କ୍ରାଇମ

ଡାକ୍ତରଙ୍କୁ ଧରାଇଥିବା ବ୍ୟକ୍ତିଙ୍କୁ କାନ୍ଧେଇ ନାଚିଲେ – Utkal Mail


ପିଏଚ୍‌ଓ ଡାକ୍ତରଙ୍କ ଗିରଫଦାରୀ ପରେ ଖୁସି ମନାଇଲେ ସିପିଂ କମ୍ପାନି କର୍ମଚାରୀ

ଜଗତସିଂହପୁର: ପାରାଦୀପ ଗଲ୍‌ଫ ପଡ଼ିଆରେ ଆଜି ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ବନ୍ଦରରେ କାର୍ଯ୍ୟରତ ସମସ୍ତ ସିପିଂ କମ୍ପାନିର କର୍ମଚାରୀମାନେ ଏକାଠି ହୋଇ ଆଜି ଭୋଜିର ଆୟୋଜନ କରିଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ମାମଲାର ଅଭିଯୋଗକାରୀ ଏମିନେନ୍ସ କମ୍ପାନିର କର୍ମଚାରୀ ଆଲୋକ ରାଉତଙ୍କୁ ସମସ୍ତେ କାନ୍ଧରେ ଧରି ନାଚୁଥିବା ଦେଖିବାକୁ ମିଳିଥିଲା। ବନ୍ଦର ସ୍ବାସ୍ଥ୍ୟ ସଂଗଠନ ଡାକ୍ତର ରାଜେନ୍ଦ୍ର ନାରାୟଣଙ୍କ ଅତ୍ୟାଚାରରେ ଏହି ସିପିଂ କମ୍ପାନିଗୁଡ଼ିକ କେମିତି ତ୍ରାହି ତ୍ରାହି ଡାକୁଥିଲେ, ଏହି ଦୃଶ୍ୟ ତାକୁ ପ୍ରମାଣିତ କରୁଛି। ଏହି ଘଟଣାକୁ ନେଇ ଆଜି ଚର୍ଚ୍ଚା ଜୋର୍‌ ଧରିଛି।
ପାରାଦୀପ ବନ୍ଦରକୁ ପୂର୍ବରୁ ମଧ୍ୟ ଏକାଧିକ ଥର ସିବିଆଇ ପଶିଛି। କିଛିଦିନ ତଳେ ବନ୍ଦର ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀଙ୍କୁ ସିବିଆଇ ଗିରଫ କରିଥିଲା। ମାତ୍ର ଡାକ୍ତର ପାଣିଗ୍ରାହୀଙ୍କ ଗିରଫଦାରୀ ପରେ ଛକ ବଜାର ସବୁଠି ଚର୍ଚ୍ଚା ଓ ଆଲୋଚନା ଦେଖିବାକୁ ମିଳିଛି। ଜଣଙ୍କ ଗିରଫଦାରୀ ପରେ ଖୁସି ମନାଇବା ବୋଧହୁଏ ଖାଲି ପାରାଦୀପ ନୁହେଁ, ରାଜ୍ୟରେ ପ୍ରଥମ ଘଟଣା। ସମସ୍ତ ସିପିଂ କମ୍ପାନିଗୁଡ଼ିକ ଦୀର୍ଘ ୪ ବର୍ଷ ହେଲା ଏମିତି ଭୋଗୁଥିଲେ ମଧ୍ୟ ପାଟି ଫିଟାଇବା ପାଇଁ କାହାର ସାହସ ନଥିଲା। ମାତ୍ର ଏମିନେନ୍ସ କମ୍ପାନିର କର୍ମଚାରୀ ଆଲୋକ ଯାହା କରି ଦେଖାଇଲେ, ତାହା ସମସ୍ତଙ୍କୁ ଆତ୍ମସନ୍ତୋଷ ଭରି ଦେଇଛି।
ଘଟଣାରୁ ଜଣାପଡ଼ିଛି ଯେ, ଏମିନେନ୍ସ କମ୍ପାନି ଦ୍ବାରା ଯେଉଁ ଜାହାଜଟି ବର୍ଥକୁ ଆସିଥିଲା ସେଥିରେ ୮୦ ଜଣ କର୍ମଚାରୀ ଥିଲେ। ଜାହାଜର ଜଣ ପିଛା ୧୫ ଶହ ଟଙ୍କା ହିସାବରେ ମୋଟ୍ ୧ ଲକ୍ଷ ୨୦ ହଜାର ଟଙ୍କା ଦେବାକୁ ଡାକ୍ତର ପାଣିଗ୍ରାହୀ ଆଲୋକଙ୍କୁ କହିଥିଲେ।

