ପୁନଶ୍ଚ ପୃଥିବୀ: ବିପଦରେ ଡ୍ୟାନସିଂ ଫ୍ରଗ୍ – Utkal Mail
ପଶ୍ଚିମଘାଟ ପର୍ବତମାଳାର ନୃତ୍ୟରତ ବେଙ୍ଗ (‘ଡ୍ୟାନସିଂ ଫ୍ରଗ’) ସବୁଠାରୁ ଅଧିକ ବିପଦରେ ଥିବା ଉଭୟଚର ପ୍ରଜାତି ମଧ୍ୟରୁ ଅନ୍ୟତମ। ଆଜି ୪୧ ପ୍ରତିଶତ ଉଭୟଚର ପ୍ରଜାତିର ବିଲୁପ୍ତ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି! ସହସ୍ରାଧିକ ଉଭୟଚର ପ୍ରଜାତି ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ବିଶ୍ୱବ୍ୟାପୀ ୮,୦୧୧ଟି ବେଙ୍ଗ ପ୍ରଜାତି ଉପରେ ବିସ୍ତୃତ ବିଶ୍ଳେଷଣରୁ ଏହି ଉଦ୍ବେଗଜନକ ପରିସଂଖ୍ୟାନ ପ୍ରକାଶ ପାଇଛି। ଏହି ଅଧ୍ୟୟନରେ ଦର୍ଶାଯାଇଛି ଜଳବାୟୁ ପରିବର୍ତ୍ତନ ଉଭୟଚର ପ୍ରାଣୀମାନଙ୍କ ପାଇଁ ସବୁଠାରୁ ବଡ଼ ଏବଂ ପ୍ରତ୍ୟକ୍ଷ ବିପଦ ପାଲଟିଛି। ଏହା ସହିତ ବାସସ୍ଥଳୀ ହ୍ରାସ, ରୋଗ, ନିଆଁ, ଅନ୍ୟ ପ୍ରଜାତିମାନଙ୍କ ଆକ୍ରମଣ ଏବଂ ଅତ୍ୟଧିକ ଶୋଷଣ ଏହାର ଅନ୍ୟତମ କାରଣ।
ପଶ୍ଚିମ ଘାଟ ପର୍ବତମାଳାର ଝରଣା ନିକଟରେ ‘ଡ୍ୟାନସିଂ ଫ୍ରଗ’ ପ୍ରଜାତିର ପୁରୁଷ ବେଙ୍ଗମାନେ ସଙ୍ଗମ ପାଇଁ ସ୍ତ୍ରୀ ବେଙ୍ଗଙ୍କୁ ଆକୃଷ୍ଟ କରିବାକୁ ନିଜର ପଛ ଗୋଡ଼ରେ ଛିଡ଼ା ହୋଇ ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିଥାନ୍ତି। ଏହି ପ୍ରଦର୍ଶନକୁ ‘ଫୁଟ୍ ଫ୍ଲାଗିଙ୍ଗ’ କୁହାଯାଏ ଏବଂ ଏହି କାରଣରୁ ସେମାନଙ୍କୁ ନୃତ୍ୟରତ ବେଙ୍ଗ ବୋଲି ନାମକରଣ କରାଯାଇଛି। ପଶ୍ଚିମ ଘାଟ ପର୍ବତମାଳାର ମନୋରମ ପ୍ରକୃତି କୋଳରେ ସେମାନେ ନାଚୁଥିବାର ଦୃଶ୍ୟ ଅତ୍ୟନ୍ତ ମନମୁଗ୍ଧକର। ଭାରତରେ ମୂଲ୍ୟାଙ୍କନ କରାଯାଇଥିବା ୪୨୬ଟି ଉଭୟଚର ପ୍ରଜାତି ମଧ୍ୟରୁ ୧୩୯ଟି ପ୍ରଜାତି ବିପଦଗ୍ରସ୍ତ, ଯେଉଁଥିରେ ଆଇୟୁସିଏନ୍ ରେଡ୍ ଲିଷ୍ଟ ମାନଦଣ୍ଡ ଅନୁୟାୟୀ ଅତ୍ୟଧିକ ଭାବେ ସଙ୍କଟାପନ୍ନ, ବିପଦ ପ୍ରବଣ ଏବଂ ଦୁର୍ବଳ ପ୍ରଜାତି ଅନ୍ତର୍ଭୁକ୍ତ। କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁରେ ବ୍ୟାପିଥିବା ପଶ୍ଚିମ ଘାଟ ଏକ ଜୈବ ବିବିଧତା କେନ୍ଦ୍ର। ଏହି ତିନିଟି ରାଜ୍ୟ ମଧ୍ୟରୁ କେରଳରେ ୮୪ଟି ପ୍ରଜାତି, ତାମିଲନାଡୁରେ ୫୪ଟି ପ୍ରଜାତି, କର୍ଣ୍ଣାଟକରେ ୩୦ଟି ପ୍ରଜାତି ବିପଦପ୍ରବଣ ଅବସ୍ଥାରେ ଅଛନ୍ତି। ପଶ୍ଚିମଘାଟ ପର୍ବତମାଳାରେ ମିଳୁଥିବା ୬୪ ପ୍ରଜାତିର ଉଭୟଚର ଜୀବ ବିଲୁପ୍ତପ୍ରାୟ ପ୍ରଜାତିର ତାଲିକାରେ ରହିଛନ୍ତି।
