ବ୍ୟବସାୟ

ଜିନ୍ଦଲ ଭ୍ରାତାଙ୍କ ବିମାନ, କାର୍‌ ସ୍ବପ୍ନ: ଗୋଫାଷ୍ଟ୍‌କୁ କିଣିବା ଦୌଡ଼ରେ ନବୀନ – Utkal Mail


କାର୍‌ କଂପାନି ଉପରେ ସଜ୍ଜନଙ୍କ ନଜର

ମୁମ୍ବାଇ: ଦେଶର ଦୁଇ ବିଶିଷ୍ଟ ଉଦ୍ୟୋଗୀ ତଥା ଭାଇ ସଜ୍ଜନ ଜିନ୍ଦଲ ଓ ନବୀନ ଜିନ୍ଦଲ ନିଜ ବ୍ୟବସାୟ ସାମ୍ରାଜ୍ୟକୁ ସମ୍ପ୍ରସାରିତ କରି ଅନ୍ୟ କ୍ଷେତ୍ରରେ ପ୍ରବେଶ କରିବାକୁ ଜୋରଦାର ଉଦ୍ୟମ କରୁଛନ୍ତି। ଏହି ପଥରେ ସଜ୍ଜନ ଆଗକୁ ବଢ଼ି ଏକ କାର୍ କଂପାନିର ମାଲିକ ହେବା ଲାଗି ଉଦ୍ୟମ କରୁଥିବା ବେଳେ ଏକ ଏୟାରଲାଇନ୍ସକୁ କିଣିବା ଲାଗି ସାନ ଭାଇ ନବୀନ ଆଗ୍ରହ ପ୍ରକାଶ କରିଛନ୍ତି। ଦୁଇ ଭାଇ ଏବେ ଏୟାରଲାଇନ୍ସ ଓ କାର୍ ବ୍ୟବସାୟରେ ନିଜର ପତିଆରା ବଢ଼ାଇବାକୁ ସ୍ବପ୍ନ ଦେଖିବା ଆରମ୍ଭ କରିଛନ୍ତି। ଇସ୍ପାତ ଜଗତର ଦୁଇ ପ୍ରତି‌ଷ୍ଠିତ ଚେହେରା ଥିବା ସଜ୍ଜନ ଓ ନବୀନ ନିଜ ସ୍ବପ୍ନ ପୂରଣ କରିବାରେ କେତେ ସଫଳ ହେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ।

ଗତ ମେ’ରୁ ଉଡ଼ାଣ ବନ୍ଦ କରି ନିଜକୁ ଦେବାଳିଆ ଘୋଷଣା କରିବାକୁ ଉଦ୍ୟମ କରୁଥିବା ଗୋ ଫାଷ୍ଟ୍‌କୁ କିଣିବା ଲାଗି ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାୱାରର ମୁଖ୍ୟ ନବୀନ ଜିନ୍ଦଲ ଆଗ୍ରହ ପ୍ରକାଶ କରିଛନ୍ତି। ନିଜ ସଂସ୍ଥା ଜିନ୍ଦଲ ପାୱାର ଜରିଆରେ ସେ ଏଥିପାଇଁ ବିଡ୍‌ ଦାଖଲ କରିଛନ୍ତି। ଗୋ ଫା‌ଷ୍ଟ୍‌ ପୂର୍ବରୁ ଗୋ ଏୟାର ନାମରେ ପରିଚିତ ଥିଲା। ଏହା ମୁମ୍ବାଇର ୱାଡ଼ିଆ ପରିବାର ଅଧୀନ‌ରେ ପରିଚାଳିତ ହେଉଥିଲା। ମାତ୍ର ଇଞ୍ଜିନ ମରାମତି କରିବାରେ ଅସଫଳ ହେବାରୁ କଂପାନି ଘୋର ଆର୍ଥିକ ସଙ୍କଟରେ ଫସିଯାଇଥିଲା। ତେଣୁ ନିଜକୁ ଦେବାଳିଆ ଘୋଷଣା କରିବାକୁ କଂପାନି ଉଦ୍ୟମ ଆରମ୍ଭ କରିଥିଲା। ଗୋ ଫାଷ୍ଟ୍‌କୁ ବଞ୍ଚାଇ ଲାଗି ସରକାର ଓ ନିୟାମକ ସଂସ୍ଥା ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ଏହାକୁ ବିକ୍ରି କରିବା ଲାଗି ବିଡ୍‌ ଆହ୍ବାନ କରାଯାଇଥିବା ବେଳେ ଜିନ୍ଦଲଙ୍କ କଂପାନି ବ୍ୟତୀତ ଅନ୍ୟ ଦୁଇଟି ସଂସ୍ଥା ମଧ୍ୟ ଗୋଫାଷ୍ଟ୍‌ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। କିନ୍ତୁ ନବୀନ ଦୌଡ଼‌ରେ ଆଗରେ ଥିବା କୁହାଯାଉଛି। ଗୋଫାଷ୍ଟ୍‌କୁ କିଣିବା ଯେକୌଣସି ସଂସ୍ଥା ପାଇଁ ଏକ ସାହସିକ ପଦକ୍ଷେପ ବୋଲି କୁହାଯାଇପାରିବ। କାରଣ ଏହି ଏୟାରଲାଇନ୍ସକୁ ପାଣ୍ଠି ଯୋଗାଇଥିବା ସଂସ୍ଥାଗୁଡ଼ିକ ୨୦,୦୦୦ କୋଟି ଟଙ୍କା ପାଇବା ବାକି ଅଛି। କଂପାନିକୁ କିଣିବା ଲାଗି ଗ୍ରାହକମାନଙ୍କ ଭିତରେ ବିଶେଷ ଆଗ୍ରହ ନଥିବାରୁ ବିଡ୍‌ ଦାଖଲ ସମୟ ସୀମାକୁ ଦୁଇ ଥର ବୃଦ୍ଧି କରାଯାଇଛି।

