ଆବିଷ୍କାର ହେଲା ଷଷ୍ଠ ସ୍ବାଦ! – Utkal Mail
ଆମେ ସାଧାରଣତଃ ମିଠା, ଲୁଣିଆ, ପିତା, ରାଗ ଓ ଖଟା ପରି ପାଞ୍ଚ ପ୍ରକାରର ସ୍ବାଦ ବାରିପାରୁ ବୋଲି ପୂର୍ବରୁ ଜଣା ଥିଲା। ତେବେ ଏହା ବାଦ୍ ଆଉ ଏକ ପ୍ରକାର ସ୍ବାଦ ବାରିବାକୁ ଆମ ଜିଭର ସାମର୍ଥ୍ୟ ରହିଛି ବୋଲି ଦକ୍ଷିଣ କାଲିଫର୍ଣ୍ଣିଆ ଓ କଲରାଡୋ ବିଶ୍ବବିଦ୍ୟାଳୟର ଗବେଷକମାନେ ନିକଟରେ ଜାଣି ପାରିଛନ୍ତି। ନାମକରଣ ହୋଇନଥିବା ଏହି ସ୍ବାଦଟି ରାସାୟନିକ ଯୌଗିକ ଆମୋନିଅମ୍ କ୍ଲୋରାଇଡ୍ ସହ ଜଡ଼ିତ ବୋଲି ସେମାନେ ସୂଚନା ଦେଇଛନ୍ତି। ସେମାନଙ୍କ କହିବାନୁସାରେ, ଆମୋନିଅମ୍ କ୍ଲୋରାଇଡ୍ ଯେତେବେଳେ ଜିହ୍ବା ସଂସ୍ପର୍ଶରେ ଆସେ, ସେତେବେଳେ ପିତା, ଲୁଣିଆ ଓ ସାମାନ୍ୟ ଖଟାଳିଆର ଏକ ମିଶ୍ରିତ ସ୍ବାଦ ପାଟିକୁ ଜଣାପଡ଼ିଥାଏ।
ପୂର୍ବରୁ ଆମୋନିଅମ୍ କ୍ଲୋରାଇଡ୍ ପ୍ରତି ଅନ୍ୟ ଜୀବଜନ୍ତୁଙ୍କର ସ୍ବାଦ ପ୍ରତିକ୍ରିୟା ଅଧ୍ୟୟନ କରାଯାଇଥିଲା। ତେବେ ଏବେ ପ୍ରଥମ ଥର ପାଇଁ ତାହା ପ୍ରତି ମନୁଷ୍ୟର ସ୍ବାଦ ପ୍ରତିକ୍ରିୟା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଆମୋନିଅମ୍ କ୍ଲୋରାଇଡ୍ ବିଶେଷ କରି ରାସାୟନିକ ସାର ଓ ଔଷଧ ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ। ସେହିପରି ଏହାକୁ ମଧ୍ୟ ଏସୀୟ ଦେଶମାନଙ୍କରେ କିଛି ଖାଦ୍ୟକୁ କଡ଼କ କରିବା ପାଇଁ ଉପଯୋଗ କରାଯାଇଥାଏ। ୟୁରୋପର ମଧ୍ୟ କିଛି ସ୍ଥାନରେ ଏହାକୁ ସାଲମିଆକ୍ ଲବଣ ଭାବରେ ସଲ୍ଟି ଲିକ୍ବିରାଇସ୍ ନାମକ ମିଠାରେ ମିଶାଯାଇଥାଏ। ତେବେ ସ୍ବତନ୍ତ୍ର ଭାବରେ ଏହାର ସ୍ବାଦ କ’ଣ କେହି ଜାଣିନଥିଲେ। ପୂର୍ବ ଅଧ୍ୟୟନମାନଙ୍କରେ ଓଟୋପେଟ୍ରିନ୍-୧ ନାମକ ପ୍ରୋଟିନ୍ କିପରି ଖଟାଳିଆ ସ୍ବାଦ ବାରିପାରେ, ସେ ବାବଦରେ ବୈଜ୍ଞାନିକମାନେ ବିସ୍ତୃତ ବ୍ୟାଖ୍ୟା କରିଥିଲେ। ଏଥର ସେମାନେ ଅନୁରୂପ କୌଶଳରେ ଆମୋନିଅମ୍ କ୍ଲୋରାଇଡ୍ର ସ୍ବାଦ ଜାଣିପାରିଛନ୍ତି। ଆମୋନିଅମ୍ ଯୌଗିକ କିଛି ପରିମାଣରେ ବିଷାକ୍ତ ହୋଇଥିବାରୁ ବୈଜ୍ଞାନିକମାନେ ଏହି ନୂଆ କୌଶଳକୁ ଆପଣେଇଥିବା ଜଣାଯାଇଛି।