ଦେଶ ବିଦେଶ

୨୬ ସପ୍ତାହ ଭ୍ରୂଣର ଗର୍ଭପାତ ମାମଲା: ଏମ୍‌ସଠୁ ରିପୋର୍ଟ ମାଗିଲେ, ୧୬ରେ ପରବର୍ତ୍ତୀ ଶୁଣାଣି – Utkal Mail


ନୂଆଦିଲ୍ଲୀ: ଜଣେ ବିବାହିତା ମହିଳାଙ୍କ ୨୬ ସପ୍ତାହ ଭ୍ରୂଣର ଗର୍ଭପାତ ମାମଲାରେ ସୁପ୍ରିମକୋର୍ଟ ଆଜି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍‌ସ) ଠାରୁ ଏକ ସାନି ରିପୋର୍ଟ ମାଗିଛନ୍ତି। ମହିଳାଙ୍କୁ ବୁଝାଇବାରେ ବିଫଳ ହୋଇଛନ୍ତି ବୋଲି କେନ୍ଦ୍ର ସରକାର ଜଣାଇବା ପରେ ସୁପ୍ରିମ‌କୋର୍ଟ ଏମ୍‌ସଠାରୁ ଏହି ରିପୋର୍ଟ ମାଗିଛନ୍ତି। ଗର୍ଭସ୍ଥ ଭ୍ରୂଣରେ ସେଭଳି କୌଣସି ବଡ଼ଧରଣର ବିକୃତି ରହିଛି କି ନାହିଁ ତାହା ଜାଣିବା ଲାଗି ଏଭଳି କହିଛନ୍ତି। ଏଥିସହିତ ପୂର୍ବରୁ ଶିଶୁ ଜନ୍ମ ଦେବା ପରେ ମହିଳା ଜଣକ ଅବସାଦର ଶିକାର ହୋଇଥିବାରୁ ସେ ଔଷଧ ଖାଉଛନ୍ତି। ଏହି ଦୃଷ୍ଟିରୁ ସଂପୃକ୍ତ ମହିଳାଙ୍କର ସ୍ବାସ୍ଥ୍ୟ କିଭଳି ରହିଛି ତାହା ଉପରେ ମଧ୍ୟ ସୁପ୍ରିମ‌କୋର୍ଟ ରିପୋର୍ଟ ମାଗିଛନ୍ତି।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର (ଅକ୍ଟୋବର ୧୬ ତାରିଖ) କରିବାକୁ ସ୍ଥିର ହୋଇଛି। ଉଲ୍ଲେଖଯୋଗ୍ୟ, ଅଦାଲତ ପୂର୍ବରୁ କହିଥିଲେ ଯେ ଗର୍ଭପାତ ମାମଲାର ବିଚାର କରିବା ବେଳେ ଜନ୍ମ ହୋଇ ନଥିବା ଶିଶୁର ଅଧିକାରକୁ ସେମାନେ ଅଣଦେଖା କରିପାରିବେ ନାହିଁ। ମାନସିକ ରୋଗର ଚିକିତ୍ସା ପାଇଁ ମହିଳା ଯେଉଁ ଔଷଧ ସେବନ
କରୁଛନ୍ତି ସେଭଳି ଔଷଧ ଖାଇବା ଦ୍ବାରା ପୂର୍ଣ୍ଣ ଗର୍ଭଧାରଣ ସମୟରେ କାହାର କିଛି ଅସୁବିଧା ଦେଖାଦେଇଥିବାର ପ୍ରମାଣ ରହିଛି କି ବୋଲି ସୁପ୍ରିମକୋର୍ଟ ଜାଣିବାକୁ ଚାହିଛନ୍ତି। ଏଥିସହିତ ମହିଳାଙ୍କ ଶାରୀରିକ ଏବଂ ମାନସିକ ସ୍ଥିତି ସଂପର୍କରେ ଜାଣିବା ଲାଗି ନିଜସ୍ବ ମୂଲ୍ୟାୟନ କରିବାକୁ ସୁପ୍ରିମକୋର୍ଟ ଏମ୍‌ସକୁ କହିଛନ୍ତି। କେବଳ ସେତିକି ନୁହେଁ, ଶିଶୁ ଜନ୍ମ ଦେବା ‌ପରେ ମାନସିକ ରୋଗରେ ପୀଡ଼ିତ ହୋଇଥିବା ମହିଳାଙ୍କ ଗର୍ଭସ୍ଥ ଭ୍ରୂଣକୁ ସୁରକ୍ଷା ଦେବା ପାଇଁ ଅନ୍ୟ କୌଣସି ବିକଳ୍ପ ଚିକିତ୍ସା ବ୍ୟବସ୍ଥା ଅଛି କି ନାହିଁ ତାହା ମଧ୍ୟ ଖୋଜିବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button