) ଏବଂ ଦ୍ବିତୀୟ ସେମିଫାଇନାଲ୍ ମଧ୍ୟ ଅନୁଷ୍ଠିତ ହେବ।
ବର୍ତ୍ତମାନସୁଦ୍ଧା ଉଭୟ ବାଂଲାଦେଶ ଓ ନେଦରଲାଣ୍ଡ୍ସ ଖେଳିଥିବା ୫ ମ୍ୟାଚ୍ରୁ ଗୋଟିଏ ଲେଖାଏଁ ବିଜୟ ପାଇଛନ୍ତି। ଆଫଗାନିସ୍ତାନକୁ ପରାସ୍ତ କରି ବାଂଲାଦେଶ ସକରାତ୍ମକ ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ଏହାପରଠୁ ବିଜୟ ସ୍ବାଦ ପାଇନି। ଅଧିକ ଅଭିଜ୍ଞତା ରଖୁଥିବା ଅଧିନାୟକ ସାକିବ ଅଲ୍ ହାସନ ବର୍ତ୍ତମାନ ସୁଦ୍ଧା ମାତ୍ର ୬ ୱିକେଟ୍ ପାଇଥିଲା ବେଳେ ବ୍ୟାଟିଂରେ ସଂଘର୍ଷ କରୁଛନ୍ତି। ସେହିପରି ୩ ନମ୍ବରରେ ଖେଳୁଥିବା ନଜମୁଲ ହୋସେନ ସାଣ୍ଟୋ ୪ ମ୍ୟାଚ୍ରୁ ଏପର୍ଯ୍ୟନ୍ତ ଦୁଇ ଅଙ୍କରେ ପହଞ୍ଚି ପାରିନାହାନ୍ତି। ଅନ୍ୟପକ୍ଷରେ ନେଦରଲାଣ୍ଡ୍ସ ଚଳିତ ସଂସ୍କରଣରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବଡ଼ ବିପର୍ଯ୍ୟୟ କରିବା ସହିତ ଅନ୍ୟ ପ୍ରତିପକ୍ଷଙ୍କୁ ସାହସର ସହିତ ମୁକାବିଲା କରୁଛନ୍ତି। ଏହି ଦଳ ଯୋଗ୍ୟତା ପର୍ଯ୍ୟାୟରେ ୱେଷ୍ଟଇଣ୍ଡିଜ୍କୁ ବିଦା କରାଇଥିଲା। ତେଣୁ ଦୁର୍ବଳ ଦଳ ହୋଇଥିଲେ ମଧ୍ୟ ବିପର୍ଯ୍ୟୟ ଘଟାଉଥିବା ନେଦରଲାଣ୍ଡ୍ସ ପ୍ରତି ପ୍ରତ୍ୟେକ ଦଳ ସତର୍କତାର ସହ ମୁକାବିଲା କରୁଛନ୍ତି।
ସମ୍ଭାବ୍ୟ ବାଂଲାଦେଶ ଦଳ: ତାଂଜିଦ ହାସନ, ଲିଟନ ଦାସ, ନଜମୁଲ ହୋସେନ ସାଣ୍ଟୋ, ସାକିବ ଅଲ ହାସନ, ମେହିଦି ହାସନ ମିରାଜ, ମୁସଫିକର ରହିମ, ମହମ୍ମଦୁଲ୍ଲା, ମେହିଦି ହାସନ, ମୁସ୍ତାଫିଜୁର ରହମାନ, ସରିଫୁଲ ଇସଲାମ, ତସ୍କିନ ଅହମଦ।
ସମ୍ଭାବ୍ୟ ନେଦରଲାଣ୍ଡ୍ସ ଦଳ: ବିକ୍ରମଜୀତ ସିଂହ, ମ୍ୟାକ୍ସ ଓ’ଦାଉଦ, କଲିନ ଆକରମନ, ବାସ ଡି’ଲିଡେ, ତେଜା ନିଦାମନୁରୁ, ସ୍କଟ ଏଡୱାର୍ଡ୍ସ, ସାଏବ୍ରାଣ୍ଡ ଏଙ୍ଗଲବ୍ରେଚ୍ଟ, ଲୋଗାନ ଭାନ ବିକ୍, ରୋଲଫ ଭାନ ଡର ମରୱି, ଆର୍ଯ୍ୟନ ଦତ୍ତ, ପଲ୍ ଭାନ ମିକେରନ।