ଇସ୍ପାତ, ଶକ୍ତି ଓ ଖଣି ବ୍ୟବସାୟ ସହ ଗଭୀର ଭାବେ ଜଡ଼ିତ ଥିବା ନବୀନ ଏବେ ନିଜ କାରବାରକୁ ଅନ୍ୟ କ୍ଷେତ୍ରକୁ ସମ୍ପ୍ରସାରିତ କରିବା ଉପରେ ଗୁରୁତ୍ବାରୋପ କରୁଛନ୍ତି। ଯଦି ନବୀନ ଗୋଫାଷ୍ଟ୍‌କୁ କିଣିବାରେ ସଫଳ ହେବେ ତେବେ ସେ ବିମାନ ଚଳାଚଳ କ୍ଷେତ୍ରରେ ପ୍ରବେଶ କରିପାରିବେ। ଅନ୍ୟ ପକ୍ଷରେ ନବୀନଙ୍କ ବଡ଼ ଭାଇ ତଥା ଜେଏସ୍‌ଡବ୍ଲୁ ‌ଷ୍ଟିଲ୍‌ର ମୁଖ୍ୟ ସଜ୍ଜନ ଜିନ୍ଦଲ ମଧ୍ୟ ନିଜ ବ୍ୟବସାୟ ସମ୍ପ୍ରସାରଣ କରିବା ଲାଗି ଉଦ୍ୟମ କରୁଛନ୍ତି। ଚୀନ୍‌ର ସଂସ୍ଥା ଏସ୍‌ଏଆଇସି ମାଲିକାନାରେ ପରିଚାଳିତ ହେଉଥିବା କାର୍‌ କଂପାନି ଏମ୍‌ଜି ମୋଟରର ଅଂଶଧନ କିଣିବାକୁ ସେ ଆଲୋଚନା ଜାରି ରଖିଥିବା ଚର୍ଚ୍ଚା ହେଉଛି। ଅବଶ୍ୟ ବର୍ତ୍ତମାନ ସୁଦ୍ଧା କଂପାନି ପକ୍ଷରୁ ଏବି‌ଷୟରେ କିଛି ବି ସ୍ପଷ୍ଟ କରାଯାଇନାହିଁ। ବ୍ରିଟେନ୍‌ର ପ୍ରତିଷ୍ଠିତ କାର୍ ବ୍ରାଣ୍ଡ୍‌ ମୋରିସ୍‌ ଗ୍ୟାରେଜ୍‌ର ଏକ ସହଯୋଗୀ ସଂସ୍ଥା ହେଉଛି ଏମ୍‌ଜି ମୋଟର। ଅଳ୍ପ ସମୟରେ ଭାରତରେ ଏହା ପ୍ରତିଷ୍ଠା ହାସଲ କରିପାରିଛି। ମାତ୍ର ଭାରତ ଓ ଚୀନ୍ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ପାଇଁ ନୂଆ ପାଣ୍ଠି ଯୋଗାଡ଼ କରିବାରେ କଂପାନି ସଂଘର୍ଷ କରୁଛି। ତେଣୁ ଭାରତର ଯେକୌଣସି କଂପାନି ସହ ମିଶି ତାହା ଆଗକୁ ବଢ଼ିବାକୁ ଚାହୁଛି। ସେହି ସୁଯୋଗକୁ ହାସଲ କରିବା ଲାଗି ସଜ୍ଜନ ଉଦ୍ୟମ କରୁଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button