ନୀତି

ଇସ୍ରାଏଲ ରକ୍ତପାତର ମାଷ୍ଟରମାଇଣ୍ଡ ବାବଦରେ ଜାଣନ୍ତି କି ଏସବୁ ଅଜଣା କଥା – Utkal Mail


ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ୯/୧୧ ସହ ତୁଳନା କରାଯାଉଛି। ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ପାଲେଷ୍ଟିନୀୟ ଆତଙ୍କବାଦୀ ମହମ୍ମଦ ଡିଫ୍‌, ଯିଏ ଏହି ଆକ୍ରମଣର ନାଁ ଦେଇଛି ‘ଅଲ ଅକ୍ସା ଫ୍ଲଡ୍‌’। ଜେରୁଜେଲମର ଅଲ ଅକ୍ସା ମସଜିଦ ଉପରେ ଇସ୍ରାଏଲ ଚଢ଼ଉର ପ୍ରତିଶୋଧ ନେବା ପାଇଁ ଏହି ଆକ୍ରମଣ କରାଯାଇଥିବା ହମାସ ଦ୍ବାରା ପ୍ରସାରିତ ଏକ ଅଡିଓ ଟେପ୍‌ରେ ଡିଫ କହୁଥିବା ଶୁଣାଯାଉଛି। ତେବେ ମହମ୍ମଦ ଡିଫ କିଏ ଓ କାହିଁକି ସେ ନିରୀହ ଲୋକଙ୍କ ରକ୍ତରେ ହୋଲି ଖେଳୁଛି ? ଆଜି ଆମେ ଆପଣଙ୍କୁ ଡିଫ ବାବଦରେ ଏଭଳି କିଛି କଥା କହିବୁ ଯାହାକି ବିଶ୍ୱାସ ନ ଲାଗିଲେ ବି ସତ | ମହମ୍ମଦ ଡିଫ ହାମାସର ଦୁର୍ଦ୍ଧଷ ଟିମ ଅଲ କାସିମର ମୁଖ୍ୟ | ସେ ଆତଙ୍କବାଦୀମାନଙ୍କୁ ଚୟନ କରି ତାଲିମ ଦେବା ସହ ଆତଙ୍କବାଦୀଙ୍କୁ ଅସ୍ତ୍ର ଯୋଗା ନିରୀହ ଇସ୍ରାଏଲ ନାଗରିକଙ୍କ ରକ୍ତର ହୋଲି ଖେଳିବାକୁ ନିର୍ଦ୍ଦେଶ ଦେଇଥିଲା | ହାମାସର ସାମରିକ ବ୍ରିଗେଡ୍ ଅଲ-କାସିମର ପ୍ରତିଷ୍ଠାତାମାନଙ୍କ ମଧ୍ୟରେ ମହମ୍ମଦ ଡିଫ ଅନ୍ୟତମ । ୨୦୦୨ରେ ସାଲେହ ଶେହଦାଙ୍କ ହତ୍ୟା ପରେ ମହମ୍ମଦ ଡିଫକୁ ଅଲ କାସିମ ବ୍ରିଗେଡର ମୁଖ୍ୟ କରାଯାଇଥିଲା।

ମହମ୍ମଦ ଡିଫ ୧୯୬୫ ମସିହାରେ ଗାଜାର ଏକ ଶରଣାର୍ଥୀ ଶିବିରରେ ଜନ୍ମ ହୋଇଥିଲା | ଡିଫର ପିତା ଏବଂ ଦାଦା ମଧ୍ୟ ଇସ୍ରାଏଲ ବିରୁଦ୍ଧରେ ଲଢ଼ିଥିଲେ । ଡିଫ ୧୯୮୭ ମସିହାରେ ହାମାସରେ ଯୋଗ ଦେଇଥିଲା । ୧୯୮୯ରେ, ଇସ୍ରାଏଲ୍ ଡିଫକୁ ଗିରଫ କରିଥିଲା ​​ଏବଂ ସେ ୧୬ ମାସ ପର୍ଯ୍ୟନ୍ତ ଇସ୍ରାଏଲ୍ ଜେଲରେ ରହିଥିଲା । ଜେଲରୁ ବାହାରିବା ପରେ ଡିଫ ଇସ୍ରାଏଲ ବିରୋଧୀ ଅଭିଯାନର ହିରୋ ସାଜିଥିଲା । ଗାଜା ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ କରିଥିବା ଡିଫ , ସୁଡ଼ଙ୍ଗ ନିର୍ମାଣରେ ସିଦ୍ଧହସ୍ତ ବୋଲି କୁହାଯାଏ | ଡିଫକୁ ହତ୍ୟା କରିବାକୁ ଇସ୍ରାଏଲ ୭ ଥର ଉଦ୍ୟମ କରିଥିଲେ ମଧ୍ୟ ସେ ଖସିଯିବାରେ ସଫଳ ହୋଇଥିଲା ଏବଂ ସର୍ବସାଧାରଣରେ ଆତ୍ମପ୍ରକାଶ କରୁ ନ ଥିଲା। ଇସ୍ରାଏଲ ଆକ୍ରମଣରେ ମହମ୍ମଦ ଡିଫର ଗୋଟିଏ ଆଖି ଏବଂ ଗୋଟିଏ ଗୋଡ଼ କ୍ଷତିଗ୍ରସ୍ତ ହୋଇଛି | ଅକ୍ଟୋବର ୭ ଆକ୍ରମଣ ପରେ ଇସ୍ରାଏଲ ପୁଣି ମହମ୍ମଦ ଡିଫର ଘରକୁ ଟାର୍ଗେଟ କରିଛି। ଖବର ଅନୁଯାୟୀ, ଏହି ଆକ୍ରମଣରେ ଡିଫର ଭାଇଙ୍କ ସମେତ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ଡିଫକୁ ହତ୍ୟା କରିବା ପାଇଁ ୨୦୧୪ରେ ମଧ୍ୟ ସମାନ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ମହମ୍ମଦ ଡିଫର ପତ୍ନୀ, ପୁଅ ଏବଂ ଝିଅ ପ୍ରାଣ ହରାଇଥିଲେ ମଧ୍ୟ ସେ ବଞ୍ଚିଯାଇଥିଲା ।




Related Articles

Leave a Reply

Your email address will not be published. Required fields are marked *

Back to top button