‘ପଶ୍ଚିମ ଘାଟ ପର୍ବତମାଳାର ରାତ୍ରୀଚର ବେଙ୍ଗ ପ୍ରଜାତି ମଧ୍ୟରୁ ୮୯.୩ ପ୍ରତିଶତ ଆଜି ସମ୍ପୂର୍ଣ୍ଣ ବିପଦ ପ୍ରବଣ। ମାତ୍ର ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ, ସାମୁଦ୍ରିକ ପ୍ରବାଳ ପରେ ବେଙ୍ଗ ଭଳି ଉଭୟଚର ପ୍ରାଣୀ ହେଉଛନ୍ତି ବିଶ୍ୱରୁ ଦ୍ରୁତଭାବେ ଲୋପ ପାଉଥିବା ଦ୍ୱିତୀୟ ପ୍ରଜାତି’ ବୋଲି ଭାରତୀୟ ବନ୍ୟପ୍ରାଣୀ ଟ୍ରଷ୍ଟର ବିବେକ ମେନନ କହିଛନ୍ତି। ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ କେଲସେ ନେମ୍ କହିଛନ୍ତି, “ଆମେ ଯେତିକି ଅଧ୍ୟୟନ ଏବଂ ଚିନ୍ତା କରୁଛୁ ତା’ଠାରୁ ଦ୍ରୁତ ଗତିରେ ବେଙ୍ଗ ଭଳି ଉଭୟଚର ପ୍ରାଣୀ ଲୋପ ପାଉଛି। କିନ୍ତୁ ସେତିକି ମାତ୍ରାରେ ସେମାନଙ୍କର ସୁରକ୍ଷା ଓ ସଂରକ୍ଷଣ ତଥା ସଚେତନତା ଉପରେ ଧ୍ୟାନ ଦିଆଯାଇପାରୁନାହିଁ। ବେଙ୍ଗ ଭଳି ଉଭୟଚର ପ୍ରାଣୀର କୀଟପତଙ୍ଗ ନିୟନ୍ତ୍ରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ସେମାନେ ଆମକୁ ଆମ ପରିବେଶ ଓ ପରିସଂସ୍ଥାନ ନେଇ ସତର୍କ ସୂଚନା ଦେଇଥାନ୍ତି ଏବଂ ପୃଥିବୀକୁ ଅଧିକ ସରସ ସୁନ୍ଦର କରିବାରେ ସେମାନଙ୍କର ଯଥେଷ୍ଟ ଅବଦାନ ରହିଛି। ୨୪ ପ୍ରଜାତିର ନୃତ୍ୟ କରୁଥିବା ବେଙ୍ଗମାନଙ୍କ ମଧ୍ୟରୁ ପୃଥିବୀ ପୃଷ୍ଠରୁ ଦୁଇଟି ପ୍ରଜାତି ବିରଳ ହୋଇଗଲେଣି ଏବଂ ଅନ୍ୟ ୧୫ଟି ପ୍ରଜାତି ଗୁରୁତର ଭାବେ ସଂକଟଗ୍ରସ୍ତ। ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ପ୍ରସିଦ୍ଧ ଉଭୟଚର ଗବେଷକ ହରିକ୍ରିଷ୍ଣନ୍ ବିପଦଗ୍ରସ୍ତ ଉଭୟଚରଙ୍କ ଜନସଂଖ୍ୟାକୁ ପୁନରୁଦ୍ଧାର କରିବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି। ଏଭଳି ପ୍ରାଣୀ ଜଗତର ସୁରକ୍ଷା ଆଜି ବିଶ୍ୱର ପ୍ରତିଟି ମଣିଷ ପାଇଁ ଆହ୍ୱାନ ହୋଇଥିବାବେଳେ ସେମାନଙ୍କର ସଂରକ୍ଷଣ ଓ ସୁରକ୍ଷା ହୋଇପାରିଲେ ଏକ ସୁସ୍ଥ ସୁନ୍ଦର ପୁନଶ୍ଚ ପୃଥିବୀର ପରିକଳ୍ପନା ସମ୍ଭବ ହୋଇପାରିବ।