ନବରାତ୍ରିରେ ମୁକ୍ତିଲାଭ କଲା ପ୍ରଧାନମନ୍ତ୍ରୀଙ୍କ ନୂଆ ଗରବା ଗୀତ ‘ମାଡୀ’ – Utkal Mail
ଗାନ୍ଧୀନଗର: ନବରାତ୍ରିର ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନୂଆ ଗରବା ଗୀତ ‘ମାଡୀ’ ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ସ୍ବୟଂ ଏହି ଗୀତଟି ଲେଖିଥିବା ବେଳେ ଏହାକୁ ଗାଇଛନ୍ତି ଦିବ୍ୟ କୁମାର ଏବଂ ସ୍ବରସଂଯୋଜନା କରିଛନ୍ତି ମୀତ୍ ବ୍ରୋସ୍। ଉଭୟ ୟୁଟ୍ୟୁବ୍ ଓ ଏକ୍ସରେ ପ୍ରଧାନମନ୍ତ୍ରୀ ଏହି ଭିଡିଓଟିକୁ ସେୟାର କରିଛନ୍ତି। ଭିଡିଓଟି ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ନବରାତ୍ରିର ପାବନ ଅବସରରେ ଏହି ଗରବା ଗୀତଟି ସେୟାର କରି ମୁଁ ଅତ୍ୟନ୍ତ ଆନନ୍ଦିତ। ଗୀତଟି ମୁଁ ଗତ ସପ୍ତାହରେ ଲେଖିଥିଲି। ପାର୍ବଣର ସୁରଝଙ୍କାର ସମସ୍ତଙ୍କୁ ଆମୋଦିତ କରୁ। ଏହି ଗୀତଟିକୁ ସ୍ବର ଦେଇଥିବା ଓ ଗାଇଥିବା ମୀଥ୍ ବ୍ରୋସ୍ ଓ ଦିବ୍ୟ କୁମାରଙ୍କୁ ମୁଁ ଧନ୍ୟବାଦ ଅର୍ପଣ କରୁଛି।
୪ ମିନିଟ୍ ଓ ୪୦ ସେକେଣ୍ଡର ଗୀତଟି ଗୁଜରାଟୀ ଭାଷାରେ ଲେଖାଯାଇଛି। ଭିଡିଓରେ ଦେଖିବାକୁ ମିଳୁଛି, ଗୀତ ବାଜୁଛି ଓ ଲୋକମାନେ ରଙ୍ଗବେରଙ୍ଗର ପାରମ୍ପରିକ ଗୁଜରାଟୀ ପୋଷାକ ପିନ୍ଧି ଗରବା ସ୍ଥଳରେ ଦାଣ୍ଡିଆ ନୃତ୍ୟର ତାଳେ ତାଳେ ଝୁଲୁଛନ୍ତି। ପୃଷ୍ଠଭୂମିରେ ବଡୋଦରାଠାରେ ଅବସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟି ଦେଖିବାକୁ ମିଳୁଛି, ଯାହା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଉତ୍ସର୍ଗୀକୃତ। ଶନିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ଲିଖିତ ଏକ ୧୯୦ ସେକେଣ୍ଡର ମ୍ୟୁଜିକ୍ ଭିଡିଓ ‘ଗରବୋ’ ମଧ୍ୟ ରିଲିଜ ହୋଇଥିଲା, ଯାହାକୁ ପ୍ରଧାନମନ୍ତ୍ରୀ ଅନେକ ବର୍ଷ ତଳେ ଲେଖିଥିଲେ। ଏହି ଗୀତଟିକୁ ଧ୍ବନି ଭାନୁଶାଳୀ ଗାଇଛନ୍ତି ଏବଂ ଏହାର ସ୍ବରସଂଯୋଜନା କରିଛନ୍ତି ତନିଷ୍କ ବାଗଚୀ। ଅଭିନେତା-ପ୍ରଯୋଜକ ଜାକି ଭଗନାନିଙ୍କ ଦ୍ବାରା ପ୍ରତିଷ୍ଠିତ ଜଷ୍ଟ ମ୍ୟୁଜିକ୍ର ବ୍ୟାନରରେ ଏହି ଭିଡିଓଟି ରିଲିଜ ହୋଇଥିଲା। ଭିଡିଓଟି ରିଲିଜ ହେବା ପରେ ୬ ଘଣ୍ଟା ଭିତରେ ଏକ ନିୟୁତରୁ ଅଧିକ ଦର୍ଶକ ୟୁଟ୍ୟୁବ୍ରେ ଏହାକୁ ଦେଖିବା ସହ ଏହା ଅସମ୍ଭବ ଲୋକପ୍ରିୟତା ଅର୍ଜନ କରିଥିଲା। ‘ମାଡୀ’ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି- ବହୁବର୍ଷ ହେଲା ମୁଁ କିଛି ଲେଖାଲେଖି କରି ନାହିଁ। କିନ୍ତୁ କିଛିଦିନ ତଳେ ଏହି ଗୀତଟି ଲେଖିବାରେ ସକ୍ଷମ ହୋଇଛି। ଏଥି ସହ ନବରାତ୍ରି ଉପଲକ୍ଷେ ଦେଶବାସୀଙ୍କର ସୁଖଶାନ୍ତିମୟ ଜୀବନ କାମନା କରିଛନ୍ତି ମୋଦୀ।



