ଜୀବନ-ମନ୍ତ୍ର: ମହିଷାସୁରର ଜନ୍ମବୃତ୍ତାନ୍ତ – Utkal Mail
‘ଶ୍ରୀଚଣ୍ଡୀପୁରାଣ’ ସାରଳା (ସାରୋଳ) ଦାସଙ୍କର ଅନ୍ୟ ଏକ ପ୍ରମୁଖ ରଚନା। ସେଥିରେ ବର୍ଣ୍ଣିତ ହୋଇଛି ମହିଷାସୁରର ଜନ୍ମବୃତ୍ତାନ୍ତ। ପରିକ୍ଷିତ ଶୁକମୁନିଙ୍କୁ ପଚାରିଥିଲେ- ହେ ମୁନି! ନାରାୟଣ ଅନନ୍ତକୋଟି ଅବତାର ହୋଇ ଅନେକ ଦାନବଙ୍କୁ ବିନାଶ କରିଛନ୍ତି। କିନ୍ତୁ ମହିଷାସୁରକୁ ନାଶ କରିବାପାଇଁ ତାଙ୍କର ଦାନବଧ୍ୱଂସିନୀ ଅବତାର କାହିଁକି ହେଲା? ତାହାର ଉତ୍ତରରେ, ଶୁକମୁନି ପ୍ରଥମେ ତାଙ୍କୁ ମହିଷାସୁରର ଜନ୍ମବୃତ୍ତାନ୍ତ ଶୁଣାଇଥିଲେ। ଶୁକମୁନି କହିଲେ- ମଧୁ-କୈଟଭଙ୍କ ମେଦରୁ ମେଦିନୀର ସୃଷ୍ଟି ହେଲା। ଏହି ମହୀସ୍ଥଳୀର ରାଜା ହେଲେ ମହୀଦାସ। ତାଙ୍କ ରାଜ୍ୟର ନାମ ହେଲା ମହୀଆଳି। ମହୀଦାସଙ୍କ ପୁତ୍ର ଥିଲେ ସୌଦାସ ଓ ସୌଦାସଙ୍କ ପୁତ୍ର ଜଳତରଙ୍ଗ। ଜଳତରଙ୍ଗଙ୍କ ପୁତ୍ର ମେଧା ଓ ମେଧାଙ୍କ ପୁତ୍ର କୃତକେଶୀ। ତାଙ୍କର ପୁତ୍ର ତ୍ରିଜଟା। ତ୍ରିଜଟା ଭାସ୍କରଙ୍କୁ ପୂଜା କରି ଭାସ୍କର ନାମକ ପୁତ୍ର ପାଇଲେ। ଭାସ୍କରଙ୍କ ପୁତ୍ର ପିଙ୍ଗଳା। ତାଙ୍କର ଅନ୍ୟନାମ ବଜ୍ରସିଂହ। ବଜ୍ରସିଂହଙ୍କ ପୁତ୍ର କପିଳସିଂହ। ଏହି କପିଳସିଂହଙ୍କ ପୁତ୍ର ହେଉଛି ମହିଷା। ମହିଷାସୁରର ଜନ୍ମବୃତ୍ତାନ୍ତ ଅତ୍ୟନ୍ତ ବିଚିତ୍ର।
କପିଳସିଂହ ୧୪ ବର୍ଷ ତପସ୍ୟା କରି ଈଶ୍ୱରଙ୍କୁ ସନ୍ତୁଷ୍ଟ କଲେ ଏବଂ ତାଙ୍କଠାରୁ ବର ପାଇଲେ, ଯେ ସେ ସ୍ତ୍ରୀ-ଜିତା ହେବେ। ଶୃଙ୍ଗାରରେ କୌଣସି ନାରୀ ତାଙ୍କର ସମକକ୍ଷ ହେବେ ନାହିଁ। କପିଳସିଂହଙ୍କ ସ୍ତ୍ରୀ ଧର୍ମରେଖା। ତେଣୁ ଧର୍ମରେଖା ତାଙ୍କର ଶୃଙ୍ଗାରକୁ ଭୟ କଲେ ଏବଂ ଏକ ମହିଷୀ ରୂପ ଧରି ସିଂହଳ ଚାଲିଯାଇ ସେଠାରେ ଲୁଚି ରହିଲେ। ସେହି ସମୟରେ ଯମଙ୍କ ବାହନ ମହିଷ ତାହାଙ୍କୁ ଦେଖି ଆକର୍ଷିତ ହେଲେ ଏବଂ ବଳପୂର୍ବକ ତାହାଙ୍କୁ ରମଣ କରିବା ଫଳରେ ସେହି ଦେବବାହନ ଓ ଅସୁରୀର ମିଳନରୁ ମହାବଳୀ, ମହାତେଜା ମହିଷା ଜାତ ହେଲା। ଏ ପ୍ରସଙ୍ଗରେ ଏକ ବିଡ଼ମ୍ବନାର ବିଷୟ ହେଉଛି- ମହିଷାସୁରର ପାରିବାରିକ ପିତା କପିଳସିଂହ ଈଶ୍ୱରଙ୍କଠାରୁ ସ୍ତ୍ରୀ-ଜିତା ହେବାର ବର ପାଇଥିଲେ ହେଁ, ଦୁର୍ଗାନାମ୍ନୀ ଜଣେ ନାରୀ ବା ଈଶ୍ୱରୀଙ୍କ ଦ୍ୱାରା ହିଁ ମହିଷାସୁର ନିହତ ହୋଇଥିଲା।
‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :- [email protected]