ଏତେ ଟଙ୍କା ଦେବା ପାଇଁ ଆଲୋକ ରାଜି ‌ନ ହେବାରୁ ସେ ତାଙ୍କୁ ବହୁତ ହଇରାଣ କରିଥିଲେ। ଏଣୁ ଜାହାଜଟି ଠିକଣା ସମୟରେ ବନ୍ଦରର ବର୍ଥରେ ପହଞ୍ଚିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଡାକ୍ତର ପାଣିଗ୍ରାହୀଙ୍କ ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ଆଲୋକ ବାଧ୍ୟ ହୋଇ ସିବିଆଇ ନିକଟରେ ଅଭିଯୋଗ କରିଥିଲେ। ଏପଟେ ଡାକ୍ତର ପାଣିଗ୍ରାହୀଙ୍କ ସହ ମୂଲଚାଲ କରି ଶେଷରେ ୫୪ ହଜାର ଟଙ୍କା ଦେବା ପାଇଁ ସ୍ଥିର କରିଥିଲେ। ଆଲୋକଙ୍କର ଏତେ ବଡ଼ ପଦକ୍ଷେପ ପାଇଁ ଆଜି ଡାକ୍ତର ପାଣିଗ୍ରାହୀ ସିବିଆଇ ହାତରେ ଧରାପଡ଼ିଛନ୍ତି। କେବଳ ସେତିକି ନୁହେଁ, ସିବିଆଇର ଏହି ଗିରଫଦାରୀ ପରେ ବନ୍ଦର ପ୍ରଶାସନର ଅନ୍ୟ ଦୁର୍ନୀତିଖୋର ଅଧିକାରୀଙ୍କ ମଧ୍ୟରେ ଛନକା ପଶିଯାଇଛି। ଦିନକୁ ଦିନ ଡାକ୍ତର ପାଣିଗ୍ରାହୀଙ୍କ ନୂଆ ନୂଆ ଅଡିଓ ଭାଇରାଲ୍‌ ହେବାରେ ଲାଗିଛି। ଏଥିରେ ସେ ସମସ୍ତ ଟଙ୍କା ଓ ଉପହାର ସନ୍ତୋଷ ନାମକ ଜଣେ ଯୁବକଙ୍କ ଦ୍ବାରା ନେଉଥିବା ଜଣାପଡ଼ିଛି। ଡାକ୍ତର ପାଣିଗ୍ରାହୀଙ୍କ ସହ ଯେଉଁ ସିପିଂ କମ୍ପାନି କମର୍ଚାରୀ କଥା ହୁଅନ୍ତି, ତାଙ୍କୁ ସେ ସନ୍ତୋଷ ସହ ଡିଲ୍ କରିବା ପାଇଁ କୁହନ୍ତି। ଏମିତିକି ଯାହା କଥା ହେବା କଥା, ହ୍ବାଟସ୍ ଆପ୍ କଲ୍‌ କରିବା ପାଇଁ ସେ ସିପିଂ କମ୍ପାନିଗୁଡ଼ିକୁ କହୁଥିବା ଶୁଣିବାକୁ ମିଳୁଛି। ଏଥିରୁ ଡାକ୍ତର ପାଣିଗ୍ରାହୀ‌ ଯେ କେତେ ଚତୁର, ତାହା ପ୍ରମାଣିତ ହୋଇଛି। ହେଲେ ଏ ସନ୍ତୋଷ କିଏ, ତାଙ୍କ ପାଖରେ ଏଯାଏ ସିବିଆଇ କାହିଁକି ପହଞ୍ଚିପାରିନାହିଁ, ଏ ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ଆଜି ସରୁଛି ରିମାଣ୍ଡ୍‌, ଜେଲ୍‌କୁ ଫେରିବେ

ଭୁବନେଶ୍ବର: ଜାହାଜ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେବା ମାମଲାରେ ସିବିଆଇ ହାତରେ ଗିରଫ ହୋଇଥିବା ବନ୍ଦର ସ୍ବାସ୍ଥ୍ୟ ସଂଗଠନ(ପିଏଚଓ)ର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କର ସୋମବାର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବ। ତାଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯିବା ପରେ ଝାରପଡ଼ା ଜେଲ ପଠାଇ ଦିଆଯିବ ବୋଲି ଜଣାପଡ଼ିଛି। ସେହିପରି ଆଜି ଡାକ୍ତର ପାଣିଗ୍ରାହୀଙ୍କର ବିଜେବି ନଗରରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ ଚଢ଼ଉ କରାଯାଇଥିଲା। ତେବେ ସେଠାରୁ କିଛି ମିଳି ନ ଥିବା ଜଣାପଡ଼ିଛି। ସେହିପରି ବିପୁଳ ପରିମାଣର ଡଲାର ସମ୍ପର୍କରେ ଖୋଳତାଡ଼ ଜାରି ରହିଥିବା ଜଣାପଡ଼ିଛି। ଏକ ଟିମ୍ ପାରାଦୀପରେ ତଦନ୍ତ କରୁଥିବା ବେଳେ ଅନ୍ୟ ଏକ ଟିମ୍ ଅଭିଯୁକ୍ତ ଡାକ୍ତର ପାଣିଗ୍ରାହୀଙ୍କୁ ଏ ସମ୍ପର୍କରେ ପଚରାଉଚରା କରି କିଛି ତଥ୍ୟ ହାସଲ କରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ୫୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗତ ଗୁରୁବାର ସିବିଆଇ ଡାକ୍ତର ପାଣିଗ୍ରାହୀଙ୍କୁ ଗିରଫ କରିଥିଲା। ଦୁଇଟି ପର୍ଯ୍ୟାୟରେ ୬ ଦିନ ପାଇଁ ରିମାଣ୍ଡରେ ନେଇଥିଲା ତଦନ୍ତକାରୀ ଟିମ୍।




Related Articles

Leave a Reply

Your email address will not be published. Required fields are marked *

Back to top button