କ୍ରାଇମ

ମେଡିକାଲ କଲେଜରେ ନାମଲେଖା ନାଁରେ ୧୬ ଲକ୍ଷ ଠକେଇ: ଭୁବନେଶ୍ବର ଓ ବେଙ୍ଗାଲୁରୁରୁ ୩ ଠକ ଗିରଫ – Utkal Mail


ବଲାଙ୍ଗୀର: ବଲାଙ୍ଗୀର ସରକାରୀ ଭୀମ ଭୋଇ ମେଡିକାଲ୍ କଲେଜରେ ନାମ ଲେଖାଇ ଦେବାକୁ କହି ଜଣେ ଛାତ୍ରୀଙ୍କଠାରୁ ୧୬ ଲକ୍ଷ ୨୦ ହଜାର ଟଙ୍କା ଠକେଇ ଅଭିଯୋଗରେ ବଲାଙ୍ଗୀର ସାଇବର ଥାନା ପୁଲିସ୍‌ ୩ ଜଣକୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ବଳରାମପ୍ରସାଦ ମା’ ମଙ୍ଗଳାସାହିର ବ୍ୟାସଦେବ ମହାନ୍ତି (୨୮), ଫୁଲବାଣୀ ଟାଉନଥାନା କେନ୍ଦୁପଡ଼ାର ଅବିନାଶ ଓରଫ କାହ୍ନା ପୁରୋହିତ (୩୩) ଓ ନୟାଗଡ଼ ଜିଲ୍ଲା ଓଡ଼ଗାଁର ମାନସ ପରିଡ଼ା (୩୧)।

ଅନ୍ୟପକ୍ଷରେ ଏହି ଠକେଇ ଘଟଣାରେ ସଂପୃକ୍ତ ଆଉ ୫ ଜଣ ପୁଲିସ ସ୍କାନରରେ ରହିଥିବା ବଲାଙ୍ଗୀର ଏସ୍‌ପି ଋଷିକେଶ ଖିଲାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ପଦ୍ମପୁର ସୂର୍ଯ୍ୟନଗରର ବୃନ୍ଦାବନ ମେହେରଙ୍କ ଝିଅ ନିଟ୍‌ରେ ଭଲ ରୢାଙ୍କ୍‌ ରଖି ନଥିଲେ। ଫଳରେ ‌ଭୁବନେଶ୍ବରରେ ଏକ ଘରୋଇ ମେଡିକାଲ କଲେଜକୁ ଯାଇ ସେଠାରେ ଆଡମିସନ୍‌ କରୁଥିବା ସମୟରେ ଏହି ଠକ ଗୋଷ୍ଠୀ ତାଙ୍କୁ ସରକାରୀ କଲେଜରେ ସିଧାସଳଖ ଆଡମିସନ୍‌ ହୋଇଯିବ ବୋଲି କହିଥିଲେ। ପିଲାର ମାର୍କ ଭଲ ଅଛି, ଏହି ମାର୍କରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଆଡମିସନ୍‌ ହେବା ନିଶ୍ଚିତ ବୋଲି କହିଥିଲେ।

ଏଥିପାଇଁ ୧୭ ଲକ୍ଷ ଟଙ୍କା ଦେବାକୁ ରାଜି କରାଇଥିଲେ। ଏକ ଫର୍ମ ପୂରଣ କରିବାକୁ କହି ଭୁବନେଶ୍ବର ତାଙ୍କ ଅଫିସ ଓ ପରେ ଓଜେଇଇ ଅଫିସକୁ ମଧ୍ୟ ତାଙ୍କୁ ନେଇଥିଲେ। ପରେ ଭୀମ ଭୋଇ ମେଡିକାଲ କଲେଜରୁ ଆଡମିସନ୍‌ ନିଶ୍ଚିତ ଥିବା ଏକ ମେଲ୍‌ ଆସିବା ପରେ ଅଭିଯୋଗକାରୀଙ୍କ ବିଶ୍ବାସ ହୋଇଥିଲା। ଫଳରେ ଟଙ୍କା ଦେଇ ସେଠାରୁ ବଲାଙ୍ଗୀର ଆସି ଭୀମ ଭୋଇ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଆଡମିସନ୍‌ ପାଇଁ ଶ୍ରୀ ମେହେର କହିବା ବେଳେ ଏହା ମିଥ୍ୟା ବୋଲି ଜଣାପଡ଼ିଥିଲା। ଏହା ଜାଣିବା ପରେ ସେ ତୁରନ୍ତ ବଲାଙ୍ଗୀର ସାଇବର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରି ଭୁବନେଶ୍ବରରୁ ୨ ଜଣଙ୍କୁ ଓ ବାଙ୍ଗାଲୁରୁରୁ ଜଣକୁ ଗିରଫ କରି ତାଙ୍କ ପାଖରୁ ୧ ଲକ୍ଷ ୯୦ ହଜାର ଟଙ୍କା, ୫ଟି ମୋବାଇଲ, ୬ଟି ଡେବିଟ୍‌ କାର୍ଡ଼, ୪ଟି ସିମକାର୍ଡ଼ ସହ ବିଭିନ୍ନ ଜାଲ କାଗଜପତ୍ର ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button