ବ୍ୟବସାୟ

ଓଡ଼ିଶା ସମେତ ୧୩ ରାଜ୍ୟରେ ମୁଦ୍ରାସ୍ଫୀତି ଅଧିକ: ରାଜସ୍ଥାନରେ ସବୁଠୁ ଅଧିକ, ଛତିଶଗଡ଼ରେ ସବୁଠୁ କମ୍‌ – Utkal Mail


ନୂଆଦିଲ୍ଲୀ: ଓଡ଼ିଶା ସମେତ ୧୪ଟି ରାଜ୍ୟରେ ମୁଦ୍ରାସ୍ଫୀତି ଜାତୀୟ ହାର ଠାରୁ ଅଧିକ ରହିଛି। ଅଗଷ୍ଟ ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୬.୮୩ ପ୍ରତିଶତ ରହିଥିଲା। କିନ୍ତୁ ସେପ୍ଟେମ୍ବରରେ ଏହା ୫.୦୨ ପ୍ରତିଶତକୁ ହ୍ରାସ ପାଇଛି। ଏଭଳି ସ୍ଥିତିରେ ଓଡ଼ିଶା, ରାଜସ୍ଥାନ, ହରିୟାଣା, କର୍ଣ୍ଣାଟକ, ତେଲେଙ୍ଗାନା, ଉତ୍ତରାଖଣ୍ଡ, ବିହାର, ପଞ୍ଜାବ, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜରାଟ, ହିମାଚଳ ପ୍ରଦେଶ ଏବଂ ଝାଡ଼ଖଣ୍ଡରେ ଜାତୀୟ ହାର ତୁଳନାରେ ମୁଦ୍ରାସ୍ଫୀତି ଅଧିକ ରହିଛି।

କେନ୍ଦ୍ର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ରାଜସ୍ଥାନରେ ସେପ୍ଟମ୍ବର ମାସର ମୁଦ୍ରାସ୍ଫୀତି ସବୁଠୁ ଅଧିକ ଅର୍ଥାତ ୬.୫୩ ପ୍ରତିଶତ ରହିଛି। ତାହା ତଳକୁ ହରିୟାଣା ୬.୪୯ ପ୍ରତିଶତ ମୁଦ୍ରାସ୍ଫୀତି ସହିତ ଦ୍ବିତୀୟ ସ୍ଥାନରେ ଅଛି। ଏହା ପଛକୁ କର୍ଣ୍ଣାଟକ (୬%) ତୃତୀୟ, ତେଲେଙ୍ଗାନା (୫.୯୭%) ଚତୁର୍ଥ ଏବଂ ଓଡ଼ିଶା (୫.୮୭%) ପଞ୍ଚମ ସ୍ଥାନରେ ରହିଛି। ଓଡ଼ିଶା ତଳକୁ ଉତ୍ତରାଖଣ୍ଡ, ବିହାର, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜରାଟ, ହିମାଚଳ ପ୍ରଦେଶ ଓ ଝାଡ଼ଖଣ୍ଡ ଯଥାକ୍ରମେ ଷଷ୍ଠରୁ ତ୍ରୟୋଦଶ ସ୍ଥାନ ମଧ୍ୟରେ ରହିଛନ୍ତି। ମୁଦ୍ରାସ୍ଫୀତି ହାର ଛତିଶଗଡ଼ରେ ସବୁଠୁ କମ୍ ଅର୍ଥାତ ୧.୯୮ ପ୍ରତିଶତ ରହିଛି। ତେଣୁ ସର୍ବାଧିକ ମୁଦ୍ରାସ୍ଫୀତି ରାଜସ୍ଥାନରେ ଥିବାବେଳେ ସର୍ବନିମ୍ନ ମୁଦ୍ରାସ୍ଫୀତି ଛତିଶଗଡ଼ରେ ରହିଛି।

ଓଡ଼ିଶାରେ ମୁଦ୍ରାସ୍ଫୀତି ଅଧିକ ରହିବା ସଂପର୍କରେ ଅର୍ଥନୀତି ବିଶାରଦମାନେ ଭିନ୍ନ ଭିନ୍ନ ମତ ରଖିଛନ୍ତି। ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁ‌ନ୍‌ଗୋଙ୍କ ମତରେ ଓଡ଼ିଶାରେ ଆମେ ବ୍ୟବହାର କରୁଥିବା ଅଧିକାଂଶ ସାମଗ୍ରୀ ବାହାରୁ ଆସୁଛି। ପରିବହନ ଖର୍ଚ୍ଚ ମିଶିଯିବାରୁ ଓଡ଼ିଶାରେ ଡାଲି, ‌ତେଲ, ଟୁଥ ପେଷ୍ଟ, ସାବୁନ ଭଳି ବିଭିନ୍ନ ସାମଗ୍ରୀର ମୂଲ୍ୟ ବଢ଼ିଯାଉଛି। ମୋଟା‌ମୋଟିଭା‌ବେ ଓଡ଼ିଶା ଏକ ଉତ୍ପାଦନଭିତ୍ତିକ ରାଜ୍ୟ ହୋଇ ନଥିବାରୁ ଏଠାରେ ମୁଦ୍ରାସ୍ଫୀତି ହାର ଅଧିକ ରହୁଛି ବୋଲି ଶ୍ରୀ କାନୁନଗୋ କହିଛନ୍ତି। ଅର୍ଥନୀତିଜ୍ଞ ତଥା ସ୍ତମ୍ଭକାର ସନ୍ତୋଷ କୁମାର ମହାପାତ୍ରଙ୍କ କହିବାନୁଯାୟୀ, ଦେଶର ହାରାହାରି ମୁଦ୍ରାସ୍ଫୀତି କମିବାରେ କିଛି ଖୁସି ହେବାର ନାହିଁ। ଏହାର ଅର୍ଥ ନୁହେଁ ଯେ ଦରଦାମ କମିଛି। ତେବେ ଓଡ଼ିଶାରେ ବେସ୍‌ ଇଫେକ୍ଟ ବା ଗତବର୍ଷ ସେପ୍ଟେମ୍ବର ମାସର ଦରଦାମ କମ୍‌ ରହିଥାଇ ପାରେ। ଭୁବନେଶ୍ବର, ରାଉରକେଲା ଭଳି ବ୍ୟୟବହୁଳ ସହର ପାଇଁ ରାଜ୍ୟର ସାମଗ୍ରିକ ମୁଦ୍ରାସ୍ଫୀତି ଅଧିକ ରହିଥାଇପାରେ। ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡାଙ୍କ କହିବାନୁଯାୟୀ, ଦେଶରେ ଏବର୍ଷ କୃଷିଜାତ ସାମଗ୍ରୀର ଦରଦାମ ଅଧିକ ରହିଛି। ଏଥିସହିତ ଚଳିତବର୍ଷ ୧୩ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଏହାର ପ୍ରଭାବ ମୁଦ୍ରାସ୍ଫୀତି ଉପରେ ପଡ଼ିଥାଇ ପା‌ରେ। ତେବେ ଦଶହରା ପରେ ମୁଦ୍ରାସ୍ଫୀତି କମିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button