କ୍ରାଇମ

କର୍ଣ୍ଣାଟକରେ ଠିକାଦାରଙ୍କ ଘରେ ଆୟକର ଚଢ଼ଉ: ୨୩ଟି ପେ‌ଟିରୁ ୪୨ କୋଟି – Utkal Mail


ବେଙ୍ଗାଲୁରୁ: ଆୟକର ବିଭାଗର ଅଧିକାରୀମାନେ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ଏବଂ ଅନ୍ୟାନ୍ୟ ସ୍ଥାନରେ ଆଜି ଚଢ଼ଉ କରି ଦୁଇ ଜଣ ଠିକାଦାରଙ୍କ ଘରୁ ୪୨ କୋଟି ଟଙ୍କାରୁ ଅଧିକ ନଗଦ ଅର୍ଥ ଜବତ କରିଛନ୍ତି। ବିଏସ୍‌ଆର୍‌ ଇନଫ୍ରାଟେକ୍ ଏବଂ ଷ୍ଟାର୍‌ ଇନ୍‌ଫ୍ରାଟେକ୍‌ ଠିକାଦାରୀ ସଂସ୍ଥାର ବିଭିନ୍ନ ଠିକଣାରେ ଆୟକର ବିଭାଗ ଚଢ଼ଉ କରି ବିପୁଳ ପରିମାଣର ନଗଦ ଅର୍ଥ ସମେତ ଅନ୍ୟାନ୍ୟ ସନ୍ଦିଗ୍ଧ କା‌ଗଜପତ୍ର ଓ ଡିଜିଟାଲ ସାମଗ୍ରୀ ଜବତ କରିଛି। ୨୩ଟି ପେଟିରେ ଭର୍ତ୍ତି ହୋଇ ରଖାଯାଇଥିବା ୫୦୦ ଟଙ୍କିଆ ନୋଟ୍‌ ମିଳିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ପୂର୍ବର ବିଜେପି ସରକାରଙ୍କ ବିରୋଧରେ ୪୦ ପ୍ରତିଶତ କମିସନ ଅଭିଯୋଗ ଆଣିଥିବା ଠିକାଦାର ଆର୍‌ ଅମ୍ବିକାପତିଙ୍କ ଘରେ ଚଢ଼ଉ କରାଯାଇ ନଗଦ ଅର୍ଥ ଜବତ କରାଯାଇଛି।

ଆୟକର ବିଭାଗର ଅଭିଯୋଗ ଅନୁଯାୟୀ, ଠିକାଦାରମାନେ ଟିକସ ଫାଙ୍କି ଏବଂ ମନି ଲଣ୍ଡରିଂ ମାମଲାରେ ସାମିଲ ଅଛନ୍ତି। ପଡ଼ୋଶୀ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଆସନ୍ତାମାସ ୩୦ ତାରିଖରେ ହେବ। ସେଠାକୁ ଏହି ଅର୍ଥ ‌ପଠାଯିବା ପାଇଁ ରଖାଯାଇଥିବା ବୋଲି ଚର୍ଚ୍ଚା ହେଉଛି। ତେଲେଙ୍ଗାନା ଅର୍ଥମନ୍ତ୍ରୀ ହରିଶ ରାଓ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। କିନ୍ତୁ ଆୟକର ବିଭାଗ ପକ୍ଷରୁ ଏ ନେଇ କିଛି ସ୍ପଷ୍ଟ କରାଯାଇନାହିଁ। ଜଣେ ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ, ସକାଳ ୭ଟାରେ ଆୟକର ଅଧିକାରୀମାନେ ଆସି ପହଞ୍ଚିବା ସହିତ ସେମାନଙ୍କୁ ଘରେ ରହିବାକୁ କହିବା ସହ ଫୋନ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ୪ଜଣ ଆୟକର ଅଧିକାରୀ ସ୍ଥାନୀୟ ପୁଲିସ ସହିତ ଆସିଥିଲେ। ଗତ ଗୁରୁବାର ଆୟକର ବିଭାଗ ମଧ୍ୟ ଦୁଇଜଣ ଠିକାଦାରଙ୍କ ୨୫ଟି ଠିକଣାରେ ଚଢ଼ଉ କରିଥିଲା। ଆୟକର ବିଭାଗ ପକ୍ଷରୁ ବିଏସଆର ଇନଫ୍ରାଟେକ୍ ଏବଂ ଷ୍ଟାର୍‌ ଇନଫ୍ରାଟେକର ସହକର ନଗର, ସଞ୍ଜୟ ନଗର ଆଦି ସ୍ଥାନରେ ଥିବା କାର୍ଯ୍ୟାଳୟରେ ଚଢ଼ଉ ହୋଇଛି। ଏଥିସହିତ ବୋର୍ଡ ସଦସ୍ୟ ଏବଂ ଅନ୍ୟମାନଙ୍କ ଘରେ ମଧ୍ୟ ଚଢ଼ଉ ହୋଇଛି। ଠିକାଦାରଙ୍କ ଘରୁ ଏତେ ପରିମାଣର ନଗଦ ଅର୍ଥ ଜବତ ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button